ad
ଓଡ଼ିଶା

ତିହୁଡ଼ିର ଔଷଧୀୟ ଗୁଣ ଓ ଚାଷ ପ୍ରଣାଳୀ

ତିହୁଡ଼ି ର ଔଷଧୀୟ ଗୁଣ:

ସାଧାରଣତଃ ରାସ୍ତାକଡ଼, କେନାଲ ବନ୍ଧ, ଜଙ୍ଗଲ ଆଦି ସ୍ଥାନମାନଙ୍କରେ ତିହୁଡ଼ି ଦେଖାଯାଏ ଓ ଏହାକୁ ସଂସ୍କୃତରେ ତ୍ରିପୁଟା କହନ୍ତି ଓ ବିଭିନ୍ନ ଅଂଚଳରେ ଲୋକମାନେ ଏହାକୁ ନିଶୋଥ, ଟାଙ୍ଗିଆ ଚେର, ତିହୁଡ଼ି ଆଦି ନାମରେ ଜାଣନ୍ତି ଓ ଏହା ଏକ ବର୍ଷବ୍ୟାପୀ କ୍ଷୀରଯୁକ୍ତ ଆରୋହୀ ଓ ଏହାର ଚେର ଗୁଡିକ ଲମ୍ବା, ପତଳା, ମାଂସଳ ଓ ବହୁ ଶାଖାଯୁକ୍ତ ଓ କାଣ୍ଡ ଗୁଡ଼ିକ ଲମ୍ବା, କ୍ଷିପ୍ର ବେଗି, କୋଣିଆ ଓ ଗୋଡ଼ାଗୋଡ଼ି ହୋଇ ରହିଥାଏ ଓ ଏହାର ପତ୍ର ଗୁଡ଼ିକ ୫ – ୧୦ ସେ-ମି- ଲମ୍ବା ଓ ୧.୩ – ୭ ସେ ମି  ଓସାର ବିଶିଷ୍ଟ ହୋଇଥାଏ ଓ ଏଥିରେ ବର୍ଷକୁ ଦୁଇଥର ସେପ୍ଟେମ୍ବର ରୁ ନଭେମ୍ବର ଏବଂ ମାର୍ଚ୍ଚ ରୁ ମେ ମାସରେ ଫୁଲ ଓ ଫଳ ଆସିଥାଏ ଓ ଏହାର ଚେର, ଚେରଚର୍ମ ଓ କାଣ୍ଡ ଗୁଡ଼ିକ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ ଓ ଆସନ୍ତୁ ଆମେ ଏହାର ଆଉ କେତେକ ଔଷଧୀୟ ଗୁଣ ବିଷୟରେ ଜାଣିବା :

୧) ସାଧାରଣ ବାତକୁ ଭଲ କରିବା ପାଇଁ ତିହୁଡ଼ି ଚେରର ଗୁଣ୍ଡକୁ ଶୁଣ୍ଠୀ, କଳାଲୁଣ, ପିପଳୀ ଓ ଛୋଟ ହରିଡ଼ା ଗୁଣ୍ଡ ସହିତ ପାନ କରାଯାଏ।

୨) ତିହୁଡ଼ି ଯକୃତକୁ ସୁରକ୍ଷା ପ୍ରଦାନ କରିଥାଏ ଓ ଜୀର୍ଣ୍ଣ ଜ୍ୱର ସମସ୍ୟାକୁ ଦୂର କରିବା ପାଇଁ ତିହୁଡ଼ି ଚୁର୍ଣ୍ଣ ସହିତ ଶୁଣ୍ଠୀ ଗୁଣ୍ଡ ମିଶାଇ ଅଧା ଚାମଚ ଗୁଡ଼ ସହ ଖାଇଲେ ଲାଭ ମିଳିଥାଏ।

୩) ବିଶେଷତଃ ଜଳଦର ଓ ସାଧାରଣ ବାତ ରୋଗ ଭଲ କରିବା ପାଇଁ ତିହୁଡ଼ିର ବ୍ୟବହାର କରାଯାଏ।

୪) ବଡ଼ ହରିଡ଼ା ଖଣ୍ଡ ସହିତ ତିହୁଡ଼ି ଗୁଣ୍ଡକୁ ମିଶାଇ ଖାଇଲେ ଉନ୍ମାଦ, ପାଗଳା ପଣ, ହିଷ୍ଟ୍ରିଆ ଆଦି ସମସ୍ୟା ଦୂର ହୋଇଥାଏ।

୫) ଆୟୁର୍ବେଦ ଅନୁସାରେ ତିହୁଡ଼ି ବାତ ଜନକ, ମଧୁର, କଟୁପାକି ତଥା ସଂଗ୍ରହଣୀ, ପ୍ଲିହା, କୃମି, ତିଲ୍ଲୀ ବା ହୃଦୟ ରୋଗକୁ ଦୁରକରିବାରେ ସକ୍ଷମ ହୁଏ।

୬)ଏହା ଉଦାସ ପ୍ରବୃତି ଓ ବାତ ରୋଗ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ।

୭) ଏହା କଫ ସମସ୍ୟାକୁ ଦୂର କରିବା ପାଇଁ ସକ୍ଷମ ହୋଇଥାଏ।

୮) ହରିଡ଼ା ସହିତ ତିହୁଡ଼ିକୁ ସେବନ କରିବା ଦ୍ୱାରା ପକ୍ଷାଘାତ ଓ କୁଷ୍ଠ ରୋଗ ଭଲ ହୋଇଥାଏ।

୯) ଆମାଶୟ ଖରାପ ଜନିତ କାଶହେଲେ, ତିହୁଡ଼ି ସେବନ ଦ୍ୱାରା ଠିକ ହୋଇଯାଇଥାଏ।

୧୦) ତିହୁଡ଼ି କଫକୁ ପତଳାକରି ଶରୀରରୁ ନିସ୍କାଶନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ତିହୁଡ଼ି ର ଚାଷ ପ୍ରଣାଳୀ:

ମୃତିକା ଓ ଜଳବାୟୁ :-

ଏହା ଗ୍ରୀଷ୍ମ ମଣ୍ଡଳୀୟ ଶୁଷ୍କ ଓ ଆଦ୍ର ଜଳବାୟୁ ଅଂଚଳରେ ଦେଖାଯାଏ ଓ ଏହା ଓଦାଳିଆ ଓ ଛାଇଥିବା ସ୍ଥାନରେ ଏବଂ ବାଲିଆ ଦୋରସା ଓ କାଦୁଆ ଦୋରସା ମାଟିରେ ଭଲ ବଢିଥାଏ।

କିସମ:-

ଏହାର କିଛି ପ୍ରାମାଣିକ କିସମ ନାହିଁ, କିନ୍ତୁ ବାହ୍ୟତଃ ଏହା ତିନି ପ୍ରକାରର ଯଥା: ଧଳା, କଳା ଓ ନାଲି ତିହୁଡ଼ି ଓ ଔଷଧୀୟ ଗୁଣ ଦୃଷ୍ଟିରୁ ଧଳା ତିହୁଡ଼ି କୁ ସବୁଠାରୁ ଭଲ ବୋଲି ବିବେଚନା କରାଯାଏ।

ନର୍ସରୀ ପ୍ରସ୍ତୁତି:-

୧୦ ସେ.ମି-ବିଶିଷ୍ଟ କାଣ୍ଡ କଲମୀ ହେଉଛି ତିହୁଡ଼ି ଚାରା ତିଆରି କରିବାର ସର୍ବତ୍କୃଷ୍ଟ ପଦ୍ଧତି ଓ କଲମୀ ଗୁଡ଼ିକରେ ସର୍ବନିମ୍ନ ଦୁଇଟି ଗଣ୍ଠିଥିବା ଉଚିତ ଓ ଚେର ବାହାରିବା ପାଇଁ ଏହି କଲମୀ ଗୁଡ଼ିକୁ ଜରିମୁଣା, ପଟ୍ଟାଳି କିମ୍ବା ସିଧାସଳଖ ମିଷ୍ଟ ଚାମ୍ବର ରେ ଲଗେଇ ଦିଆଯାଏ ଓ ଜରିମୁଣା ରେ ସମାନ ଅନୁପାତର ବାଲି, ମାଟି ଓ ଗୋବର ଖତର ମିଶ୍ରଣକୁ ଭର୍ତି କରାଯାଏ ଓ ମାର୍ଚ୍ଚ – ଜୁନ ହେଉଛି ମିଷ୍ଟ ଚାମ୍ବରରେ ଚାରା ତିଆରି କରିବାର ସବୁଠାରୁ ଭଲ ସମୟ ଓ ଜୁଲାଇ ମାସରେ କାଣ୍ଡ କଲମୀ ଗୁଡ଼ିକୁ ଜମିରେ ବି ଲଗାଯାଇ ପାରେ ଓ ଚାରା ଗୁଡ଼ିକୁ ମଞ୍ଜିରୁ ମଧ୍ୟ ପ୍ରସ୍ତୁତ କରାଯାଇ ପାରେ, ଯେଉଁଥିରେ ମଞ୍ଜି ଗୁଡ଼ିକ ଏପ୍ରିଲ – ମେ ରେ ସଂଗ୍ରହ ହେବାପରେ ତୁରନ୍ତ ଜରିମୁଣାରେ ପକାଯାଇଥାଏ ଓ ଶଯ୍ୟାରେ ମଞ୍ଜି ପଡ଼ିବାର ୭ – ୧୦ ଦିନ ମଧ୍ୟରେ ଗଜା ବାହାରିଥାଏ।

ମଞ୍ଜି ପରିମାଣ ଓ ଉପଚାର :

୧ ହେକଟର ଜମିରେ ଚାରା ଲଗେଇବା ପାଇଁ ପ୍ରାୟ ୨ କି.ଗ୍ରା-ମଞ୍ଜି ଦରକାର ହୋଇଥାଏ ଓ ମଞ୍ଜି ଗୁଡ଼ିକୁ ୨୪ ଘଣ୍ଟା ପାଣିରେ ବତୁରେଇ ରଖିବା ପରେ ବାଲି କାଗଜରେ ଘଷି ବୁଣିଲେ ପ୍ରାୟ ୯୫ ପ୍ରତିଶତ ଗଜା ହୋଇଥାଏ।

ଜମି ପ୍ରସ୍ତୁତି ଓ ସାର ପ୍ରୟୋଗ:

ତିହୁଡ଼ି ଜଳ ଜମୁଥିବା ସ୍ଥାନ ପ୍ରତି ସମ୍ବେଦନଶିଳ ହୋଇଥିବାରୁ ମାଟିରେ ଉତ୍ତମରୂପେ ବାୟୁ ଚଳାଚଳ ଓ ଜଳ ନିଷ୍କାସନ କରିବା ପାଇଁ ଜମିକୁ ଭଲ ଭାବରେ ହଳକରି ପଟା ଦ୍ୱାରା ଦୁଇ ଥର ମଇ ମରାଯାଏ ଓ ଜୁନ ମାସରେ ଜମି ପ୍ରସ୍ତୁତି ସମୟରେ ହେକଟର ପିଛା ପ୍ରାୟ ୨ ଟନ ଗୋବର ଖତ ମାଟିରେ ମିଶାଯାଏ।

ପରିରୋପଣ ଓ ଉପଯୁକ୍ତ ବ୍ୟବଧାନ:

ଚେର ଥିବା କଲମୀ ବା ଚାରା ଗୁଡିକୁ ଭଲ ଭାବରେ ପ୍ରସ୍ତୁତ କରାଯାଇଥିବା ଜମିରେ ୩୦ ସେ ମି ଙ୍ଘ ୩୦ ସେ ମି  ଦୂରତାରେ ଲଗାଯାଏ ଓ ଏହିପରି ଭାବରେ ପ୍ରତି ହେକଟରରେ ପାଖାପାଖି ୧, ୧୦, ୦୦୦ ଚାରା ଲାଗିଥାଏ ଓ ଜମିରେ ପାଣିଠିଆହୋଇ ଚାରା ଗୁଡ଼ିକ ନମରିବା ପାଇଁ ତାହାକୁ ହୁଡ଼ା ଉପରେ ଲଗାଯାଏ।

ଆନ୍ତଃ ଫସଲର ବ୍ୟବସ୍ଥା:

ଏହା ଏକ ଛାୟାପ୍ରେମୀ ଆରୋହୀ ଓ ଗୁଡେ଼ଇହେବା ପାଇଁ ସାହାରା ଆବଶ୍ୟକ କରୁଥିବାରୁ ଏହାକୁ ବଗିଚାରେ ମଧ୍ୟରେ ବଡ ଗଛ ମୂଳରେ ବା ବାଡ଼-ବୁଦା ପାଖରେ ତଳଫସଲ ଭାବରେ ଲଗାଯାଏ।

ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ:

ଆଗରୁ କୁହାଯାଇଛି ଯେ ଜୁନ ମାସରେ ବର୍ଷା ପୂର୍ବରୁ ଜମି ପ୍ରସ୍ତୁତି ସମୟରେ ହେକଟର ପିଛା ପ୍ରାୟ ୨ ଟନ ଗୋବର ଖତ ମାଟିରେ ମିଶାଯାଏ, ଏହା ବ୍ୟତୀତ ଆଉକିଛି ସାର ଏଥିରେ ଦରକାର ହୁଏ ନାହିଁ ଓ ଚାରା ଲାଗିବା ପରେ ଏବଂ ପ୍ରତି ୧୫ ଦିନ ଅନ୍ତରରେ ହାତ ଦ୍ୱାରା ନିୟମିତ ଘାସ ବଛାବଛି କରାଯାଏ।

ଜଳସେଚନ:

ବର୍ଷା ଋତୁରେ ଜଳସେଚନ କ୍ୱଚିତ ଦରକାର ହୁଏ, କିନ୍ତୁ ଶୁଷ୍କ ସମୟରେ ଡିସେମ୍ବର – ଜାନୁଆରୀ ମାସ ଯାଏଁ ପାଞ୍ଚ ରୁ ସାତ ଦିନ ଅନ୍ତରରେ ଏଥିରେ ମଡ଼ା ପାଣି ଦିଆଯାଏ।

ଫସଲ ପରିପକ୍ୱତା ଓ ଅମଳ:

ଜମିରେ ଚାରା ଲଗାଯିବାର ୧୦ – ୧୨ ମାସ ପରେ ଏହାକୁ ଅମଳ କରାଯାଏ ଥାଏ ଓ ଗଛ ଗୁଡ଼ିକ ଶୁଷ୍କହେବା ଆରମ୍ଭ ହେଉଥିବାରୁ ମାର୍ଚ୍ଚ – ଏପ୍ରିଲ ହେଉଛି ଏହାର ଚେର, କାଣ୍ଡ ଓ ପତ୍ର ଅମଳ କରିବାର ସର୍ବୋତ୍କୃଷ୍ଟ ସମୟ।

ଅମଳ ପରର ପକ୍ରିୟାକରଣ:

ସଦ୍ୟ ସଂଗ୍ରହ କରାଯାଇଥିବା ଚେର ଗୁଡ଼ିକୁ ଭଲଭାବରେ ସ୍ୱଚ୍ଛ ପାଣିରେ ଧୁଆଯାଏ ଏବଂ ପ୍ରାରମ୍ଭରେ ଦୁଇ ରୁ ତିନି ଦିନ ଖରାରେ ଶୁଖାଯାଇ ପରେ ୧୦ ଦିନ ପର୍ଯ୍ୟନ୍ତ ଛାଇରେ ଶୁଖାଯାଏ, ଯେମିତିକି ତାହାର ଜଳୀୟଅଂଶ ୮ % ରୁ କମହେବ।

ଅମଳ ଓ ଲାଭ:

ତିହୁଡ଼ି ଚାଷରୁ ୧୦ ମାସ ପରେ ଏକ ହେକଟରରୁ ପ୍ରାୟ ୧୫୦୦କି-ଗ୍ରା- ଶୁଖିଲା ଚେର ଅମଳ କରାଯାଏ ଓ କାଣ୍ଡକୁ ଭବିଷ୍ୟତରେ ବଂଶ ବିସ୍ତାର ପାଇଁ ଛାଡ଼ି ଦିଆଯାଏ ଓ ପ୍ରଥମ ଫସଲରେ ହେକଟର ପିଛା ୫୦, ୦୦୦-୦୦ ଟଙ୍କା ନିବେଶ କରିବା ପାଇଁ ପଡେ଼, ଯାହାକି ପରବର୍ତ୍ତୀ ବର୍ଷ ମାନଙ୍କରେ ହେକଟର ପିଛା ୨୫, ୦୦୦-୦୦ ଟଙ୍କା ହୋଇଥାଏ କାରଣ ପରବର୍ତ୍ତୀ ଫସଲ ପାଇଁ ଦରକାର ହେଉଥିବା ଚାରା ବା ମଞ୍ଜି ପ୍ରଥମ ଫସଲରୁ ମିଳିଯାଇଥାଏ ଓ ଏଥିରୁ ଏକ ହେକଟରରୁ ପ୍ରାୟ ୯୦, ୦୦୦-୦୦ ରୁ ୧, ୦୫, ୦୦୦-୦୦ ଟଙ୍କା ଲାଭ ମିଳିଥାଏ।

-ନଳିନୀ କୁମାର ପଣ୍ଡା

ବନ ଗବେଷକ, ଓ-ୟୁ-ଏ-ଟି

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top