Home ଜିଲ୍ଲା ପରିକ୍ରମା ତିହିଡି ବ୍ଲକ୍ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀଙ୍କ ଦୁର୍ନୀତି ଜନିତ ଆୟ ବହିର୍ଭୁତ ସଂପତି ଠୁଳ...

ତିହିଡି ବ୍ଲକ୍ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀଙ୍କ ଦୁର୍ନୀତି ଜନିତ ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗ, ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀଙ୍କ ଗଣଧାରଣା

12

ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ୍ ଅଧ୍ୟକ୍ଷା ଅବନ୍ତୀ ଦାସ ଓ ତାଙ୍କ ସ୍ୱାମୀ ପ୍ରଫୁଲ୍ଲ ଦାସଙ୍କ ଦୁର୍ନୀତିଜନିତ ଆୟ ବର୍ହିଭୁତ ସଂପତି ଠୁଳ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବି ନେଇ ଆଜି ତଳକାଁପଡା ଗ୍ରାମବାସୀଙ୍କ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳପର୍ଯ୍ୟନ୍ତ ଗଣଧାରଣା ଦିଆଯାଇଥିଲା। ତେବେ ଗ୍ରାମବାସୀଙ୍କ ପକ୍ଷରୁ ଶୁକଦେବ ମଳିକ, କାଶୀନାଥ ଦାସ, ବାସୁଦେବ ଦାସ, ମେଘନାଦ ଦାସ, ସନ୍ତୋଷ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଦେଇଥିବା ଅଭିଯୋଗପତ୍ର ମୂଳେ ଅଧ୍ୟକ୍ଷା ଅବନ୍ତୀଙ୍କ ସ୍ୱାମୀ ପ୍ରଫୁଲ୍ଲ ଜଣେ ସୁସ୍ଥ ମଣିଷ ଥାଇ ସରକାରଙ୍କ ମିଛ ସାର୍ଟିଫିକେଟ୍ ଦେଇ ଭିନ୍ନକ୍ଷମ ଭତା ନେଉଛନ୍ତି। ସେ ପୂର୍ବରୁ କାଁପଡାର ଗାଁ ସାଥୀ ଥିଲେ। ଏହି ଗ୍ରାମର ଗ୍ରାମବାସୀମାନେ ନିଜସ୍ୱ ଶ୍ରମଦାନରେ ଯେଉଁ ପୋଖରୀ ଖୋଳିଥିଲେ ଅବନ୍ତୀ ଓ ତାଙ୍କ ସ୍ୱାମୀ ଚଂଚକତା କରି ଉକ୍ତ ପୋଖରୀ ବାବଦକୁ ୮ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ କରାଇ ନେଇଛନ୍ତି। ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ଗ୍ରାମରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାର ଆସୁଥିବା କାର୍ଯ୍ୟକୁ ଫଳକ ନଲଗାଇ ବ୍ଲକ୍ ପ୍ରଶାସନ ସହ ଚଂଚକତା କରି ନିମ୍ନମାନର କାର୍ଯ୍ୟ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଛନ୍ତି। ଅବନ୍ତୀ ବ୍ଲକ୍ ଅଧ୍ୟକ୍ଷା ହେବା ପରଠାରୁ ତାଙ୍କ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ନାମରେ ଦାବୀ ଚାରି ଚକିଆ ଓ ଦୁଇ ଚକିଆ ଗାଡି, ବିଭିନ୍ନ ସ୍ଥାନରେ ବଡ ବଡ କୋଠାଘର (ମିର୍ଜାପୁର ମୌଜାର ଖାତା ନଂ ୧୦୯୨/୫୭୫, ପ୍ଲଟ୍ ନଂ ୩୧୮୭/୩୨୦୬, ମୌଜା-କାଁପଡା, ଖାତା ନଂ ୨୭୮/୪୧୭, ପ୍ଲଟ୍ ନଂ ୧୭୬୯/୨୭୭୭) ମୂଲ୍ୟବାନ ପ୍ଲଟ୍ ଏବଂ ସମସ୍ତଙ୍କ ନାମରେ ବ୍ୟାଙ୍କ ବାଲାନ୍ସ ରହିଛି। ସେହିଭଳି ଅଧ୍ୟକ୍ଷା ଅବନ୍ତୀ ଦାସ ସରକାରଙ୍କ କାଳିଆ ଯୋଜନାରେ ଭୂମିହୀନ ଦର୍ଶାଇ ଉକ୍ତ ଟଙ୍କା ହଡପ କରିଛନ୍ତି। ଏ ସମସ୍ତ ବିଷୟରେ ଗ୍ରାମବାସୀଙ୍କ ମଧ୍ୟରୁ ଶୁକଦେବ ମଳିକ ଗତ ୨୦୨୪ ଜାନୁଆରୀ ମାସ ୮ ତାରିଖ ଦିନ ବାଲେଶ୍ୱରସ୍ଥିତ ଦୁର୍ନୀତି ନିର୍ବାରଣ ଅଧିକାରୀଙ୍କ ନିକଟରେ ଏହି ବିଷୟ ସମସ୍ତ ପ୍ରମାଣପତ୍ର ତଥ୍ୟ ସହ ଦେବା ପରେ ୧୦ ତାରିଖ ଦିନ ଉକ୍ତ କାର୍ଯ୍ୟାଳୟର ଚିଠି ନଂ ୧୫ ରେ ଭଦ୍ରକ ଜିଲାପାଳଙ୍କୁ ପତ୍ର ପଠାଯାଇଥିଲା। ଯାହା ଜିଲାପାଳଙ୍କ କାର୍ଯ୍ୟାଳୟର ସେଂଟ୍ରାଲ ଡାଏରୀରେ ସ୍ଥାନ ପାଇଥିଲା। ଏହାର ଆର.ପି.ଆଇ. ନଂ ୧୯୪ ଅଟେ। ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିଠି ନଂ ୨୩୧୭, ତା ୧୨.୦୩.୨୪ ରିଖରେ ଜିଲା ପଂଚାୟତରାଜ ବିଭାଗକୁ ତଦନ୍ତ ପାଇଁ ପଠାଯାଇଥିଲା। ଏହି ତଦନ୍ତ ବିଳମ୍ବ ହେବାରୁ ଅଭିଯୋଗକାରୀମାନେ ବାରମ୍ବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିଫଳ ହେବା ପରେ ଏଭଳି ଗଣଧାରଣା ଦେଇଥିବା ବିଷୟ ଜଣାପଡିଛି। ଏବଂ ଏହି ଅଭିଯୋଗ ଗୁଡିକର ଏକ ଉଚ୍ଚସ୍ତରୀୟ ତଦନ୍ତ ନକରିବା ପର୍ଯ୍ୟନ୍ତ ଅନଶନ ସହ ଧାରଣାରେ ବସିବାର ଚେତାବନୀ ଦିଆଯାଇଛି। ଏହି ଅଭିଯୋଗ ପତ୍ରର ଏକ ନକଲ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଜିଲା ପୁଲିସ୍ ଆରକ୍ଷୀ ଅଧୀକ୍ଷକ, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟକୁ ପଠାଯାଇଛି। ତେବେ ସର୍ବଶେଷ ସମ୍ବାଦ ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ ଖୁବଶୀଘ୍ର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବାପରେ ତାହା ପ୍ରତ୍ୟାହୃତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.