Home ଜିଲ୍ଲା ପରିକ୍ରମା ତିହିଡ଼ି ବିଷୁବ ସାଂସ୍କୃତିକ ସାମ୍ମୁଖ୍ୟ ପକ୍ଷରୁ ବିଷୁବ ଉତ୍ସବ, ମଣିଷ ନିଜ ଭିତରର ଅନ୍ଧକାରକୁ ଦୂର...

ତିହିଡ଼ି ବିଷୁବ ସାଂସ୍କୃତିକ ସାମ୍ମୁଖ୍ୟ ପକ୍ଷରୁ ବିଷୁବ ଉତ୍ସବ, ମଣିଷ ନିଜ ଭିତରର ଅନ୍ଧକାରକୁ ଦୂର କରି ଆଲୋକିତ କରିବା ବିଷୁବ ସଂକ୍ରାନ୍ତିର ମହତ୍ୱ

13

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବିଷୁବ ସାଂସ୍କୃତିକ ସାମ୍ମୁଖ୍ୟ ପକ୍ଷରୁ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲ ପରିସରରେ ବିଷୁବ ଉତ୍ସବ, କବିତା ପାଠ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗାଳ୍ପିକ ଡ. ଲକ୍ଷ୍ମୀଧର ତ୍ରିପାଠୀଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ଦେବେନ୍ଦ୍ର ପଣ୍ଡା ଯୋଗ ଦେଇ ସୂର୍ଯ୍ୟଙ୍କ ପରି ଆଲୋକିତ ହେବାକୁ ହେଲେ ମଣିଷ ନିଜ ଭିତରର ଅନ୍ଧକାରକୁ ଦୂର କରି ଆଲୋକିତ କରିବା ବିଷୁବ ସଂକ୍ରାନ୍ତିର ମହତ୍ୱ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ପବିତ୍ର ପାଣିଗ୍ରାହୀ ଯୋଗ ଦେଇ ବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରାର ଗୁରୁତ୍ୱ ବହନ କରେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ରୋଟାରିଆନ୍ ଅଭିଜିତ୍ ନାୟକ, ଶିକ୍ଷାବିତ୍ ସୋମନାଥ ପାଢ଼ୀ, ସାହିତ୍ୟିକ ବିଭୂତି ଭୂଷଣ ସେନାପତି, ଗୀତିକାର ପଂଚାନନ ନାୟକ ପ୍ରମୁଖ ଯୋଗ ଦେଇ ବିଷୁବ ସଂକ୍ରାନ୍ତିର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବିଷୁବ ସାମ୍ମୁଖ୍ୟର ସମ୍ପାଦକ ରଘୁନାଥ ପାତ୍ର ବିଷୁବ ସାମ୍ମୁଖ୍ୟର ଉତ୍ପତି ଓ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଏହି ଅବସରରେ କବିଶ୍ରୀ ଗୋଲକ ପ୍ରସାଦ ବୈୟାରୀ, କବି ମଥୁରା ମୋହନ ବେହେରା, ଆଲୋଚକ ନାରାୟଣ ଚନ୍ଦ୍ର ମାନଧାତା, ମନ୍ଦିର ଶିଳ୍ପୀ ରବିନ୍ଦ୍ର ବଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗାଳ୍ପିକ ମୁକ୍ତିକାନ୍ତ ନାୟକଙ୍କ ଗଳ୍ପ ପୁସ୍ତକ ‘ଭିଜା ଭିଜା ଜହ୍ନରାତି’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଯୁବ କବି ବିପ୍ଳବ ରଂଜନ ପତି ଓ କବି ଅମୂଲ୍ୟ କୁମାର ସେନାପତିଙ୍କ ସଂଯୋଜନାରେ ବହୁ କବି କବିତା ପାଠ କରିଥିଲେ । ସଦସ୍ୟ ସୀତାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ତିହିଡ଼ି ସଂଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ରଂଜନ ନାୟକଙ୍କ ତତ୍ୱାବଧାନରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଉପସ୍ଥିତ ସାହିତ୍ୟି ଓ କବିମାନଙ୍କୁ ପଣା ବଂଟନ କରାଯାଇଥିଲା । ଏହି ଉତ୍ସବରେ ସାହିତ୍ୟିକ ଭଗବାନ ଚନ୍ଦ୍ର ନାୟକ, ନାରାୟଣ ଚନ୍ଦ୍ର ବାରିକ, ସନ୍ନ୍ୟାସୀ ବ୍ରହ୍ମ, ନିର୍ମଳ ଦଳେଇ, ପି. ହୃଷିକେଶ, ବିଶ୍ୱମୈତ୍ରୀ ନାୟକ, ଚନ୍ଦ୍ରକାନ୍ତ ମହାନ୍ତି, ସୁଧାରଂଜନ ମହାନ୍ତି, ଜୟନ୍ତ ମହାନ୍ତି, ପୁଷ୍ପାଞ୍ଜଳି ତ୍ରିପାଠୀ ପ୍ରମୁଖଙ୍କ ସମେତ ବହୁ କବି ଓ ସାହିତ୍ୟିକ ଉପସ୍ଥିତ ଥିଲେ । ବିଷୁବ ସାମ୍ମୁଖ୍ୟ ପକ୍ଷରୁ ସରପଂଚ ଶୁଭ୍ରନାରାୟଣ ସେଠୀ, କୈଳାସ ବେହେରା, ନୀଳମାଧବ ସେନାପତି, ବିଷ୍ମୟବିହାରୀ ସାହୁ, ମନୋଜ ପାଣିଗ୍ରାହୀ, ନିରଂଜନ ବାରିକ, ବିଶ୍ୱଜିତ୍ ବେହେରା, ଯଯାତିକେଶରୀ ଦାସ, ଉମାକାନ୍ତ ଦାସ, କେଶବ ବେହେରା, ଅଜୟ ନାୟକ, ପ୍ରଶାନ୍ତ ବଳ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.