ad
ଅନୁଗୁଳ

ତାଳଚେର ଠାରେ ଏମସିଏଲ୍ ମେଡିକାଲ କଲେଜ ପ୍ରତିଷ୍ଠାରେ ବାଧକ ସାଜୁଛନ୍ତି ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

ତାଳଚେର ଏମସିଏଲ୍ ମେଡିକାଲ କଲେଜ ଏକାଡେମିକ ବ୍ଲକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ

– ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପକୁ ଅଟକେଇବାର ରାଜ୍ୟ ସରକାର ଅପଚେଷ୍ଟା କରୁଥିବା ବେଳେ ସେଥିରେ ମଧ୍ୟ ତାଳଚେର ମେଡିକାଲ କଲେଜ ଶୀକାର ହୋଇଛି

ତାଳଚେର, ୦୫ ମାର୍ଚ୍ଚ (ଓଡ଼ିଆ ପୁଅ) – ତାଳଚେର ଠାରେ ଏମସିଏଲ ମେଡିକାଲ କଲେଜ ପ୍ରତିଷ୍ଠାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି। ମେଡିକାଲ କଲେଜ କରିବାକୁ ହେଲେ ମେଡିକାଲ କାଉନସିଲକୁ ଦରଖାସ୍ତ କରିବାକୁ ପଡେ। ଏଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ପୂରା ହେବା ଦରକାର। ମାତ୍ର ଆବଶ୍ୟକ ପ୍ରମାଣପତ୍ରରେ ସରକାର ଦସ୍ତଖତ କରିନାହାନ୍ତି। ଏ ନେଇ କେନ୍ଦ୍ର ବାରମ୍ବାର ରାଜ୍ୟକୁ ଅବଗତ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେର ଠାରେ ଏମ୍ସିଏଲ୍ ସହାୟତାରେ ପ୍ରସ୍ତାବିତ ମହାନଦୀ ମେଡିକାଲ କଲେଜ(ଏମ୍ଆଇ୍ଏମ୍ଏସ୍ଆର୍) ଏକାଡେମିକ ବ୍ଲକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବା ସହ ଦୁଇଟି ପ୍ରକଳ୍ପର ଭିତିପ୍ରସ୍ତର କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଏହି ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଗୁଳ ତାଳଚେର ପ୍ରତି ବୈମାତୃକ ମନୋଭାବ ହିଁ ଦାୟୀ। ମେଡିକାଲ କଲେଜର ବିଲଡିଂ ପାଖାପାଖି ୬ ମାସ ହେବ ପ୍ରସ୍ତୁତ ଅଛି। ଏମସିଆଇକୁ ଦରଖାସ୍ତ କରିବା ପାଇଁ ଯେଉଁ ସାର୍ଟିଫିକେଟ ଦରକାର, ଏହାକୁ ସ୍ୱାସ୍ଥ୍ୟ ବିଭାଗ ପଠାଇ ସାରିବା ପରେ ବି ନବୀନ ବାବୁ ତାଙ୍କ ନିଜ ଦପ୍ତରରେ ଅକ୍ଟୋବର ମାସରୁ ଅଟକାଇ ରଖିଥିବା କାରଣରୁ ଏହି ମେଡିକାଲ କଲେଜ ଆରମ୍ଭ ହେବାର କାମ ଆଗକୁ ବଢିପାରୁନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।

ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପକୁ ଅଟକେଇବାର ରାଜ୍ୟ ସରକାର ଅପଚେଷ୍ଟା କରୁଥିବା ବେଳେ ସେଥିରେ ମଧ୍ୟ ତାଳଚେର ମେଡିକାଲ କଲେଜ ଶୀକାର ହୋଇଛି। ଏମସିଏଲର ଅର୍ଥରେ ୫୦୦ କୋଟି ଟଙ୍କାର ସିଏସଆର ଫଣ୍ଡରୁ ମେଡିକାଲ କଲେଜ କାମ ସଂପୂର୍ଣ୍ଣ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଏକ ପତ୍ର ଦେବାକୁ ପଡିବ। ମାତ୍ର ରାଜ୍ୟ ସରକାର କାହିଁକି ତାଳଚେର ଓ ଅନୁଗୁଳ ପ୍ରତି ବୈମାତୃକ ମନୋଭାବ କରୁଛନ୍ତି ଏବଂ ଓଡିଶାର ଗରିବଙ୍କ ପ୍ରତି କାହିଁକି ଦାଉ ସାଜୁଛନ୍ତି ଏହା ମୂଳ ପ୍ରସଙ୍ଗ ବୋଲି ସେ କହିଛନ୍ତି।

ରାଜ୍ୟ ସରକାରଙ୍କ ଦିନକାଳ ଶେଷ ହୋଇଆସିଲାଣି। ଲିଭିବାବେଳେ ଦୀପଟି ଜୋରରେ ଜଳେ। ଏଥିପାଇଁ ସେମାନେ ଅହଙ୍କାର ଦେଖାଉଛନ୍ତି। ରାଜ୍ୟ ସରକାର ଏହି ମେଡିକାଲକୁ ନଚଲେଇଲେ ଏମସିଏଲ ଜାତୀୟ ସ୍ତରର ଅନୁଷ୍ଠାନ ମାଧ୍ୟମରେ ଚଳାଇବ ବୋଲି ସେ କହିଛନ୍ତି।

୨୦୦୦ ମସିହାରୁ ବିଭିନ୍ନ ସମୟରେ ମେଡିକାଲ କଲେଜ୍ ହେବା ପାଇଁ ସ୍ଥାନୀୟ ଲୋକ ଦାବି ହେଉଥିଲା। ୨୦୧୪ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଓ କୋଲ ଇଣ୍ଡିଆ ଏବଂ ଏମସିଏଲ ମିଶି ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ମିଳିତ ବୁଝାମଣା କଲେ। ପରବର୍ତ୍ତୀ ଅବସ୍ଥାରେ ଏଠାରେ ମେଡିକାଲ କଲେଜ ପାଇଁ ଶୁଭ ଦିଆଯିବା ପରେ ମେଡିକାଲ କଲେଜ କିଏ ଚଲାଇବା ନେଇ ପ୍ରଶ୍ନ ଉଠିଥିଲା। ରାଜ୍ୟରେ ଅଧା ପଦବୀ ଡାକ୍ତର ଖାଲି ପଡିଛି। ରାଜ୍ୟରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ

ମୋଟ ତିନୋଟି ମେଡିକାଲ କଲେଜ ଥିବାବେଳେ ପରେ ଓଡିଶାରେ ଆଉ ୫ଟି ମେଡିକାଲ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହଯୋଗ ଦେଲେ। କୋରାପୁଟ, ପୁରୀ, ବଲାଙ୍ଗୀର, ବାଲେଶ୍ୱର, ମୟୁରଭଞ୍ଜରେ ମେଡିକାଲ କଲେଜ ଓ ଦୁଇ ତିନୋଟି ମେଡିକାଲ କଲେଜର ପିଏସୟୁ ମଧ୍ୟ ଦାୟିତ୍ୱ ନେଲେ ବୋଲି ସେ କହିଛନ୍ତି।

ମେଡିକାଲ କଲେଜ ସହ ଅନ୍ୟ ଦୁଇଟି ପ୍ରକଳ୍ପ ଏହା ସହ ଯୋଡି ମଧ୍ୟ ଆରମ୍ଭ କରାଯାଇଛି। ଏହି ମେଡିକାଲ କଲେଜ ପରିସରରେ ଗୋଟିଏ କ୍ୟାନସର ହସ୍ପିଟାଲର ମଧ୍ୟ ତିଆରି କରାଯିବ। ଏହାସହ ଏମ୍ସି୍ଏଲ୍ ତାଳଚେର ଷ୍ଟେସନରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଟଏଲେଟର କାମ ମଧ୍ୟ ହାତକୁ ନିଆଗଲା। ଏ ଅଂଚଳର ଅପେକ୍ଷାକୁ ପୂରଣ କରିଥିବାରୁ ଶ୍ରୀ ପ୍ରଧାନ ଏମସିଲକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ରାଜ୍ୟ ସରକାର ବିନା ଖାତା ଖତିଆନରେ କଳାହାଣ୍ଡିରେ ସର୍ଦ୍ଦାର ରାଜା ମେଡିକାଲ ଖୋଲିଥିଲେ। ସେ ମେଡିକାଲ କଲେଜରେ ବିନା ଅନୁମତିରେ ପିଲାଙ୍କୁ ଆଡମିସନ ଦିଆଗଲା। ଫଳରେ ପିଲାମାନଙ୍କୁ ହୀନସ୍ତା ହେବାକୁ ପଡିଲା। ଏହା ପରେ ରାଜ୍ୟ ସରକାର କଳାହାଣ୍ଡିରେ ମେଡିକାଲ କଲେଜ କରିବାର ନାଁ ଧରୁନାହାଁନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ ଚିକିତ୍ସା ସେବା ପାଇଁ ଅଧିକ ଡାକ୍ତରର ଆବଶ୍ୟକତା ରହିଛି। ଅନେକ ବେସରକାରୀ ଡାକ୍ତରଖାନା ମଧ୍ୟ ରହିଛି। ମାତ୍ର ରାଜ୍ୟରେ ଅଧା ଡାକ୍ତର ପଦବୀ ଖାଲି ପଡିଛି।

ନାଲକୋରେ ଗୋଟିଏ ଜାତୀୟ ସ୍ତରର ଏଲଭି ପ୍ରସାଦ ଅନୁଷ୍ଠାନ ୨୫ କୋଟି ଟଙ୍କା ଖର୍ଚ୍ଚ କରି ଚକ୍ଷୁ ହସ୍ପିଟାଲ ସିଏସଆର ପ୍ରକଳ୍ପ ପ୍ରଥମ ଥର ହେଲା। ଗରିବ ଲୋକମାନେ ବାହାର ରାଜ୍ୟକୁ ନଯାଇ ଏଠାରେ ସବୁ ଚିକିତ୍ସା ପାଇବାର ସୁବିଧା ପାଆନ୍ତୁ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାର ବିକାଶ ପାଇଁ ଡିଏମଏଫ ଫଣ୍ଡର ବ୍ୟବସ୍ଥା କଲେ। ଓଡିଶାରେ ଡିଏମଏଫରେ ୬ ହଜାର କୋଟି ଟଙ୍କା ଥିବାବେଳେ ଅନୁଗୁଳ ପାଇଁ କେବଳ ୯୦୦ କୋଟି ଟଙ୍କା ଅଛି। ରାଜ୍ୟ ସରକାର ଏହି ଟଙ୍କାରେ ପିଇବା ପାଣି, ପାଠପଢା ଓ ରୋଜଗାର ଓ ଅନ୍ୟାନ୍ୟ ମୌଳିକ ବ୍ୟବସ୍ଥାର ସମାଧାନ କଲେ ନାହିଁ ବୋଲି ସେ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top