Home Top News ତାଳିପକା ପ୍ରହସନ

ତାଳିପକା ପ୍ରହସନ

102

ପୂର୍ବତନ ମନ୍ତ୍ରୀ ତଥା ଶାସକ ବିଜୁ ଜନତା ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କ ପତ୍ନୀଙ୍କ ସ୍ୱାସ୍ଥବସ୍ଥା ଖରାପ ଥିବାରୁ ଭୁବନେଶ୍ୱରର ଗୋଟିଏ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଦେଖା କରିବାକୁ ୫ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ଓଏସଡି, ସରକାରଙ୍କ ଅନେକ ବରିଷ୍ଠ ମନ୍ତ୍ରୀ, ଅନେକ ନେତା ଯାଇ ହସ୍ପିଟାଲରେ ପହଁଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି। ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଅବିଶ୍ୱାସ କରିବାର କିଛି ନାହିଁ। ରାଜନୀତିରେ ସବୁକିଛି ସମ୍ଭବ। ଗତ କିଛି ବର୍ଷ ହେଲା ସଞ୍ଜୟ ବିଜୁ ଜନତା ଦଳରେ ଏକ ପ୍ରକାର ଅଲୋଡ଼ା ହୋଇ ରହିଥିଲେ। ଦଳର ସବୁ ପ୍ରକାର କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖା ଯାଉଥିଲା। ଏପରିକି ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପୁରୀରେ ଅନୁଷ୍ଠିତ ହେଇଥିଲେ ଭି ତାଙ୍କୁ ଅଲୋଡ଼ା କରି ଦିଆ ଯାଇଥିଲା। ତେଣୁ ତାଙ୍କୁ ପୁଣି ଗୁରୁତ୍ୱ ଦିଆ ଯିବା କି ପ୍ରକାର ରାଜନୀତି ତାହା ଅସ୍ପଷ୍ଟ ହେଲେ ମଧ୍ୟ ଏହି ଘଟଣା କିଛିଟା ଗୁରୁତ୍ୱବହନ କରୁଛି ଏଥିରେ ସନ୍ଦେହ ନାହିଁ।

ରାଜନୀତି କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ବା ଜାତିକୁ ନେଇ କରାଯାଏ ନାହିଁ। ସେଥିପାଇଁ ଜାନକୀ ପଟ୍ଟନାୟକଙ୍କ ପରି ରାଜନେତା ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁଇ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ଜଣେ ଖଣ୍ଡାୟତ (ବସନ୍ତ ବିଶ୍ୱାଳ) ଓ ଆଉ ଜଣେ ପଛୁଆ ବର୍ଗର (ହେମାନନ୍ଦ ବିଶ୍ୱାଳ)। ଓଡ଼ିଶାରେ ପ୍ରତିଟି ଦଳ ଏହାକୁ ଫୋକସ କରନ୍ତି। କାରଣ ଓଡ଼ିଶାରେ ସବୁ ଜାତିର ନିଜସ୍ୱ ଭୋଟ ବ୍ୟାଙ୍କ ଅଛି। ଏପରିକି ପ୍ୟାରୀ ମହାପାତ୍ର ଯେତେବେଳେ ବିଜେଡ଼ିର ମଙ୍ଗ ଧରିଥିଲେ ସବୁ ଜାତିର ନେତାକୁ ଗୁରୁତ୍ୱ ଦେଉଥିଲେ। ମାତ୍ର ଏବେ ବିଜେଡ଼ିରେ ସେଇ ପରମ୍ପରା ଆଉ ନାହିଁ। ସଞ୍ଜୟ ଦାସବର୍ମାଙ୍କୁ କେଉଁ କାରଣରୁ ଅଲୋଡ଼ା କରାଗଲା ତାହା ଅସ୍ପଷ୍ଟ। ସେ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ। ୨୦୧୯ରେ ବ୍ରହ୍ମଗିରିରୁ ହାରିବା ପରେ ତାଙ୍କୁ ଯୋଜନାବୋର୍ଡ ଅଧ୍ୟକ୍ଷ କରାଯାଇଥିଲା। ମାତ୍ର ପରେ ତାଙ୍କୁ ଏଥିରୁ ବାହାର କରିଦିଆଯାଇଥିଲା। ରାଜନୀତିର ଚକ୍ରାନ୍ତରର ଶିକାର ହେଲେ ବୋଲି ତାଙ୍କ ସମର୍ଥକମାନେ କହିଲେ। କିନ୍ତୁ କୋଉ ପ୍ରକାର ଚକ୍ରାନ୍ତ ତାହା ବିଚାରକୁ ନେବା ନିହାତି ଜରୁରୀ। ସଞ୍ଜୟ ଦାସବର୍ମା ଗୋଟିଏ ନିର୍ଦ୍ଧିଷ୍ଟ ଜାତିକୁ ପ୍ରତିନିଧିତ୍ୱ କରନ୍ତି। ସିଏ ଆଜି ଦଳରେ ଅବହେଳିତ। ତାଙ୍କ ପୂର୍ବରୁ ସେହି ଜାତିକୁ ପ୍ରତିନିଧିତ୍ୱ କରୁଥିବା ଅନେକ ନେତା ଏବେ ଦଳରେ ଅବହେଳିତ।

ବିଜେଡ଼ିର ଏହି ଅଗଣତାନ୍ତ୍ରିକ ପରିଚାଳନର ଫାଇଦା ନେବା ପାଇଁ ଏବେ ଫୁଲଦମରେ ଲାଗିପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେଡ଼ିର ଯେଉଁ ନିର୍ଦ୍ଧିଷ୍ଟ ଜାତିର ନେତା ଏବେ ଅବହେଳିତ ସେଇ ଜାତିକୁ ପ୍ରତିନିଧିତ୍ୱ କରୁଛନ୍ତି ଧର୍ମେନ୍ଦ୍ର। ଏହାର ଆଭାସ ବିଜେଡ଼ି ଉପର ମହଲା ଅନୁଭବ କରିସାରିଲେଣି। ୨୦୨୪ ନିର୍ବାଚନୀ ବୈତରଣୀ ପାର କରିବା ଆଜିକା ଦିନରେ ବିଜେଡ଼ି ପାଇଁ ବହୁତ ମୁସ୍କିଲ। ଧର୍ମେନ୍ଦ୍ର ଓଡ଼ିଶାରୁ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିବା ସଂକେତ ଦେଇ ସାରିଲେଣି। ତେଣୁ ଏ ସଂକଟରୁ ବଂଚିବା ପାଇଁ ଏ ତଳିପକା ପ୍ରହସନ। କେତେ ଦୂର କାର୍ଯ୍ୟକାରୀ ତାହା ଭବିଷ୍ୟତ କହିବ।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.