Home ଜିଲ୍ଲା ପରିକ୍ରମା ଢାବାରେ ଖାଉଥିବା ପିତା ଝଗୁଡି ୬ ତାରିଖରୁ ନିଖୋଜ, ପୁତ୍ର ଯଶୋବନ୍ତ ୭ ଦିନ ହେଲା...

ଢାବାରେ ଖାଉଥିବା ପିତା ଝଗୁଡି ୬ ତାରିଖରୁ ନିଖୋଜ, ପୁତ୍ର ଯଶୋବନ୍ତ ୭ ଦିନ ହେଲା ପିତାର ସନ୍ଧାନ ପାଇଁ ଭଦ୍ରକରେ ଘୁରିବୁଲୁଛି

152

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ମହାମାରୀ କରୋନା ଆମ ପରିବାରକୁ ଛାରଖାର କରିଦେଇଛି ଆଜ୍ଞା । ଘରେ ଥିବା ରୋଗିଣା ବୃଦ୍ଧ ପିତା-ମାତା ଓ ଦୁଇଭଉଣୀ ଚଳିବା ପାଇଁ ମୁଁ ସୁବର୍ଣ୍ଣପୁର ଜିଲାର ଟିକିରାପଡା ଛାଡି ସୁଦୂର ସିକନ୍ଦରାବାଦ ଚାଲିଯାଇଥିଲି । ସେଠାରେ ଯାହା ରୋଜଗାର କରେ, ଖାଇପିଇ ଗାଁକୁ ପଠାଇଲେ ମୋ ପରିବାର ଚଳିଥାଏ । ହେଲେ କରୋନା ଯୋଗୁଁ ମୁଁ ଗାଁକୁ ଚାଲିଆସିଲି । କଂପାନୀ ଏବେ ମୋତେ ନେଇଯିବା ପାଇଁ କି ବେଳରେ ବସ୍ ପଠାଇଲା ଯେ ସାଙ୍ଗରେ ମୁଁ ନେଉଥିବା ପିତା ଓ ଦୁଇଭଉଣୀ ଭଦ୍ରକରେ ପହଞ୍ôଚ ଏକ ଢାବାରେ ଖାଉଥିବାବେଳେ ବାପାକୁ ଆଉ ଖୋଜି ପାଉନାହୁଁ । ଏବେ ଆମକୁ ମା’ ସମଲେଇ ଭରସା’ ବୋଲି ଆଜି ଭଦ୍ରକ ସହରର ଗଳିକନ୍ଦିରେ ନିଜ ବୃଦ୍ଧ ପିତାଙ୍କୁ ଖୋଜି ବୁଲୁଥିବା ପୁତ୍ର ଯଶୋବନ୍ତ ଲୁହ ଛଳଛଳ ଆଖିରେ ଏ ପ୍ରତିନିଧିକୁ କହିଛି । ଏଭଳି ଦୁଃଖଦ ଘଟଣାଟି ଏହିପରି । ଆମ ରାଜ୍ୟର ସୁଦୂର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅଧୀନସ୍ଥ ଟିକିରାପଡାରେ ଝଗୁଡି ଛତ୍ରିଆଙ୍କ ଘର । ସଂପତ୍ତି ବୋଲି ସେମିତି କିଛି ନାହିଁ । ପରିବାର କହିଲେ ନିଜର ପୁତ୍ର ଓ ଦୁଇ କନ୍ୟା । ପୁତ୍ର ଯଶୋବନ୍ତ ନିଜ ପରିବାର ପ୍ରତିପୋଷଣ ପାଇଁ ସୁଦୂର ସିକନ୍ଦରାବାଦ ଚାଲିଯାଇଥିଲେ କାମ କରିବାକୁ । ସେଠାରେ ରହିବା ମଧ୍ୟରେ ନିଜେ ଚଳି ଯାହାକିଛି ବଳକା ଟଙ୍କା ଘରକୁ ପଠାଏ, ସେଥିରେ ପରିବାର ଚଳେ । ହେଲେ ମହାମାରୀ କରୋନା ଯୋଗୁଁ ସେ ଅନ୍ୟମାନଙ୍କ ସହ ଗାଁକୁ ପଳାଇ ଆସିଥିଲା । ଏବେ କରୋନା ଜନିତ ସରକାରୀ ନୀତି ନିୟମ ଓ କଟକଣା କୋହଳ ହେବା ପରେ ସିକନ୍ଦରାବାଦର ସଂପୃକ୍ତ କଂପାନୀ ଓଡ଼ିଶାକୁ ଚାଲିଆସିଥିବା ଶ୍ରମିକଙ୍କୁ ପୁଣି ଫେରାଇ ନେବାପାଇଁ ଏଭି-୨୯-୭୨୬୭ ନମ୍ବରର ମୋନାଲିସା ନାମକ ଏକ ବସ୍ ପଠାଇ ଶ୍ରମିକ ପିଛା ଏକ ହଜାର ଟଙ୍କା ଲେଖାଏଁ ବାଟ ଖର୍ଚ୍ଚ ଦେଇଥିଲା । ଯେଉଁଥିରେ ଗତ ୫ ତାରିଖ ଦିନ ଯଶୋବନ୍ତ ନିଜ ପିତା ଝଗୁଡି ଓ ଦୁଇ ଭଉଣୀଙ୍କ ସହ ଯାତ୍ରା ଆରମ୍ଭ କରିଥିଲା ।

ବସ୍‌ଟି ସୁବର୍ଣ୍ଣପୁର ଆସିବା ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ଶ୍ରମିକମାନେ ନିର୍ଦ୍ଦିଷ୍ଟ ଛକରୁ ବସ୍‌ରେ ଉଠିଥିଲେ । ଏପରିକି ଭଦ୍ରକରୁ ମଧ୍ୟ କିଛି ଲୋକ ସେଥିରେ ନଳାଙ୍ଗ ନିକଟରେ ୬ ତାରିଖ ଦିନ ସକାଳେ ଉଠିଥିଲେ । ବସ୍‌ଟି ନଳାଙ୍ଗ ନିକଟରେ ଅଟକିଥିବାବେଳେ ସେଥିରେ ଥିବା ଶ୍ରମିକମାନେ ପାଖରେ ଥିବା ଏକ ଢାବାରେ ଖାଇଥିଲେ । ଇତିମଧ୍ୟରେ ଯଶୋବନ୍ତର ଦୁଇ ଭଉଣୀ ଖାଇବାକୁ ନଆସି ବସ୍‌ରେ ରହିଯାଇଥିବାରୁ ଯଶୋବନ୍ତ ନିଜ ପିତା ଉକ୍ତ ଢାବାରେ ଖାଉଥିବାବେଳେ ଜଳଖିଆ ଆଣିବା ପାଇଁ ନଳାଙ୍ଗ ଛକକୁ ଯାଇଥିଲା । ମାତ୍ର ଫେରିଆସି ବସ୍‌ରେ ପିତାଙ୍କୁ ନପାଇ ଉକ୍ତ ଢାବାକୁ ଫେରି ସେଠାରେ ମଧ୍ୟ ନଥିବାର ଦେଖିଥିଲା । ଏହାଜାଣି ସମସ୍ତ ବସ୍ ଯାତ୍ରୀ ଓ ସ୍ଥାନୀୟ ଅଂଚଳର କିଛି ଲୋକ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରି ମଧ୍ୟ ଝଗୁଡିଙ୍କର କୌଣସି ସନ୍ଧାନ ନପାଇବାରୁ କଂପାନୀ କର୍ତ୍ତୃପକ୍ଷ ମୋବାଇଲ୍‌ରୁ ସମସ୍ତ ବିଷୟ ଜାଣି ଏ ସଂପର୍କରେ ସ୍ଥାନୀୟ ଥାନାରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ ଯଶୋବନ୍ତଙ୍କୁ । ଫଳରେ ଯଶୋବନ୍ତ ଭଉଣୀମାନଙ୍କ ସହ ସେଠାରେ ରହିଯାଇଥିଲା । ଏହାପରେ ବସ୍‌ଟି ସିକନ୍ଦରାବାଦ ଚାଲିଯିବାପରେ ସନ୍ଧ୍ୟା ହୋଇଥିବାରୁ ଯଶୋବନ୍ତ ଓ ତାର ଭଉଣୀକୁ ସ୍ଥାନୀୟ ଅଂଚଳର ଜଣେ ଦରଦୀ ମଣିଷ ଘରେ ରଖାଇ ଖାଇବାକୁ ଦେଇଥିଲେ । ସକାଳୁ ଯଶୋବନ୍ତ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ପତ୍ର ଦେଇ ଦୁଇ ଭଉଣୀଙ୍କୁ ନେଇ ନିଜ ଗାଁରେ ଛାଡିଥିଲା । ସେହିଦିନରୁ ଯଶୋବନ୍ତ ପାଗଳ ପଳି ନିଜ ପିତାଙ୍କୁ ଭଦ୍ରକରେ ଖୋଜୁଛି । ହେଲେ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇନାହିଁ । ଏ ଦିଗରେ ତାକୁ ସ୍ଥାନୀୟ ପୁଲିସ୍ ସହାୟତା କଲେ ହୁଏତ ସେ ନିଜ ପିତାଙ୍କ ସନ୍ଧାନ ପାଆନ୍ତା ବୋଲି ଛଳଛଳ ଆଖିରେ ସମସ୍ତଙ୍କୁ ଗୁହାରି କରୁଛି । ଏଣୁ ଗ୍ରାମାଞ୍ଚଳ ଥାନା ପୁଲିସ୍ ଏ ଦିଗରେ ଯଶୋବନ୍ତଙ୍କୁ ସହାୟତା କଲେ ହୁଏତ ଉଜୁଡା ସଂସାରଟି ସଜାଡି ଯାଆନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.