Home ଜିଲ୍ଲା ପରିକ୍ରମା ଡାକ୍ତର ହରେକୃଷ୍ଣ ନାୟକ ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ସଭାପତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ଡାକ୍ତର ହରେକୃଷ୍ଣ ନାୟକ ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ସଭାପତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

10

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ଆଗାମୀ ବର୍ଷ ନିମନ୍ତେ ଭାରତୀୟ ଚିକିତ୍ସକ ସଂଘ ରାଜ୍ୟ ସଭାପତି ଭାବେ ହାକ୍ତର ହରେକୃଷ୍ଣ ନାୟକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନୀ ପ୍ରକ୍ରିୟାରେ ସଭାପତି ଭାବେ ସେ ଏକମାତ୍ର ପ୍ରାର୍ଥୀ ଥିବାରୁ ତାଙ୍କ ନାମ ସଭାପତି ଭାବେ ଘୋଷଣା କରାଯାଇଛି । ଚାରି ଦଶନ୍ଧି ପୂର୍ବେ ଡାକ୍ତର ହରେକୃଷ୍ଣ ନାୟକ ଭଦ୍ରକରେ ପ୍ରଥମ ନର୍ସିଂହୋମ ଏବଂ ପ୍ରଥମ ଅଲଟ୍ରା ସାଉଣ୍ଡ କ୍ଳିନିକ ପ୍ରତିଷ୍ଠା କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ମାଇଲଖୁଂଟ ପ୍ରତିଷ୍ଠା କରିଥିଲେ । ସେହି ସମୟରେ ସେ ଭାରତୀୟ ଚିକିତ୍ସକ ସଂଘର ଶାଖା ଭଦ୍ରକରେ ପ୍ରତିଷ୍ଠା କରି ଖ୍ୟାତି ଅର୍ଜନ କରିଥିଲେ । ତାଙ୍କରି ପ୍ରେରଣାରେ ଆଜି ଭଦ୍ରକ ଶାଖାର ୧୫୦ରୁ ଊର୍ଦ୍ଧ୍ୱ ଡାକ୍ତର ଆଜୀବନ ସଦସ୍ୟ ହୋଇ ପାରିଛନ୍ତି । ସେ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଭଦ୍ରକ ଶାଖାର ସଂପାଦକ, ଏବଂ ରାଜ୍ୟ ଉପସଭାପତି ଏବଂ ଯୁଗ୍ମ ସଂପାଦକ ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିଛନ୍ତି । ତାଙ୍କର ନିରବଚ୍ଛିନ୍ନ ସେବା ଓ ସାଧନା ନିମନ୍ତେ ଭାରତୀୟ ଚିକିତ୍ସକ ସଂଘର ରାଜ୍ୟ ଏବଂ ଜାତୀୟସ୍ତରରେ ଜୀବନବ୍ୟାପୀ ସେବା ସମ୍ମାନ ଲାଭ କରିଛନ୍ତି । ଡାକ୍ତର ହରେକୃଷ୍ଣ ନାୟକଙ୍କ ନେତୃତ୍ୱରେ କରୋନା ମହାମାରୀ ସମୟରେ ଭାରତୀୟ ଚିକିତ୍ସକ ସଂଘର, ଭଦ୍ରକ ଶାଖା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପଚାଶ ହଜାର ଟଙ୍କା, ପିଏମ୍ କେୟାର ପାଣ୍ଠିକୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ଏବଂ ଭଦ୍ରକର ବିଭିନ୍ନ ଅଂଚଳରେ ବାରଟି ଶିବିର ଆୟୋଜନ କରି ଅନ୍ୟୁନ ପାଂଚଶହ ଅସହାୟ ବ୍ୟକ୍ତିଙ୍କୁ ନଗଦ ରାଶି ପ୍ରଦାନ କରିଥିଲା । ଏଥି ସହିତ ଭଦ୍ରକ ଶାଖା ତରଫରୁ ସ୍ୱତନ୍ତ୍ର ସମାରୋହରେ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ସଂବର୍ଦ୍ଧିତ କରାଯାଇଥିଲା । ଆହୁରି ମଧ୍ୟ ଭଦ୍ରକ ଶାଖା ତରଫରୁ ଭଦ୍ରକ ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଜଣେ ସମାଜସେବୀ ଭାବେ ଡାକ୍ତର ହରେକୃଷ୍ଣ ନାୟକ ରାଜ୍ୟର ଜଣେ ଜଣାଶୁଣା ବ୍ୟକ୍ତି ଭାବରେ ସୁପରିଚିତ । ଭଦ୍ରକରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଜରାନିବାସରେ ଆଜି ୨୫ ଜଣ ଅସହାୟ ବୃଦ୍ଧ/ବୃଦ୍ଧା ରହୁଛନ୍ତି । ସେମାନଙ୍କର ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଯାବତୀୟ ଯତ୍ନ ଅତି ନିପୁଣତାର ସହିତ ଅନୁଶୀଳନ କରାଯାଇଥାଏ । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦିଗରେ ତାଙ୍କର ବିଶେଷ ଅବଦାନ ଅବଶ୍ୟ ଅବିସ୍ମରଣୀୟ । ଭଦ୍ରକର ବହୁ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ସହିତ ସେ ଅନ୍ତରଙ୍ଗ ଭାବେ ଜଡିତ ଅଛନ୍ତି । ୨୦୨୬ ମସିହା ଫେବୃୟାରୀ ୧୪ ତାରିଖରେ ଭାରତୀୟ ଚିକିତ୍ସକ ସଂଘର ଅଧୁନା ସଭାପତି ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ । ଏହି ଉପଲକ୍ଷେ ବିଭନ୍ନ ମହଲରୁ ଡାକ୍ତର ନାୟକଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି । ଖ୍ୟାତନାମା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଳ ସୁଧୀର କୁମାର ନାୟକ,ଭଦ୍ରାଣୀର ପ୍ରତିଷ୍ଠାତା ସଭାପତି ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଗାନ୍ଧି ବିଚାର ମଂଚର ସଭାପତି ଶାନ୍ତନୁ କୁମାର ରାଉତ, ସଂପାଦକ ସୁଧାକର ରାଉତ ପ୍ରମୁଖ ଡାକ୍ତର ନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.