Home ଜିଲ୍ଲା ପରିକ୍ରମା ଡହଡହ ଖରାକୁ ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସମସ୍ୟା, ଆଖଣ୍ଡଳମଣିପୀଠରେ ନଳକୂପ ଅଚଳ, ପିଇବା...

ଡହଡହ ଖରାକୁ ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସମସ୍ୟା, ଆଖଣ୍ଡଳମଣିପୀଠରେ ନଳକୂପ ଅଚଳ, ପିଇବା ପାଣି ପାଇଁ ଡହଳବିକଳ ଆଗନ୍ତୁକ ଭକ୍ତ, ମାସେ ହେଲା ପ୍ରଦୂଷିତ ଶିବଗଙ୍ଗା ପୁଷ୍କରିଣୀ ଜଳରେ ଚାଲିଛି ମଣିବାବାଙ୍କ ନୀତିକାନ୍ତି

7

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରୀଷ୍ମ ପ୍ରାରମ୍ଭରୁ ଡହଡହ ଖରାକୁ ଉତାପ ବଢିବାରେ ଲାଗିଛି। ତାହାସାଙ୍ଗକୁ ଅସହ୍ୟ କରୁଛି ଗୁଳୁଗୁଳି ଗରମ। ଏହାରି ଭିତରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠରେ। ଗ୍ରୀଷ୍ମୠତୁର ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା କରିବା ସହ ଅଚଳ ନଳକୂପ ଓ ଉଠା ସେଚପଏଂଟ ଗୁଡିକୁ ତୁରନ୍ତ ମରାମତି ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇଥାଏ। ଏପରିକି ଗ୍ରୀଷ୍ମ ମୁକାବିଲା ପାଇଁ ଟିମ ଗଠନ କରାଯାଇ ସାଧାରଣ ଲୋକଙ୍କ ପାଖରେ କିପରି ପିଇବା ପାଣି ପହଁଚିବ ସେଥିପାଇଁ ଟ୍‌ଯାଙ୍କର ବ୍‌ଯବସ୍ଥା କରାଯାଇଥାଏ। ହେଲେ ଗତ ୧ ମାସ ହେବ ଆରଡି ପୀଠରେ ଅନେକ ନଳକୂପ ଅଚଳ ହୋଇପଡିଥିବା ବେଳେ ମଣିବାବାଙ୍କ ମନ୍ଦିର ବେଢାରେ ଥିବା ନଳକୂପଟି ସମ୍ପର୍ଣ୍ଣ ଭାବେ ଅକାମୀ ହୋଇ ପଡିଛି। ଫଳରେ ମଣିବାବାଙ୍କର ଏବେ ଚାଲିଥିବା ବୈଶାଖବ୍ରତରେ ଶୀତଳ ଉପଚାର ନୀତି ସହ ଦୈନନ୍ଦିନ ନୀତିକାନ୍ତି ପ୍ରଦୂଷିତ ଶିବଗଙ୍ଗା ପୁଷ୍କରିଣୀ ଜଳରେ କରାଯାଉଛି। ଯାହାକୁ ନେଇ ଅସନ୍ତୋଷ ବ୍‌ଯକ୍ତ କରିଛନ୍ତି ମନ୍ଦିରର ସେବାୟତ ଓ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ। ପୂର୍ବରୁ ଶିବଗଙ୍ଗା ପୁଷ୍କରିଣୀ ଜଳରେ ମଣିବାବାଙ୍କର ଜଳାଭିଷେକ ନୀତି ସହ ସମସ୍ତ ନୀତିଭୋଗ ପ୍ରସ୍ତୁତି ଓ ନୀତିକାନ୍ତି ହୋଇ ଆସୁଥିଲା। ହେଲେ କିଛିବର୍ଷ ହେବ ଶିବଗଙ୍ଗା ପୁଷ୍କରିଣୀ ମଧ୍ୟକୁ ନଦୀର ପାଣି ଠିକ ଭାବେ ଆସୁନଥିବାରୁ ପୁଷ୍କରିଣୀର ଜଳ ଦିନକୁଦିନ ପ୍ରଦୂଷିତ ହେବାରେ ଲାଗିଛି। ଗତକିଛିମାସ ହେବ ଶିବଗଙ୍ଗା ପୁଷ୍କରିଣୀର ପୁନରୁଉଦ୍ଧାର କରାଯିବା ସହ ଚତୁଃପାର୍ଶ୍ୱକୁ ସାଜସଜା କରାଯାଇଛି। ହେଲେ ପୁଷ୍କରିଣୀ ମଧ୍ୟରେ ଥିବା ପଙ୍କ ଉଦ୍ଧାର କରାଯାଇନଥିବାରୁ ଏବେ ପୁଷ୍କରିଣୀର ଜଳ କଳା ପଡିଯିବା ସହ ଅପରିଷ୍କାର ଜିନିଷମାନ ଭାସୁଛି। ଯାହା ନୀତିକାନ୍ତି ଓ ଜଳାଭିଷେକ ନିମନ୍ତେ ଅନୁପଯୋଗୀ ହୋଇପଡିଛି। ଅନ୍ୟପଟେ ମଣିବାବାଙ୍କ ଦୈନନ୍ଦିନ ଜଳସେବା ଓ ନୀତିଭୋଗ ପ୍ରସ୍ତୁତ ନିମନ୍ତେ ଏକ ସ୍ୱତ୍ୱନ୍ତ୍ର ବରୱେଲ (ଉଠା ଜଳ) ସେଚ ପଏଂଟ କରାଯାଇଥିଲେ ମଧ୍ୟ ଭୂତଳ ଜଳରାଶି କମ ପଡିବାରୁ ତାହା ହେବେ ସମ୍ପୁର୍ଣ ଭାବେ ଅକାମୀ ହୋଇପଡିଛି। ଫଳରେ ସେବାକାରୀମାନେ ବାଧ୍ୟ ହୋଇ ପ୍ରଦୂଶିତ ଶିବଗଙ୍ଗା ପୁଷ୍କରିଣୀ ଜଳ ଆଣି ସମସ୍ତ ନୀତିକାନ୍ତି ସମାପନ କରୁଛନ୍ତି। ଏପଟେ ପୀଠରେ ଥିବା ହାତଗଣତି ନଲକୂପ ମଧ୍ୟରୁ ୨ଦ୩ନଳକୂପ ଅଚଳ ହୋଇ ପଡି ରହିଥିବା ବେଳେ ଯେଉଁ ନଳକୂପ ସଚଳ ଅଛି ଭୂତଳ ଜଳରାଶି ହ୍ରାସ ଯୋଗୁ କେଁଠି ହଳଦି ଲୁଣି ପାଣି ବାହାରୁଛି ତ ଆଉ କେଉଁଠି ଘଂଟାଘଂଟା ଧରି ଚଳାଇଲା ପରେ ପାଣି ମୁନ୍ଦାଏ ବାହାରୁଛି। ପୀଠରେ ଥିବା ମଧୁରଜଳ ପ୍ରକଳ୍ପରୁ ଆସୁଥିବା ପାଣି ଅନେକ ସାହିକୁ ଯାଉନଥିବାରୁ ପିଇବା ପାଣି ପାଇଁ ସ୍ଥାନୀୟ ଅଧିବାସୀଙ୍କ ସହ ଆଗନ୍ତୁକ ଶ୍ରଦ୍ଧାଳୁଭକ୍ତମାନେ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି। ପ୍ରଶାସନିକ ସୂଚନା ଅନୁଯାୟୀ ପୀଠରେ ମେଗା ପ୍ରକଳ୍ପ ପାଣି ଆସିବାକୁ ଆହୁରି କିଛିମାସ ଲାଗିବ। ପୀଠରେ ଆବଶ୍ୟକ ଅନୁଯାୟୀ ପିଇବା ପାଣି ଯୋଗାଇ ଦେବା ସହ ଅଚଳ ହୋଇପଡିଥିବା ନଳକୂପ ଗୁଡିକୁ ମରାମତି କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.