Home ଓଡ଼ିଶା ଜୟଶ୍ରୀ ମିଶ୍ର ହତ୍ୟା ଘଟଣା : ଡିଏନ୍ ଏ ପରୀକ୍ଷା ପାଇଁ ଭାଇ ଭଉଣୀଙ୍କର ରକ୍ତ...

ଜୟଶ୍ରୀ ମିଶ୍ର ହତ୍ୟା ଘଟଣା : ଡିଏନ୍ ଏ ପରୀକ୍ଷା ପାଇଁ ଭାଇ ଭଉଣୀଙ୍କର ରକ୍ତ ନମୁନା ସଂଗ୍ରହ

218

ସମ୍ବଲପୁର, ୧ା୮(ଓଡ଼ିଆ ପୁଅ)-ସମ୍ବଲପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ନନ୍ଦପଡାର ଜୟଶ୍ରୀ ମିଶ୍ରଙ୍କ ମୃତାବଶେଷ ମିଳିବା ପରେ ଟାଉନ ଥାନା ପୋଲିସ ପକ୍ଷରୁ ଡିଏନ୍ ଏ ପରୀକ୍ଷା ପାଇଁ କୋର୍ଟ ନିକଟରେ ଅନୁମତି ଲୋଡା ଯାଇଥିଲା। ଏସଡିଜେଏମ କୋର୍ଟ ଅନୁମତି ଦେବା ପରେ ଦୁଇ ଭାଇଭଉଣୀଙ୍କ ଠାରୁ ଲିଖିତ ଭାବେ ସହମତି ନିଆଯାଇଛି। ଏହା ପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସମନ୍ୱିତ ପରୀକ୍ଷାଗାରରେ ଭୁବନେଶ୍ୱରରୁ ଆସିଥିବା ରକ୍ତ ନମୁନା କିଟ ସାହାଯ୍ୟରେ ଉଭୟଙ୍କ ଠାରୁ ୩ ମିଲି ଲେଖାଏଁ ରକ୍ତ ସଂଗ୍ରହ କରାଯାଇଛି। ତିନୋଟି ଫର୍ମରେ ରିକ୍ୟୁଜେସନ କରାଯାଇଥିବା ବେଳେ ଡାହାଣ ହାତର ଅଙ୍ଗୁଳିରୁ ଗୁରୁବାର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଦୁଇ ଜଣ ସାକ୍ଷ୍ୟଙ୍କ ଉପସ୍ଥିତିରେ ଏହା ସଂଗ୍ରହ ହୋଇଥିବା ବେଳେ ତାହାକୁ ଭୁବନେଶ୍ୱର ସହର ରସୁଲଗଡ ସ୍ଥିତ ଫୋରେନ୍ସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି। ୧୫ ଦିନ ମଧ୍ୟରେ ଏହାର ରିପୋର୍ଟ ଆସିବ। ଏହି ସଂଗ୍ରହ ପ୍ରକ୍ରିୟାରେ ଟାଉନ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦୋରା ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ରକ୍ତ ନମୁନା ସଂଗ୍ରହ ପରେ ଅଭିଯୋଗକାରିଣୀ ବିଜୟନୀ ମିଶ୍ର ଓ ତାଙ୍କ ଭାଇ ଭବାନୀ ଶଙ୍କର ମିଶ୍ର କହିଛନ୍ତି ଯେ, ନ୍ୟାୟିକ ପ୍ରକ୍ରିୟାରେ ଏହି ଡିଏନଏ ରିପୋର୍ଟ ବେଶ ସହାୟକ ହେବ। ଏହି ରିପୋର୍ଟ ଶୀଘ୍ର ହସ୍ତଗତ ହେଲେ ଅଭିଯୁକ୍ତକୁ ଦଣ୍ଡିତ କରିବାରେ ସୁବିଧା ହେବ। ପୋଲିସ ପ୍ରାଥମିକ ତଦନ୍ତ ସାରିଥିବା ବେଳେ ସାଇଣ୍ଟିଫିକ ତଦନ୍ତ ଚଳାଇଛି। ଏହା ମୃତ ମହିଳାଙ୍କ ସହ ଆମ୍ଭ ମାନଙ୍କର ସର୍ମ୍ପକ ସମ୍ବନ୍ଧରେ ସୂଚିତ କରିବ। ତେବେ ଖୁବ ଶୀଘ୍ର ନ୍ୟାୟ ପ୍ରଦାନ ଓ ତଦନ୍ତ ପ୍ରକ୍ରିୟା ଶେଷ ହେଲେ ମା’ଙ୍କର ଶୁଦ୍ଧିକ୍ରିୟା କରାଯିବ। ୮ ବର୍ଷର ବିଳମ୍ବ ପରେ ପୋଲିସ ବିଗତ ୧୦ ଦିନ ମଧ୍ୟରେ ଯେଭଳି ଭାବରେ ତ୍ୱରିତ ପଦକ୍ଷେପ ନେଇ ଘଟଣାର ସତ୍ୟତାକୁ ଉନ୍ମୋଚନ କରିଛି, ତାହା ବେଶ ପ୍ରଶଂସନୀୟ ଅଟେ।

 

ସୂଚନା ଯୋଗ୍ୟ, ନନ୍ଦପଡାର ଜୟଶ୍ରୀ ମିଶ୍ର ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅ ଓ ପୁଅକୁ ନେଇ ନିଜର ଘରସଂସାର ଚଳାଉଥିଲେ। ବଡ ଝିଅର ବିବାହ ସ୍ଥିର ହୋଇଥିବା ବେଳେ ଏହାକୁ ଧୁମଧାମରେ କରିବା ପାଇଁ ସେ ଯୋଜନା କରିଥିଲେ। ଯୋଜନା ମୁତାବକ ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ସେ ଗତ ୧୩ ଅକ୍ଟୋବର, ୨୦୧୧ ମସିହାରେ ଛତିଶଗଡ ରାୟପୁରକୁ ଯାଇ ଫେରିବା ବାଟରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଗୋଶାଳା ଛକରେ ଓହ୍ଲାଇଥିଲେ। ବଡସିଂହାରୀ ଗ୍ରାମରେ ସର୍ମ୍ପକୀୟ ଭିଣେଇ ବସନ୍ତ ପଣ୍ଡାଙ୍କ ଘରକୁ କାର୍ଡ ଦେଇ ଯିବା ପାଇଁ ସେଠାରୁ ସେ ତାଙ୍କ ସହ ଏକ ବାଇକରେ ଯାଇଥିଲେ। ତେବେ ପୂର୍ବ କରଜ ଟଙ୍କା ସୁଝିବାକୁ ସେ ବସନ୍ତକୁ କହିଥିଲେ। ବାରମ୍ବାର ଏଥିପାଇଁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାରୁ ନିଛାଟିଆ ସ୍ଥାନର ସୁଯୋଗ ନେଇ ବସନ୍ତ ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ରାସ୍ତା କଡରେ ଏକ ବୁଦାଳିଆ ସ୍ଥାନରେ ଲୁଚାଇ ରଖିଥିଲେ। ବସନ୍ତ ତାଙ୍କ ଘରେ କାମ କରୁଥିବା ମୁଲିଆ ଚୈତନ୍ୟ କୁଅଁରଙ୍କ ସାହାଯ୍ୟରେ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ଏଥି ପାଇଁ ମୁଲିଆକୁ ୨ଶହ ଟଙ୍କା ପାରିଶ୍ରମିକ ଦେଇଥିଲେ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଗାଁ ଛାଡି ହରିଦ୍ୱାର ଚାଲି ଯାଇଥିବାରୁ ଜୟଶ୍ରୀ ତାଙ୍କ ସହିତ ଫେରାର ହୋଇଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ପୋଲିସ ମଧ୍ୟ ସହଜରେ ବିଶ୍ୱାସ କରିଥିଲା। କେବଳ ଏକ ନିଖୋଜ ମାମଲା ଦାୟର କରି ଚୁପ ହୋଇ ବସିଥିଲା। ଅନ୍ୟ ପଟରେ ମୃତ ମହିଳାଙ୍କର ଝିଅ ଓ ପୁଅ ନ୍ୟାୟ ପାଇଁ ବାରଦୁଆର ବୁଲି ଥିଲେ ସୁଦ୍ଧା କେହି ତାଙ୍କୁ ସାହାଯ୍ୟ କରି ନ ଥିଲେ। କେବଳ ଲାଞ୍ଚନା ଓ ଅପବାଦ ସେମାନଙ୍କ ପାଇଁ ଶ୍ରେୟ ହୋଇଥିଲା। ତେବେ ସେମାନେ ଧୈର୍ଯ୍ୟ ହରା ନ ହୋଇ ନିଜ ମାଁ ଙ୍କ ମୁଣ୍ଡରେ ଲାଗିଥିବା ଅପବାଦକୁ ହଟାଇବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ। ଅଭିଯୁକ୍ତ ଗାଁକୁ ଲୁଚିକି ଆସି ପୁଣି ଚାଲି ଯାଉଥିବାର ଖବର ସେମାନେ ପାଇଥିଲେ। ତେଣୁ ଗତ ୧୭ ତାରିଖରେ ଏ ନେଇ ଗୃହ ମନ୍ତ୍ରାଳୟକୁ ଏକ ଚିଠି ଲେଖି ମା’ଙ୍କ ନିଖୋଜ ସମ୍ବନ୍ଧରେ ଜଣାଇଥିଲେ। ଏହାକୁ ଗୁରୁତର ସହକାରେ ନେଇ ଡିଜି ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏସଡିପିଓ ଭବାନୀ ଶଙ୍କର ଉଦ୍ ଗାତା ଏହାର ତଦନ୍ତ ନିଜେ ହାତକୁ ନେଇଥିବା ବେଳେ ଗ୍ରାମବାସୀଙ୍କୁ ଏହା ସମ୍ବନ୍ଧରେ ପଚାରି ବୁଝିଥିଲେ। ଅଭିଯୁକ୍ତ ଗାଁକୁ ଲୁଚିକି ଯିବାଆସିବା ଓ ଏହା ଏକ ହତ୍ୟାକାଣ୍ଡ ବୋଲି ବିଶ୍ୱସ୍ତସୂତ୍ରରୁ ଖବର ପାଇବା ପରେ ଯୁଯୁମୁରା ଅଞ୍ଚଳରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ଗିରଫ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିଥିଲା। ଏହା ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡିଥିଲା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମୃତଦେହକୁ ଗାତ ଖୋଳି ପୋତି ଦେଇଥିବା ମଧ୍ୟ ଜଣାପଡିଥିଲା। ତେଣୁ ପୋଲିସ ମହୁଲମୁଣ୍ଡା ଗ୍ରାମ ନିକଟ ଜଙ୍ଗଲ ରାସ୍ତା ନିକଟରେ ଅଭିଯୁକ୍ତ ଓ ମୁଲିଆର କହିବା ଅନୁଯାୟୀ ମାଟି ଖୋଳିଥିଲା। ମାତ୍ର ମୃତଦେହ ପୋଲିସକୁ ମିଳି ନ ଥିଲା। ଏଥି ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଥିବା ବେଳେ ଗତ ୨୬ ତାରିଖରେ ଅଭିଯୁକ୍ତ ବସନ୍ତ ପଣ୍ଡାକୁ ୨ଦିନ ରିମାଣ୍ଡରେ ଆଣି ପଚରାଉଚୁରା କରିବା ସହିତ ଶବ ପୋତିଥିବା ସ୍ଥାନକୁ ଚିହ୍ନଟ କରା ଯାଇଥିଲା। ଜେସିବି ସାହାଯ୍ୟରେ ଚିହ୍ନଟ ସ୍ଥାନକୁ ଖୋଳାଯାଇଥିବା ବେଳେ ପ୍ରାୟ ଦୁଇ ଫୁଟ ମାଟି ତଳୁ ଖପୁରୀ ଓ ଦେହାବଶେଷ ମିଶା ମାଟି ମିଳିଥିଲା। ସାଇଣ୍ଟିଫିକ୍ ଟିମ ଏହାକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିବା ପରେ ଅବଶେଷକୁ ବୁର୍ଲା ଏଫଏମଟିକୁ ଚିହ୍ନଟ କରିବା ପାଇଁ ପଠାଯାଇଛି। ଏଫଏମଟି ରିପୋର୍ଟ ଆସି ନ ଥିବା ବେଳେ ଏହା ଏକ ମହିଳାଙ୍କ ଦେହାବଶେଷ ବୋଲି ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି। ଏହି ଡିଏନଏ ରିପୋର୍ଟ ଆସିଲେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ବୋଲି ଉଭୟ ଭାଇ ଓ ଭଉଣୀ ଆଶାବାଦୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.