Home ଓଡ଼ିଶା ଜୁଲାଇ ୨୫ରେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ “ଓଡ଼ିଆ ଭାଷା ଓ ସାହିତ୍ୟ; କିଛି ଦୃଷ୍ଟି,...

ଜୁଲାଇ ୨୫ରେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ “ଓଡ଼ିଆ ଭାଷା ଓ ସାହିତ୍ୟ; କିଛି ଦୃଷ୍ଟି, କିଛି ଚିନ୍ତା” ସମ୍ପର୍କିତ ଅନଲାଇନ ଆଲୋଚନାଚକ୍ର (ୱେବିନାର)

458

ନୂଆଦିଲ୍ଲୀ, ୨୦ ଜୁଲାଇ (ଓଡ଼ିଆ ପୁଅ) : ଅଗ୍ରଣୀ ଅଣ-ଲାଭଜନକ ତଥା ସାମାଜିକ-ସାଂସ୍କୃତିକ, ପ୍ରଭାବଶାଳୀ ଏବଂ ନିରପେକ୍ଷ ବିଚାରଧାରା ସମ୍ପନ୍ନ ଅନୁଷ୍ଠାନ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ଓଡ଼ିଆ ଭାଷା ଏବଂ ସାହିତ୍ୟ ଉପରେ ପର୍ଯ୍ୟବେସିତ ‘ଓଡ଼ିଆ ଭାଷା ଓ ସାହିତ୍ୟ: କିଛି ଦୃଷ୍ଟି, କିଛି ଚିନ୍ତା’ ପ୍ରସଙ୍ଗକୁ ନେଇ ଅନ୍‌ଲାଇନ୍‌ରେ ଏକ ଆଲୋଚନାଚକ୍ର ଆସନ୍ତା ଜୁଲାଇ ୨୫ ତାରିଖ (ଶନିବାର) ସନ୍ଧ୍ୟା ୫ ଘଟିକା ସମୟରେ ଆୟୋଜିତ ହେବାକୁ ଯାଉଛି। ଗତ ଜୁନ ୨୭ ତାରିଖରେ ‘ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଆର୍ôଥକ ପ୍ୟାକେଜ ଏବଂ ସୁଯୋଗ’ ସମ୍ପର୍କିତ ୱେବିନାରକୁ (ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆଲୋଚନାଚକ୍ର) ସଫଳତାର ସହ ଆୟୋଜିତ କରିବା ପରେ ଓଡ଼ିଆ ସମାଜ, ନୂଆଦିଲ୍ଲୀ ବର୍ତମାନ ଆମର ନିଜ ଭାଷା ଏବଂ ସାହିତ୍ୟ ଆଧାରିତ ଏକ ୱେବିନାର ଆୟୋଜନ କରିବାକୁ ଯାଉଅଛି।

କୋଭିଡ-୧୯ ମହାମାରୀ ପ୍ରାୟ ପ୍ରତ୍ୟେକ ମଣିଷ ଜୀବନକୁ ପ୍ରଭାବିତ କରିଥିବାବେଳେ ଲୋକମାନେ ପରସ୍ପରଠାରୁ ସାମାଜିକ ଦୂରତା ବଜାୟ ରଖି ନିଜ ଘରେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ତଥାକଥିତ ଜୀବନରେ ଭିନ୍ନ ଏକ ସ୍ୱାଦ ଆଣିବାକୁ ଯାଇ ଓଡ଼ିଆ ସାହିତ୍ୟରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଏବଂ ବୁଦ୍ଧିଜୀବୀମାନଙ୍କ ପାଇଁ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଏକ ପାରସ୍ପରିକ ଆଲୋଚନା ଭିତ୍ତିକ ଅଧିବେଶନ ଆୟୋଜନ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଓଡ଼ିଆ ଭାଷା ଏବଂ ସାହିତ୍ୟକୁ ସମଗ୍ର ବିଶ୍ୱଦରବାରର ବିଶାଳ ମାନବ ସମାଜ ନିକଟରେ ପହଞ୍ଚାଇବା ସହ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କରିବା ତଥା ସାହିତ୍ୟ ଚର୍ଚ୍ଚା ମାଧ୍ୟମରେ ଏ ଦିଗରେ ଅଧିକ ଜ୍ଞାନର ଆଦାନପ୍ରଦାନ କରିବା ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ସିଦ୍ଧାନ୍ତ ସହ ଜଡ଼ିତ ସଂପର୍କକୁ ଆହୁରି ଦୃଢୀଭୂତ କରିବା ପାଇଁ ଏହା ହେଉଛି ଭିନ୍ନ ଏକ ପ୍ରୟାସ।

ଏହି ଆଲୋଚନାଚକ୍ରରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଓଡ଼ିଆ ସମାଜ, ନୂଆଦିଲ୍ଲୀର ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ଆଇଆର୍‌ଏସ (ଅବସର ପ୍ରାପ୍ତ) ମଧ୍ୟ ଉପସ୍ଥିତ ରହିବେ। ଓଡ଼ିଆ ସାହିତ୍ୟ ଜଗତର ସୁପ୍ରସିଦ୍ଧ ଲେଖିକା ତଥା ଶିକ୍ଷାବିତ୍ ପଦ୍ମଶ୍ରୀ ଡଃ ପ୍ରତିଭା ରାୟ, ବିଶିଷ୍ଟ ଲେଖକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱର, ଓଡ଼ିଆ ବିଭାଗ ପ୍ରାଧ୍ୟାପକ ତଥା ଲେଖକ ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଏଥିରେ ମୁଖ୍ୟବକ୍ତା ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମତୀ ପାରମିତା ଶତପଥୀ, ଲେଖିକା ତଥା ମୁଖ୍ୟ ଆୟକର କମିସନର୍ ୱେବିନାରରେ ସଂଚାଳିକା ଭାବେ ଯୋଗଦେବେ।

ଏହି ଆଲୋଚନାଚକ୍ରରେ ଯୋଗଦେବା ନିମନ୍ତେ ନାମ ପଞ୍ଜୀକରଣର ଶେଷ ତାରିଖ ହେଉଛି ୨୩ ଜୁଲାଇ। ଭାଗ ନେବାକୁ ଚାହୁଁଥିବା ଇଚ୍ଛୁକ ବ୍ୟକ୍ତିବିଶେଷ ଭିଡ଼ିଓ କନ୍‌ଫରେନ୍‌ସିଂ ର ଲିଙ୍କ୍ ପାଇବା ପାଇଁ ସେମାନଙ୍କ ନାମ ଏବଂ ସବିଶେଷ ଠିକଣା [email protected] ରେ ପଠାଇବାକୁ ଅନୁରୋଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.