Home ଜିଲ୍ଲା ପରିକ୍ରମା ଜୁନ୍ ୧୨ ରୁ ୧୮ ପର୍ଯ୍ୟନ୍ତ ନେହେରୁ ଷ୍ଟାଡିୟମ୍‌ରେ ବିକାଶ ମେଳା, ସଫଳତା ନେଇ ଜିଲାପାଳଙ୍କ...

ଜୁନ୍ ୧୨ ରୁ ୧୮ ପର୍ଯ୍ୟନ୍ତ ନେହେରୁ ଷ୍ଟାଡିୟମ୍‌ରେ ବିକାଶ ମେଳା, ସଫଳତା ନେଇ ଜିଲାପାଳଙ୍କ ନିବେଦନ

10

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଜୁନ୍ ୧୨ ରୁ ୧୮ ତାରିଖ ୭ଦିନ ବ୍ୟାପୀ ସ୍ଥାନୀୟ ନେହେରୁ ଷ୍ଟାଡିୟମ୍ ଠାରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସରକାରଙ୍କ ଏହି ବିକାଶ ମୂଳକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲାପାଳ ଦିଲ୍ଲୀପ ରାଉତରାୟ ଆଜି ଗଣମାଧ୍ୟମ ନିକଟରେ ସୂଚନା ପ୍ରଦାନ କରିଛନ୍ତି। ଜିଲାପାଳ ଶ୍ରୀ ରାଉତରାୟଙ୍କ ସୂଚନା ଅନୁସାରେ ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀମାନେ ଏହି ମେଳାରେ ପାରମ୍ପରିକ ଖାଦ୍ୟ ପରିବେଷଣ କରିବା ସହ ବିକ୍ରି କରାଯିବ। ଏହାବ୍ୟତୀତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକୁ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ସନ୍ଧ୍ୟାରେ ରଂଗାରଂଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଜିଲାବାସୀ ସାମିଲ ହୋଇ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଅବଗତ ହେବା ସହ ରଙ୍ଗାରଙ୍ଗ କାର୍ଯ୍ୟକୁ ଉପଭୋଗ କରି ଭଦ୍ରକ ଜିଲା ଏକ ସରସ, ସୁନ୍ଦର ଓ ପ୍ରଗତିଶୀଳ ଜିଲାରେ ରୂପାନ୍ତରିତ କରିବେ ବୋଲି ଜିଲାପାଳ ଶ୍ରୀ ରାଉତରାଏ ଜିଲାବାସୀଙ୍କୁ ନିବେଦନ କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲାପାଳମାନଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ମୂଳେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଓ ଉତ୍ସବ ପାଳିତ ହେବ। ମେଳାରେ ଷ୍ଟଲ ଜରିଆରେ ପାରମ୍ପରିକ ଖାଦ୍ୟର ପ୍ରଦର୍ଶନ ପ୍ୟାକେଟ୍‌, ରନ୍ଧା ଖାଦ୍ୟ ସହ କନ୍ଧମାଳ ହଳଦୀ, ଚାଉଳ ପ୍ରସ୍ତୁତ ପିଠାପଣା, ପାରମ୍ପରିକ ଆଚାର, ପାମ୍ପଡ ଆଦିର ପ୍ରଦର୍ଶନୀ ଭିତିକ ବିକ୍ରୟ ଉପରେ ଗୁରୁତ୍ୱ ଦିଆଯାଇଛି। ପାରମ୍ପରିକ ଓଡିଆ ଖାଦ୍ୟର ପ୍ରଦର୍ଶନ ଓ ବିକ୍ରୟ ପାଇଁ ମେଳାକୁ ଆସୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ଖର୍ଚ୍ଚରେ ଗ୍ୟାସ୍‌, ରନ୍ଧନ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ଧରି ଆସିବାକୁ ଓ ସେମାନଙ୍କୁ ପ୍ରଶାସନ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମେଳା ହେଉଥିବା ସ୍ଥାନରେ ଓରମାସ ଜରିଆରେ ୨୫ ଗୋଟି ଷ୍ଟଲ ଯୋଗାଇ ଦିଆଯାଇଛି। ଏହି ମେଳା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ଜିଲା ପିଛା ୨୦ ଲକ୍ଷ ଲେଖାଏଁ ଆର୍ଥିକ ମଂଜୁରି ମିଳିଛି। ଏହାବ୍ୟତୀତ ଏହି ମେଳା ଆୟୋଜନ ପାଇଁ ଆବଶ୍ୟକ ହେଲେ ଜିଲା ଫଣ୍ଡରୁ ଅର୍ଥ ବିନିଯୋଗ କରାଯାଇପାରିବ ବୋଲି କୁହାଯାଇଛି। ତେବେ ଓଡିଆମାନଙ୍କର ବିଶେଷ ପର୍ବ ରଜରେ ସରକାରଙ୍କ ପକ୍ଷରୁ ଜିଲାସ୍ତରୀୟ ଏହି ବିକାଶ ଓ ପଲ୍ଲୀଶ୍ରୀ ମେଳା କାର୍ଯ୍ୟକ୍ରମ ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ବିଜେପି ସରକାରଙ୍କ ବର୍ଷପୂର୍ତି ପାଳନ ଅବସରରେ ଏଭଳି ମେଳାର ଆୟୋଜନ ହେଉଥିବା ଯୋଗୁଁ ମେଳାକୁ ଶତ ପ୍ରତିଶତ ସଫଳ କରିବାକୁ ସରକାରଙ୍କ ପକ୍ଷରୁ ଜିଲାପାଳମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.