Home କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

19

କେନ୍ଦ୍ରାପଡା, ୨୭ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରସଂସ୍ଥା ଟାଉନହଲ ପରିସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ କେନ୍ଦ୍ରାପଡା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତିର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ ପୂର୍ବକ କହିଥିଲେ ଯେ ଆଶାକର୍ମୀମାନେ ଜଣେ ଜଣେ ଛୋଟ ଡାକ୍ତର। ଗାଁ ଗହିଳିରେ ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସହ ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଦିଗରେ ଆଶାକର୍ମୀମାନଙ୍କର ପ୍ରମୁଖ ଭୂମିକା ରହିଛି। ଆଗାମୀ ଦିନରେ ଆଶାକର୍ମୀମାନଙ୍କୁ ପୁରସ୍କୃତ କରାଯାଇ ପ୍ରୋତ୍ସାହିତ କରାଯିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଅମ୍ରିତ ଋତୁରାଜ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ତୃଣମୂଳ ସ୍ତରରେ ଆଶାକର୍ମୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରି ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଥାନ୍ତି। ନିଜ ଜୀବନକୁ ଭୃକ୍ଷେପ ନକରି ସେବା ପ୍ରଦାନ କାର୍ଯ୍ୟ ସେମାନଙ୍କର ଅବିସ୍ମରଣୀୟ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। କୋଭିଡ ମହାମାରୀ ସମୟରେ ଜନସାଧାରଣଙ୍କୁ ସଚେତନ କରିବାର ଭୂମିକା ନିର୍ବାହ କରିବା ସହ ଶିଶୁ ଓ ମାତୃ ମୃତ୍ୟୁହାର ରୋକିବାରେ ସେମାନେ ଦକ୍ଷତାର ସହ ଦାୟୀତ୍ୱ ଏବଂ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ଦ୍ୱିତୀୟ ପ୍ରବାହ କୋଭିଡ ଆସୁଥିବାରୁ ଜନସାଧାରଣଙ୍କୁ ଅଧିକ ସଚେତନ କରିବା ଦିଗରେ ଆଶାମାନଙ୍କର କର୍ତ୍ତବ୍ୟ ପରାୟଣତା ଓ ପ୍ରତିବଦ୍ଧତା ନିଶ୍ଚିତ ଭାବେ କୋଭିଡ ମୁକାବିଲାରେ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଡା. ଅନିତା ପଟ୍ଟନାୟକ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଜିଲ୍ଲାରେ ୧୪୫୫ଜଣ ଆଶାକର୍ମୀ ନିଯୁକ୍ତ ହୋଇଥିବା ବେଳେ ୧୪୨୮ଟି ଗାଁ କଲ୍ୟାଣ ସମିତି ଓ ୫୫ଟି ମହିଳା ଆରୋଗ୍ୟ ସମିତି ଗଠନ କରାଯାଇଥିବା ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମିର୍ଜା ବାବର ବେଗ ଯୋଗଦେଇ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଆଶାକର୍ମୀଙ୍କ ଭୂମିକା ଅବର୍ଣ୍ଣନୀୟ ବୋଲି କହିବା ସହ ଜନସାଧାରଣ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସମ୍ପର୍କର ସେତୁ ପ୍ରତିଷ୍ଠାରେ ଆଶାମାନଙ୍କର ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ମିଶନର ପ୍ରତିନିଧି ବସନ୍ତ କୁମାର ସାହୁ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ ପ୍ରକାଶ ବାନାର୍ଜୀ, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସଚିଦାନନ୍ଦ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ରାଜନଗର ବ୍ଲକର ପ୍ରଥମ ଶ୍ରେଷ୍ଠ ଆଶାକର୍ମୀ ସୁଲୋଚନା ସ୍ୱାଇଁଙ୍କୁ ପୁରସ୍କାର ରୂପେ ୧୦ହଜାର ଟଙ୍କାର ଚେକ, ରାଜକନିକା ଓ ଆଳି ବ୍ଲକର ଦ୍ୱିତୀୟ ଶ୍ରେଷ୍ଠ ଆଶାକର୍ମୀ କାବେରୀ ବାରିକ ଓ ପ୍ରମିଳା ମଳିକଙ୍କୁ ୭ହଜାର ଟଙ୍କାର ଚେକ, ତୃତୀୟ ଶ୍ରେଷ୍ଠ ଆଶାକର୍ମୀ ରାଜକନିକା ବ୍ଲକର ମମତା ନାୟକଙ୍କୁ ୬ହଜାର ଟଙ୍କାର ଚେକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିବା ଜିଲ୍ଲାର ମାର୍ଶାଘାଇ ବ୍ଲକର ଆଖୁଆଦକ୍ଷିଣୀ ଗ୍ରାମପଂଚାୟତ, ଆଳି ବ୍ଲକର ଚଣ୍ଡିଆଗଡି ପଂଚାୟତ, ରାଜନଗର ବ୍ଲକର କୋଇଲିପୁର ପଂଚାୟତ, ଗରଦପୁର ବ୍ଲକର ବେଡାରୀ ପଂଚାୟତକୁ ୧୦ହଜାର ଟଙ୍କା ଲେଖାଁଏର ପୁରସ୍କାର ସ୍ୱରୁପ ଚେକ ପ୍ରଦାନ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଗାଁ କଲ୍ୟାଣ ସମିତି ଭାବେ ଆଳି ବ୍ଲକର ଚଣ୍ଡିଆଗଡି, ଗରଦପୁର ବ୍ଲକର ବିଚଣା, ଗୋତ୍ରିବିଲ, ମାର୍ଶାଘାଇ ବ୍ଲକର ଓଢଙ୍ଗ, ପାଇଲୋ ଓ ରାଜନଗର ବ୍ଲକର କୁରୁଂଟି ଏବଂ ଅହିରାଜପୁର ଗାଁ କଲ୍ୟାଣ ସମିତିକୁ ୧୦ହଜାର ଟଙ୍କା ଲେଖାଁଏ ଚେକ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ମହିଳା ଆରୋଗ୍ୟ ସମିତି ଭାବେ କେନ୍ଦ୍ରାପଡା ପୈାରାଚଂଳର ବଣିଆମାଳ – ୧ ଓ ୨, ମହିପାଳ ୧ ଓ ୨, ମୁସଲିମବସ୍ତି, ମଧ୍ୟଖଣ୍ଡି, ସାରଙ୍ଗ, ତଳବାରଙ୍ଗ, ଇଛାପୁର, ମଧୁକରପୁର, ସୁନ୍ଦରାପାଳ, କଜଳା ୧ ଓ ୨, ବଡବାରଙ୍ଗ, ଦିଲାରପୁର, କାକଟ-୨, ମଢିଆଳ, କ୍ୟୁରେସିମହଲା, ଅଯୋଦ୍ଧାନଗର ସମିତିକୁ ୩ହଜାର ଟଙ୍କା ଲେଖାଁଏ ଚେକ ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା। କେନ୍ଦ୍ରାପଡା ବଳଦେବ ଆର୍ଟ ଆଣ୍ଡ ମେଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗାଁ କଲ୍ୟାଣ ସମିତିର ସହକାରୀ ପରିଚାଳକ ଅମିତ କୁମାର ପଣ୍ଡା ଏବଂ ଆଶାର ସହକାରୀ ପରିଚାଳକ ଯଶସ୍ୱିିନୀ ସାହାଣି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.