Home ଜିଲ୍ଲା ପରିକ୍ରମା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତିର ତଦନ୍ତ ଦାବି

ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ହେଉଥିବା ଦୁର୍ନୀତିର ତଦନ୍ତ ଦାବି

105

ଭଦ୍ରକ, ୪-୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଭିଜିଲାନ୍‌ସ ବିଭାଗ ଅତର୍କିତ ଚଢାଉ କରି ସୁଧାକର ବାରିକ ନାମକ ଜଣେ କନିଷ୍ଠ କିରାଣୀଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି। କିନ୍ତୁ ଏହି ଦୁର୍ନୀତିର ପଶ୍ଚାତଭାଗରେ ଥିବା ବଡ ଅଫିସର ଓ କର୍ମଚାରୀମାନେ ତଦନ୍ତରୁ ଖସି ଯାଇଛନ୍ତି। ନୂତନ ଶ୍ରମିକ ପଞ୍ଜିକରଣ ପାଇଁ ବିଭିନ୍ନ ଏଜେନ୍ସି ମାଧ୍ୟମରେ ୧ରୁ ୨ ହଜାର ଟଙ୍କା ଆଦାୟ ଓ ବିଭିନ୍ନ ସହାୟତା ପ୍ରଦାନ ଉପରେ ହଜାର ହଜାର ଟଙ୍କା ଆଦାୟ କରାଯାଇ ତତ୍‌କ୍ଷଣାତ୍ ପରିଚୟପତ୍ର ପ୍ରଦାନ କରାଯାଉଛି। ସହାୟତା ରାଶି ଦିଆ ଯାଉଥିବା ବେଳେ ନିର୍ମାଣ ଶ୍ରମିକ ସଂଘମାନଙ୍କ ଦ୍ୱାରା ଦାଖଲ କରାଯାଉଥିବା ପଞ୍ଜିକରଣ ଦରଖାସ୍ତ ତଥା ସହାୟତା ଦରଖାସ୍ତ ଗୁଡିକ ଶ୍ରମ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ପଡି ରହୁଛି।୨୦୧୭ ମସିହାରୁ ଅଦ୍ୟାବଧି ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ବିଭିନ୍ନ ବିଭିନ୍ନ ସହାୟତା ଆବେଦନପତ୍ର ଶ୍ରମ କାର୍ଯ୍ୟାଳୟରେ ପଡି ରହିଥିବା ବେଳେ ସେଗୁଡିକୁ ସମାଧାନ କରାଯାଉନାହିଁ। ଜିଲ୍ଲାରେ ଶ୍ରମିକ ସମସ୍ୟା ଅତି ଉତ୍କଟ ଅବସ୍ଥା ଧାରଣ କରିଥିବା ବେଳେ କେବଳ ଲାଞ୍ଚ କାରବାର କରି ଏହି କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ନୂତନ ଶ୍ରମିକ ପଞ୍ଜିକରଣ ସମଗ୍ର ଜିଲ୍ଲାରେ ଭୟଙ୍କର ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ସୂଚନା ଅଧିକାର ବଳରେ ତଥ୍ୟ ମାଗିଲେ ତଥ୍ୟ ପ୍ରଦାନକାରୀ ଅଧିକାରୀ କେହି ନାହାନ୍ତି ବୋଲି କହି ଏଡାଇ ଦିଆ ଯାଉଛି। ଏହି ଭୟଙ୍କର ଅସନ୍ତୋଷ କୌଣସି ସମୟରେ ଉଗ୍ର ରୂପ ଧରଣ କରିବା ପୂର୍ବରୁ କର୍ତ୍ତୃପକ୍ଷ ବିଶେଷ କରି ଭଦ୍ରକ ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ ଆୟୁକ୍ତ ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଭଦ୍ରକ ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ ସମିତିର ସଭାପତି ତଥା ରାଜ୍ୟ ଅସଂଗଠିତ ଶ୍ରମିକ ସଂଘ ସମନ୍ୱୟ କମିଟିର ସଂଗଠନ ସମ୍ପାଦକ ନାରାୟଣ ନାୟକ ଦାବି କରିଛନ୍ତି। 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.