Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ନିର୍ଦ୍ଦେଶ ଉଲ୍ଲଂଘନ, ବରଣ୍ଡୁଆ ପଂଚାୟତ ଅଧୀନରେ ଥିବା ହାଟର ଗୃହକୁ ବେଆଇନ୍ ଭାବେ ଜବରଦଖଲ,...

ଜିଲାପାଳଙ୍କ ନିର୍ଦ୍ଦେଶ ଉଲ୍ଲଂଘନ, ବରଣ୍ଡୁଆ ପଂଚାୟତ ଅଧୀନରେ ଥିବା ହାଟର ଗୃହକୁ ବେଆଇନ୍ ଭାବେ ଜବରଦଖଲ, କାର୍ଯ୍ୟାନୁଷ୍ଠାନ ଦାବି

33

ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ବରଣ୍ଡୁଆ ଗ୍ରାମପଞ୍ଚାୟତର ଚନ୍ଦନପୁର ମୌଜାସ୍ଥିତ ଏକ ସର୍ବସାଧାରଣ ଜମିରେ ଥିବା ଏ୧.୯୧ ଡି. ଜମିକୁ ତତ୍‌କାଳୀନ ଜିଲାପାଳ ସ୍ଥାନୀୟ ଗ୍ରାମପଞ୍ଚାୟତର ତତ୍ତ୍ୱାବଧାନରେ ହାଟ ବସାଇଥିଲେ ମଧ୍ୟ କେତେକ ନ୍ୟସ୍ତ ସ୍ୱାର୍ଥ ସଂପନ୍ନ ହୀନଚକ୍ରାନ୍ତକାରୀ ବ୍ୟକ୍ତିବିଶେଷ ପଂଚାୟତର ଅଧୀନରେ ଥିବା ହାଟର କେତେକ ଗୃହକୁ ଜବରଦଖଲ କରି ରଖି ଅନ୍ୟକୁ ଭଡାଦେଇ ଅର୍ଥ ଆଦାୟ କରିବା ଘଟଣା ବିରୁଦ୍ଧରେ ଆଜି ଜିଲା ବିଜେପି ଉପସଭାପତି ଉଦୟ ନାରାୟଣ ମଲ୍ଲିକ, ବରଣ୍ଡୁଆ ଗ୍ରାମପଞ୍ଚାୟତ ସରପଞ୍ଚ ଗୋବିନ୍ଦ ମଳିକ, ବରିଷ୍ଠ ବିଜେପି ନେତା ପ୍ରେମାନନ୍ଦ ମହାନ୍ତି, ବାପୁଜୀ ଶତପଥୀ ଓ ଭଗବାନ ପଣ୍ଡା ପ୍ରମୁଖ ଜିଲାପାଳଙ୍କୁ ଭେଟି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଗ୍ରାମପଞ୍ଚାୟତ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ସରପଞ୍ଚଙ୍କ ଦସ୍ତଖତ ଥାଇ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଦିଆଯାଇଥିବା ଅଭିଯୋଗ ପତ୍ର ମୂଳେ ଏହି ପଞ୍ଚାୟତ ଅଧୀନସ୍ଥ ଚନ୍ଦନପୁର ମୌଜାସ୍ଥିତ ଖାତା ନଂ ୩୬୧ ସର୍ବସାଧାରଣଙ୍କ ନାମରେ ନାମିତ।

ଉପରୋକ୍ତ ଖାତାସ୍ଥିତ ୮୭୮ ନଂ ପ୍ଲଟ୍‌ଟି ଏ୧.୯୧ ଡି. ପରିମାଣ ଥାଇ ସମୁଦାୟ ରକବାକୁ ତତ୍‌କାଳୀନ ଜିଲାପାଳ ପଂଚାୟତଙ୍କ ତତ୍ତ୍ୱାବଧାନରେ ହାଟ ବସାଇବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତଦନୁସାରେ ଉକ୍ତ ପ୍ଲଟ୍‌ଟିରେ ଦୈନିକ ବଜାର, ପରିବା ହାଟ ବସିଆସୁଅଛି। ହାଟଟିକୁ ବରଣ୍ଡୁଆ ଗ୍ରାମପଞ୍ଚାୟତର ସରପଞ୍ଚ ବାର୍ଷିକ ନିଲାମ ଦେଉଛନ୍ତି। ହାଟ ମଧ୍ୟରେ କେତେକ କଚ୍ଚା ଘର, ପକ୍କା ଘର, ଚାଳଘର ନିର୍ମାଣ ହୋଇ ଗ୍ରାମପଞ୍ଚାୟତ ମାସିକ ଭଡା ମଧ୍ୟ ଆଦାୟ କରିଆସୁଅଛନ୍ତି। ମାର୍କେଟ୍ କମ୍ପେ୍ଲକ୍ସ ମଧ୍ୟ ପଂଚାୟତ ପାଣ୍ଠି ତଥା ପଞ୍ଚାୟତକୁ ଆସୁଥିବା ସରକାରୀ ଅନୁଦାନରୁ ଖର୍ଚ୍ଚ ହୋଇ ସେଥିରେ ତିଆରି ହୋଇଥିବା ଦୋକାନ ଗୃହ ଗୁଡିକ ପଂଚାୟତ ଗାଦି ରେଜିଷ୍ଟରରେ ଚଢାଯାଇ ହିତାଧିକାରୀଙ୍କ ନାମ ଅନୁସାରେ ଚୁକ୍ତିପତ୍ର ମୂଳେ ପଂଜିକରଣ କରାଯାଇଛି। ମାସିକ ଭଡା ମଧ୍ୟ ବିବିଧ ଆୟ ରସିଦ୍ ମୂଳେ ଆଦାୟ କରାଯାଇଆସୁଛି। ମାତ୍ର କେତେକ ହୀନ ଚକ୍ରାନ୍ତ ବ୍ୟକ୍ତି ଏହି ପ୍ଲଟ୍‌ରେ ଥିବା ଗୃହକୁ ଜବରଦଖଲ କରି ରଖିଛନ୍ତି। ପଂଚାୟତରେ ପଂଜିକରଣ କରିନାହାଁନ୍ତି କି ମାସିକ ଭଡା ମଧ୍ୟ ପୈଠ କରିନାହାଁନ୍ତି।

ବାହୁବଳ ଓ ସରକାରୀ କଳକୁ ଅପବ୍ୟବହାର କରି ଜୋର ଜବରଦସ୍ତ ନିଜ ଦଖଲରେ ରଖି ଦୋକାନ କରିବା ପାଇଁ ଅନ୍ୟକୁ ଭଡା ଦେଉଛନ୍ତି। ଏପରିକି ଠାକୁର ନାମରେ ରଖି ଭଡାଦେଇ ନିଜେ ଭଡା ଆଦାୟ କରୁଛନ୍ତି। ଯାହାଦ୍ୱାରା ଗ୍ରାମପଞ୍ଚାୟତକୁ ଅବମାନନା ତଥା ଜିଲାପାଳ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ ଉଲ୍ଲଂଘନ କରୁଛନ୍ତି। ଏଣୁ ବର୍ତ୍ତମାନର ଜିଲାପାଳ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜମିର ସ୍ପଷ୍ଟିକରଣ ନିମନ୍ତେ ପଂଚାୟତ ପକ୍ଷରୁ ନିବେଦନ କରିଛନ୍ତି। ଏବଂ ଜିଲାପାଳ ତାହା ସ୍ପଷ୍ଟିକରଣ କରାଇଲେ ପଂଚାୟତ ତରଫରୁ ତାହା ଦାବି ରେଜିଷ୍ଟରରେ ଅନ୍ତର୍ଭୁକ୍ତ ହୋଇନଥିବା ଗୃହ ଗୁଡିକୁ ଅନ୍ତର୍ଭୁକ୍ତ କରାଇ ଭଡାଧାର୍ଯ୍ୟ ପୂର୍ବକ ପଂଚାୟତ ତତ୍ତ୍ୱାବଧାନରେ ଅନ୍ୟ ଗୃହ ଗୁଡିକ ଭଳି ରକ୍ଷଣାବେକ୍ଷଣ କରି ଭଡା ଆଦାୟ କରିବେ ବୋଲି ଦାବି କରିଛନ୍ତି। ଏହା ଅସ୍ୱୀକାର କଲେ ଦଖଲରୁ ଉଚ୍ଛେଦ କରିବା ପାଇଁ ଗ୍ରାମପଂଚାୟତ ପକ୍ଷରୁ ଆଇନଗତ ପଦକ୍ଷେପ ନିଆଯିବା ପାଇଁ ସେମାନେ ବାଧ୍ୟହେବେ। ଯାହାଦ୍ୱାରା ରାଜସ୍ୱ ହାନିର ଭରଣା ହୋଇପାରିବ ବୋଲି ସୂଚାଇଛନ୍ତି। ଏବଂ ଏହି ଦାବି ପତ୍ର ସହ ଜମିର ଅନଲାଇନ୍ ପଟ୍ଟା ଜେରେକ୍ସ ଓ ନକ୍ସା ପ୍ରଦାନ କରାଯାଇଛି। ଜିଲାପାଳ ଶ୍ରୀ ବୋନ୍ଦର ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଉପଲବ୍ôଧ କରି ନିରପେକ୍ଷ ତଦନ୍ତ ପୂର୍ବକ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.