Home ଗଳ୍ପ ଜସ୍ମିନ୍ ଜ୍ୟୋତିଙ୍କ ଇଂରାଜୀ ଗପବହି‘ସେ ୟେସ୍ ଟୁ ଲାଇଫ୍‌’ଉନ୍ମୋଚିତ

ଜସ୍ମିନ୍ ଜ୍ୟୋତିଙ୍କ ଇଂରାଜୀ ଗପବହି‘ସେ ୟେସ୍ ଟୁ ଲାଇଫ୍‌’ଉନ୍ମୋଚିତ

86

ବାଲେଶ୍ୱର, ୨୪ା୮(ଓଡ଼ିଆ ପୁଅ/ଅଭୟ ଦାସ): ଭୁବନେଶ୍ୱର କିଟ୍ସ କଲେଜର ଯୁକ୍ତଦୁଇ ବାଣିଜ୍ୟରେ ଅଧ୍ୟୟନରତ ଛାତ୍ରୀ ଜସ୍ମିନ୍ ଜ୍ୟୋତିଙ୍କ ଜୀବନ ଦର୍ଶନ ସମ୍ବଳିତ ଇଂରାଜୀ ଗଳ୍ପପୁସ୍ତକ ‘ସେ ୟେସ୍ ଟୁ ଲାଇଫ୍‌’ ଆଜି ଲୋକାର୍ପିତ ହୋଇଯାଇଛି। ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିବା ସହିତ ଖୁବ୍ କମ ବୟସରୁ ଛାତ୍ରୀ ଜସ୍ମିନ୍ ଜ୍ୟୋତିଙ୍କ ପରିପୃଷ୍ଟ ଚିନ୍ତାଧାରା ଓ ଲିଖନ ଶୈଳିକୁ ଭୂୟସୀ ପ୍ରଶଂସା କରିଥିଲେ। ଜୀବନର ଚଲାପଥରେ ଅବସାଦଠାରୁ ଦୂରରେ ରହି ସଫଳତା ଓ ବିଫଳତା ମଧ୍ୟରେ ଆଗକୁ ବଢ଼ିବାରେ ଯେ ସାର୍ଥକତା ଥାଏ, ଏହାକୁ ଛାତ୍ରୀ ଜସ୍ମିନ୍ ଏହି ପୁସ୍ତକରେ ପ୍ରସ୍ପୁଟିତ କରିପାରିଛନ୍ତି। ଗୁଣାବତ୍ତା ଦୃଷ୍ଟିରୁ ସାମ୍ପ୍ରତିକ ସମାଜର ଯୁବପିଢ଼ିଙ୍କ ପାଇଁ ଏହି ପୁସ୍ତକ ‘ସେ ୟେସ୍ ଟୁ ଲାଇଫ୍‌’ ଅତ୍ୟନ୍ତ ଉପାଦେୟ ହୋଇପାରିବ ବୋଲି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନାୟକ ମତ ପ୍ରକାଶ କରିଥିଲେ। କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରୀ ଜସ୍ମିନ୍ ଜ୍ୟୋତିଙ୍କ ପୁସ୍ତକର ଶିକ୍ଷୟଣୀୟ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଜୀବନର ବାସ୍ତବତାକୁ ଏହି ପୁସ୍ତକରେ ପ୍ରତିଫଳନ ସହ ଜସ୍ମିନ୍ ସାମ୍ପ୍ରତିକ ସାମାଜକୁ ଦେଇଥିବା ବାର୍ତ୍ତା ଅତ୍ୟନ୍ତ ମୂଲ୍ୟବୋଧ ଭିତ୍ତିକ ହୋଇଛି ବୋଲି ସେ କହିଥିଲେ। ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ଆଗାମୀ ଦିନରେ ବି ଏହିଭଳି ଲେଖା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ତଥା ପୁସ୍ତକର ପ୍ରକାଶକ ଶିକ୍ଷାବିତ୍ ସୁଧାଂଶୁ ପଣ୍ଡା ଏହି ଲୋକାର୍ପଣ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ ବିଦ୍ୟାଳୟରେ ପଢ଼ିବା ସମୟରୁ ତୁଳସୀ ଦୁଇପତ୍ରରୁ ବାସିବା ଭଳି ଜସ୍ମିନ୍‌ଙ୍କର ପ୍ରତିଭାର ଆଭାସ ମଳିଥିଲା ବୋଲି କହିଥିଲେ। ରୋଟାରିଆନ୍ ସୁବ୍ରତ କର, ପୁସ୍ତକ ସମ୍ପାଦନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଯୁବ ସାରସ୍ୱତ ସାଧକ ବିରଜା ନାୟକ, ଜସ୍ମିନ୍‌ଙ୍କ ମାଆ ନିବେଦିତା ବେହେରା ଓ ବାପା ଶୁଭେନ୍ଦୁ ଭୂଷଣ ବେହେରା ପ୍ରମୁଖ ଏଥିରେ ଯୋଗଦେଇ ଜସ୍ମିନ୍‌ଙ୍କର ସକାରାତ୍ମକ ଚିନ୍ତାଧାରାକୁ ଭୂୟସୀ ପ୍ରଶଂସା କରିଥିଲେ। ସମସ୍ତେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଉଦ୍ୟମ ଜାରି ରହିଲେ ଆଗାମୀ ଦିନରେ ଜସ୍ମିନ୍ ଇଂରାଜୀ ସାହିତ୍ୟର ଜଣେ ଉଜ୍ଜ୍ୱଳ ଜୋତିଷ୍କ ହୋଇପାରିବେ ବେଲି ସେମାନେ ଆଶା ପ୍ରକାଶ କରିଥିଲେ। ପୁସ୍ତକର ଲେଖି୍‌କା ଛାତ୍ରୀ ଜସ୍ମିନ୍ ଜ୍ୟୋତି ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇ ନିଜର ଲେଖକୀୟ ଅନୁଭୁତି ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଚାର୍ଟାଡ଼ ଆକାଉଣ୍ଟା ମାତୃଦତ୍ତ ଦାସ, ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସଙ୍କ ସମେତ ବାଲେଶ୍ୱର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.