Home ଅପରାଧ ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛକାଟି ବେସରକାରୀ ସ୍କୁଲ ନିର୍ମାଣ, ବାରମ୍ବାର ଅଭିଯୋଗ ପରେବି ବନବିଭାଗ ଚୁପ୍

ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛକାଟି ବେସରକାରୀ ସ୍କୁଲ ନିର୍ମାଣ, ବାରମ୍ବାର ଅଭିଯୋଗ ପରେବି ବନବିଭାଗ ଚୁପ୍

271

ହରିଚନ୍ଦନପୁର, ତା ୧୧ ଅଗଷ୍ଟ,(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛ କାଟି ବେସରକାରୀ ସ୍କୁଲର ଗୃହ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ସତ୍ୱେ ବନବିଭାଗ ଅଧିକାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ଚୁପ୍ ହୋଇବସିଥିବା ଅଭିଯୋଗ ହୋଇଛି । ଖବର ଅନୁଯାୟୀ କେନ୍ଦୁଝର ଜିଲ୍ଲା ବ୍ରହ୍ମଣୀପାଳ ରେଞ୍ଜ ରେବଣାପଳାଶପାଳ ବନବିଭାଗ ଅଧିନସ୍ଥ ସୁନାପେଣ୍ଠ ହାଇସ୍କୁଲର ପିଅନ୍ ତ୍ରିଲୋଚନ ମହାନ୍ତ ଟିଗିରିଆ ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଆଜକୁ ୬ମାସ ପୂର୍ବେ ଅନେକ ମୂଲ୍ୟବାନ ଗଛ କାଟି ବେସରକାରୀ ସ୍କୁଲ ନିମନ୍ତେ ଘର ନିର୍ମାଣ କାର୍ଯ୍ୟ ଚଲାଇଛନ୍ତି । ଏନେଇ ଗ୍ରାମର ଲୋକମାନେ ରେବଣାପଳାଶପାଳ ବନପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏଥିସହ ବନପାଳଙ୍କ ଠାରୁ ନିରାଶ ହେବା ପରେ ଗ୍ରାମର ଲୋକମାନେ ବ୍ରାହ୍ଣଣୀପାଳ ରେଞ୍ଜର ଭୁବନାନନ୍ଦ ମହାପାତ୍ରଙ୍କ ପାଖରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଅଭିଯୋଗ ପରେ ରେଞ୍ଜର କିଛି ବନ କର୍ମଚାରୀଙ୍କୁ ନେଇ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇଥିଲେ । ହେଲେ ଘଟଣା ସମ୍ପର୍କରେ ଜାଣିବା ପରେ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ନେଇ ଚୁପ୍ ହୋଇ ବସିଥିବା ସହ ଘଟଣାକୁ ଚପାଇ ଦେବାକୁ ବନ ବିଭାଗ ଉଦ୍ୟମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ରେଞ୍ଜରଙ୍କ ପ୍ରତିକ୍ରିୟା ନେବାପାଇଁ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ମିଡିଆ ସମ୍ମୁଖକୁ ନଆସିବା ପାଇଁ ଫୋନ୍ ସୁଇଚ୍ ଅଫ୍ କରି ଅଫିସ ଛାଡି ଅନ୍ୟତ୍ର ରହିଥିବା କାରଣରୁ ଯୋଗାଯୋଗ ହୋଇପାରିନାହିଁ । ଉକ୍ତ ଜଙ୍ଗଲ ଉପରେ ଗ୍ରାମର ଅଧିକାଂଶ ଲୋକ ନିର୍ଭର କରିଥାନ୍ତି, ସାଧାରଣତଃ ଗ୍ରାମ ନିକଟରେ ଥିବା ଏହି ଜଙ୍ଗଲରୁ ପ୍ରତ୍ୟେକ ଦିନ ଗ୍ରାମର ଲୋକମାନେ ଦାନ୍ତକାଠି ଠାରୁ ଆରମ୍ଭ କରି ଶୁଖିଲା ପତ୍ର, ଜାଳକାଠ ସଂଗ୍ରହ କରୁଥିବା ସହ ଏହି ଜଙ୍ଗଲରେ ଛେଳି ଗାଈ ଚରାଇଥାନ୍ତି । ହେଲେ ଏହି ଭଳି ପ୍ରତ୍ୟେକ ଦିନ ନିଜ ସ୍ୱାର୍ଥ ପାଇଁ ଜଙ୍ଗଲକୁ ଲୋମାନେ ନିଜର ପୈତୃକ ସମ୍ପତି ଭାବି ମନଇଚ୍ଛା କାଟି ସଫା କରିଚାଲିଛନ୍ତି । ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ରାଜସ୍ୱରୁ ମାସିକ ମୋଟା ଅଙ୍କର ଦରମା ଦେଇ ତଳସ୍ତରରୁ ଆରମ୍ଭ କରି ଉପରସ୍ତର ପର୍ଯ୍ୟନ୍ତ ବିଭିନ୍ନ ପଦପଦବୀରେ କର୍ମଚାରୀ ନିୟୋଜିତ କରାଯାଇଛି । ହେଲେ ଉକ୍ତ କର୍ମଚାରୀଙ୍କ ଲାଭବାନ ଓ ଅବହେଳା ମନୋଭାବକୁ ନେଇ ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାକୁ ବସିଥିବା ବେଳେ କାଠ ମାଫିଆ ବୃଦ୍ଧି ଓ ସକ୍ରିୟ ହେବାକୁ ବସିଛନ୍ତି । ସେହିଭଳି ବ୍ରାହ୍ମଣୀପାଳ ରେଞ୍ଜ ଅଧିନସ୍ଥ ଅନେକ ସ୍ଥାନରେ ପ୍ରତ୍ୟେକ ଦିନ ବନ୍ୟଜନ୍ତୁ ଶିକାର ଚାଲିଥିବା ବେଳେ ବନବିଭାଗ କର୍ମଚାରୀମାନେ ରାଜନୈତିକ ଚାପ ଓ ହାତଗୁଞ୍ଜା ନେଇ ଚୁପ୍ ହୋଇ ରହୁଥିବା ଖବରକୁ ପୂର୍ବରୁ ଚପାଇଦେଇଥିବା ନଜିର ରହିଛି । ଗଛ କଟାଯାଇ ସ୍କୁଲ ଘର ନିର୍ମାଣ ଘଟଣାକୁ ନେଇ ବନପାଳ ପିନାକୀ ଓଝାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ । ସେ ସୂଚନା ଦେଇଛନ୍ତି ଯେ ଘଟଣା ସମ୍ପର୍କରେ ପୂର୍ବରୁ ଅଭିଯୋଗ ହୋଇଛି, ଘର ନିର୍ମାଣ କାର୍ଯ୍ୟ ଚାଳିଥିବା ବେଳେ ସେ ଘଟଣାସ୍ଥଳକୁ ଯାଇ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ କୋଦାଳ, କଡେଇ, କରଣୀ ଜବତ କରିଥିଲେ । ପୁଃର୍ନବାର ନିର୍ମାଣ କାର୍ଯ୍ୟ ଆରମ୍ଭର ଅଭିଯୋଗ ପରେ ସ୍କୁଲ ନିର୍ମାଣ ହେଉଥିବା ନେଇ ଡିଏଫଓଙ୍କ ଅନୁମତି ପାଇଁ ଆବେଦନ କରିବା ପାଇଁ ବାଟ ବତେଇଥିଲୁ । ସେମଧ୍ୟ ଡିଏଫଓଙ୍କ ଠାରୁ ଅନୁମତି ପାଇଁ ଅନେକଥର ଯାଇଥିବା ଆମେ ଜାଣିଛୁ । ଏଥିସହ ଘଟଣାସ୍ଥଳରେ କିଛି ଗ୍ରାମର ଲୋକେ ବେସରକାରୀ ସ୍କୁଲ ଘର ନିର୍ମାଣ ବା ଗ୍ରାମରେ ଏକ ଅନୁଷ୍ଠାନ କରାଯାଉଛି କହିବା ପରେ ଆମେ ଘଟଣାସ୍ଥଳରୁ ଫେରିଆସିଥିଲୁ । ଆପଣମାନେ ବେଶି ଇଏ କରୁଛନ୍ତି, ହେଟା ଯଦି ସେମାନେ ଗୋଟିଏ ଅନୁଷ୍ଠାନ କରୁଛନ୍ତି, ଗୋଟିଏ ସିଷ୍ଟମରେ ଚାଲୁଛନ୍ତି, ନିତି ନିୟମରେ କାର୍ଯ୍ୟ କରୁଛି, ସେମାନେ ଆମ ପାଖକୁ ଆସିଥିଲେ, ସେମାନଙ୍କୁ ଆମେ କହିଛୁ ଓ ଜାଣିଛୁ ସେମାନେ ଡିଏଫଓଙ୍କ ଅନୁମତି ପାଇଁ ଲାଗିଛନ୍ତି । ତମେ ମିଡିଆବାଲା ଘଟଣାର ବେଶି ଖୋଳତାଡ କରୁଛ, ବେଶି ହାଇଲାଇଟ୍ କରୁଛ, ଯଦି ଜଣେ ଅନୁଷ୍ଠାନ କରିବାକୁ ଚାହୁଛି ତେବେ କରୁ । ଅନେକ ଲୋକ ଜଙ୍ଗଲ ଜମିକୁ ମାଡିବସି ଚାଷ ଓ ଘର କରିଚାଲୁଛନ୍ତି । ଆମେ କାହାକୁ କଣ କରିବୁ ଆମେ ସୁବିଧା ହେଲେ ତଦନ୍ତ କରି କେଶ ରୁଜୁ କରିବୁ, ଆମର କାଗଜପତ୍ର କାମ ଚାଲିଛି ସରିଲେ ସୁବିଧା ଦେଖି କେଶ୍ ରୁଜୁ କରିବୁ । ଆମେ କେଶ୍ କରିବା ଛଡା ଆଉ କଣ କରିବୁ, ଜଣେ ଯଦି ଜଙ୍ଗଲ ସଫା କରି ଘର ନିର୍ମାଣ କରିବ ତେବେ ଆମେ ଯାଇ ବନ୍ଦ କରୁବୁ, ହେଲେ କଣ ଦିନ ରାତି ଜଗିିବସିବୁ । ଏହିଭଳି ଖାମଖିଆଲି ମନୋଭାବ ରଖୁଥିବା କାର୍ଯ୍ୟରତ ବନପାଳଙ୍କ ସୂଚନାକୁ ନେଇ ସେ ଏହିକାର୍ଯ୍ୟ ପାଇଁ ଯୋଗ୍ୟ ନୁହେଁ ବୋଲି ବୁଦ୍ଧିଜୀବି ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି । ନିର୍ମାଣ କରୁଥିବା ବ୍ୟକ୍ତିଙ୍କ ନାମରେ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୈାଣସି କେଶ୍ ରୁଜୁ କରିନଥିବା ସହ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଉକ୍ତ ବ୍ୟକ୍ତି ଲୋକ ଓ ବିଭାଗକୁ ଚ୍ୟାଲେଞ୍ଜ ଦେଇ ଘର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ଏଥିପ୍ରତି ବନବିଭାଗର ଉଚ୍ଚପଦସ୍ତ ଅଧିକାରୀ ଦୃଷ୍ଟି ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆଇନ୍ ଅନୁଯାୟୀ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଇଛି । ନଚେତ ଆଗାମୀ ଦିନରେ ଏଠାକାର ଲୋକମାନେ ଆନ୍ଦୋଳନର ବାଟ ଆପଣାଇବା ସହ ରାଜରାସ୍ତାକୁ ଉହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.