Home ଓଡ଼ିଶା ଜଗନ୍ନାଥଙ୍କ ରଥଯାତ୍ରାର ବ୍ୟବସାୟୀକରଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବିକଲା ସମାଜବାଦୀ ପାର୍ଟି

ଜଗନ୍ନାଥଙ୍କ ରଥଯାତ୍ରାର ବ୍ୟବସାୟୀକରଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବିକଲା ସମାଜବାଦୀ ପାର୍ଟି

510

ଭୁବନେଶ୍ୱର, ୯ା୬ (ଓଡ଼ିଆ ପୁଅ) : ବିଶ୍ୱର ସାଧାରଣ ମଣିଷର ଦେବତା ଜଗନ୍ନାଥଙ୍କର ରଥଯାତ୍ରା-୨୦୧୯ର ପ୍ରସାରଣର ବ୍ୟବସାୟୀକରଣ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଗତ ୪ ତାରିଖ ଦିନ ଏକ ଚିଠି ଜରୀଆରେ (ଚିଠି ନଂ-୫୯୧୭, ତାରିଖ ୪.୬.୨୦୧୯ ଦିନ) ବିଜ୍ଞପ୍ତି ଜାରି କରାଯାଇଛି। ଏହାଫଳରେ ବିଶ୍ୱର କୋଟିକୋଟି ଜଗନ୍ନାଥ ପ୍ରେମୀ ରଥଯାତ୍ରାର ସିଧାସଳଖ ପ୍ରସାରଣ ଦେଖିବାରୁ ବଞ୍ଚିତ ହେବେବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। ପାର୍ଟିର ରାଜ୍ୟସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ଏହି ରଥଯାତ୍ରାର ବ୍ୟବସାୟୀକରଣ ବନ୍ଦ କରିବାକୁ ଦାବି କରିଛନ୍ତି। ଏହି ଚିଠିରେ ସେ ଦର୍ଶାଇଛନ୍ତି ଯେ, ମନ୍ଦିର ପ୍ରଶାସନ ଜଗନ୍ନାଥଙ୍କର ହଜାର ହଜାର ଏକର ଜମି ଯାହାକୁ କି ବହୁ ଭୂମି ମାଫିଆମାନେ ମାଡ଼ିବସିଛନ୍ତି, ତାହାକୁ ଉଦ୍ଧାର କରିବାରେ ବିଫଳ ହୋଇଥିବା ବେଳେ ରଥଯାତ୍ରାର ସିଧାସଳଖ ପ୍ରସାରଣ ନିମନ୍ତେ ଟେଣ୍ଡର ଡାକି ପ୍ରସାରଣ ଦାୟିତ୍ୱ ଦେବାର ଯେଉଁ ମସୁଧା କରିଛନ୍ତି, ତାହା ଜଗନ୍ନାଥଙ୍କ କୋଟିକୋଟି ଭକ୍ତଙ୍କ ମନରେ ଆଘାତ ଦେଇଛି। ଏହାଫଳରେ ଆସନ୍ତା ରଥଯାତ୍ରା ସମୟରେ ଟି.ଭି. ପ୍ରସାରଣ ଅଧିକାରକୁ ନେଇ ଭକ୍ତମାନଙ୍କ ଭିତରେ ଅଶାନ୍ତି ଓ ଅସନ୍ତୋଷର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ରାଜ୍ୟର ସର୍ବୋଚ୍ଚ ମୁଖ୍ୟ ଭାବେ ମନ୍ଦିର ପ୍ରଶାସନର ଏହି ‘ତେଲିଆ ମୁଣ୍ଡରେ ତେଲ’ ନିଷ୍ପତ୍ତିକୁ ତୁରନ୍ତ ବନ୍ଦ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି। ସରକାର ଯଦି ଏ ଦିଗରେ ବିହୀତ ପଦକ୍ଷେପ ନ ନିଅନ୍ତି, ତା’ହେଲେ ଗଣଦେବତା ଜଗନ୍ନାଥଙ୍କର ରଥଯାତ୍ରାର ସିଧା ପ୍ରସାରଣ ଦେଖିବାର ଭକ୍ତମାନଙ୍କ ଭିତରେ ଯେଉଁ ଆଗ୍ରହ ଓ ଉତ୍ସାହ ଥାଏ ତାହା ମଉଳିଯିବ। ତେଣୁ ମନ୍ଦିର ପ୍ରଶାସନର ଏହି ବ୍ୟବସାୟୀକ ମନୋବୃତ୍ତି ଓ ଅପରିଣାମଦର୍ଶୀ ନିଷ୍ପତ୍ତି ବନ୍ଦ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଏହି ଚିଠିରେ ଦାବି କରିଛନ୍ତି। ତାହା ନ ହେଲେ ଆଗାମୀ ଦିନରେ ଜଗନ୍ନାଥ ସଂସ୍କୃତିର ହିତ ଦୃଷ୍ଟିରୁ ଏବଂ କୋଟିକୋଟି ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ସମାଜବାଦୀ ପାର୍ଟି ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବାରେ ପଛଘୁଞ୍ଚା ଦେବନାହିଁ ବୋଲି ଏହି ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.