Home Top News ଛାଡଖାଇ ପ୍ରସ୍ତୁତି

ଛାଡଖାଇ ପ୍ରସ୍ତୁତି

156

କାର୍ତ୍ତିକ ମାସକୁ ଶ୍ରେଷ୍ଠ ମାସ ବା ଧର୍ମ ମାସ ବୋଲି କୁହାଯାଏ। ଏହି ମାସ ରେ ଶ୍ରଦ୍ଧାଳୁ ମାନେ ଆମିଷକୁ ବାରଣ କରି ସାତ୍ତ୍ବିକ ଭୋଜନ ଗ୍ରହଣ କରିଥାନ୍ତି। ସମସ୍ତେ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି ଏବଂ ବିଶ୍ୱାସ କରାଯାଏ ଯେ ଏହି ମାସରେ ବଗ ମଧ୍ୟ ଆମିଷ ଛାଡ଼ି ଦେଇଥାଏ। କିନ୍ତୁ ଗୋଟେ କଥା ଭାବିଲା ବେଳକୁ ଆଶ୍ଚର‌୍ୟ୍ୟ ଲାଗୁଛି। ପୁର୍ଣିମା ପର ଦିନ ବା ଛାଡଖାଇ ଦିନ ର କଥା, ଏହି ଦିନରେ ଆମିଷ ଖାଇବା ଯେମିତି ଗୋଟେ ପୂର୍ବ ନିର୍ଧାରିତ। ମାସ ସାରା ସିନା ନିରାମିଷ ରେ ଚାଲିଯାଏ କିନ୍ତୁ ମନ ଭିତରେ ଥାଏ କେମିତି ପୁର୍ଣିମା ସରିବ ଆଉ ଆମିଷ ଟିକେ ପାଟିରେ ବାଜିବ ତେଣୁ ଆଗ୍ରହ ର ସହିତ ଛାଡଖାଇ ପାଳିବାକୁ ପ୍ରସ୍ତୁତି କରିଥାନ୍ତି। ଏପରିକି ବହୁ ଆଗରୁ ଚିଠା ତିଆରି ସରିଯାଇଥାଏ। କେଉଁଠି ଭଲ ଖାସି ମାଂସ ମିଳିବ, ମାଛ ଓ ଚିକେନର ଭେରାଇଟି କେଉଁଠି ଅଧିକ ତାର ସନ୍ଧାନ ମଧ୍ୟ କରାଯାଇଥାଏ। ଅନେକ ଲୋକ ଆଗୁଆ ଅର୍ଡର ମଧ୍ୟ ଦେବାକୁ ଭୁଲି ନଥାନ୍ତି ଯେମିତିକି ବିନା ପାଣିର ଭଲ ଖାସି ମାଂସ, ଭଲ ଦେଶୀ ମାଛ ମିଳିପାରିବ। ଆମିଷ ବଜାରରେ ଦେଖିବାକୁ ମିଳେ ପ୍ରବଳ ଭିଡ। ଗ୍ରାହକଙ୍କ ଉତ୍ସାହକୁ ଦେଖି ଆମିଷ ବ୍ୟବସାୟୀ ମଧ୍ୟ ପୂର୍ବ ପ୍ରସ୍ତୁତି କରିଥାନ୍ତି ପୁଣି ମାସେ କାଳ ବେପାର ଟିକେ ମାନ୍ଦା ଥିବାରୁ ବେପାର ଟିକେ ଭଲ ହେବ ବୋଲି ଆଶା ବାନ୍ଧି ବସିଥାନ୍ତି।

ଗତ ବର୍ଷ ର କଥା ଧର୍ମପତ୍ନୀ ମୋର ମାସ ସାରା ଆମିଷ ଘରକୁ ଆସିବା ନିଷେଧ କରିଥାନ୍ତି। ଯଦି ଭୁଲବଶତଃ ମୁଁ କେଉଁ ଦିନ ଆମିଷ ଘରକୁ ନେଇ ଆସିଥାଏ ତେବେ ସେଦିନ ଘରେ ତୁମୁଳ କାଣ୍ଡ ହୋଇଯାଏ, ମୁଁ ବି ତାଙ୍କ କଥାକୁ ସମ୍ମାନ ଦେଇଥାଏ। କିନ୍ତୁ ମାସକ ଯାକ ଆମିଷ ବିଷୟରେ କିଛି କିଛି ଆଲୋଚନା ହୁଏ, ଯେମିତିକି ଆଉ କେତେ ଦିନ ରହିଲା, କେତେ ଦିନ ହୋଇଗଲାଣି ଆମିଷ ଟିକେ ପାଟିରେ ବାଜିନି, ଛାଡଖାଇ ଟା ଭଲରେ କରିବା। ସବୁଠାରୁ ବେଶି ଆଲୋଚନା ହୁଏ ପୁର୍ଣିମା ଦିନ ରାତିରେ, ଧର୍ମପତ୍ନୀ କହିଲେ, ହଇହେ ତମେ ସିନା ଲୁଚାଉଛ କିନ୍ତୁ କେତେବେଳେ ବି ହେଲେ ତମେ ବାହାରେ ଆମିଷ ଖାଇ ଦେଇଥିବ ହେଲେ ମୁଁ ମାସ ସାରା ଖାଇନି। ସେପଟୁ ପୁଅ କହିଲା ବାବା ଏଥର ଟିକେ ଭଲ ଖାସି ମାଂସ ଆଣିବ, ଭଲ ଜାଗାରୁ। ମୁଁ କହିଲି ଭଲ ଜାଗା କେଉଁଠି କି ? କହିଲା ଚାନ୍ଦୋଳ ରେ ଭଲ ମାଂସ ମିଳେ, ସେମାନେ ପାଣି ମିଶାନ୍ତିନି। ମୋତେ ଟିକେ ବିରକ୍ତ ଲାଗିଲା, ମୁଁ କହିଲି ତମେ ମାନେ ଏମିତି କାହିଁକି ହଉଛ ? ପ୍ରତି ବର୍ଷ ଏହି ସମୟରେ ଆମିଷ କୁ ନେଇକି ଗୋଟେ ପାଲା ଚାଲିଛି। ଏତିକି ପାଟିରୁ ସରିନି ଧର୍ମପତ୍ନୀ କହିଲେ ହଁ ହଁ ଆମ କଥା ଶୁଣିବାକୁ ତମକୁ କଷ୍ଟ ହଉଛି, ମୁଁ ଜାଣିଛି ନିଜେ ଯାଇକି ଖାଇ ଦଉଚ, ଆମେ ମାସ ସାରା ଖାଇନୁ। ତେଣୁ ଯେମିତି ହଉ ଭଲ ଖାସି ମାଂସ ଚାନ୍ଦୋଳ ରୁ ଆଣିବ। ମୁଁ କହିଲି କି ଅଜବ କଥା ଗୁଡା କହୁଛ, ଆମ ଘର ପାଖରୁ ଚାନ୍ଦୋଳ ବଜାର ୩୦ କିଲୋମିଟର, ଯିବା ଆସିବା ମିଶିକି ୬୦ କିଲୋମିଟର, ତେଲ ର ମୂଲ୍ୟ ତମକୁ ଜଣ ନାହିଁ କି ? ତେଣୁ ଘର ପାଖରେ ଯାହା ମିଳିବ ତାହା ଆଣିବି। ଏତିକି ଶୁଣିଲା ପରେ ଧର୍ମ ପତ୍ନୀ କହିଲେ କିଛି ଶୁଣିବିନି, ପୁଅ କହୁଛି, ମୁଁ କହୁଛି, ଆମ କଥା ରହିବନି, ତମେ ଯାହା ଚାହିଁବ କ’ଣ ସେଇଆ ହବ ? ଘର ପାଖରେ କ’ଣ ଟା ମିଳୁଛି ? ତମ ଭଳି କଂଜୂସ ମୁଁ କେଉଁଠି ଦେଖିନି। ଘର ପାଖରୁ ସେ ଅଣ୍ଡା ୬ ଟା ଆଣି ଥୋଇଦେବ, ସେ କଥା ହେଇପାରିବନି, ଆନ୍ଧ୍ର ମାଛ ଆଣିଲେ ଫୋପାଡ଼ି ଦେଵି, ଚିକେନ କଥା ଛାଡ ସେଗୁଡା ସବୁବେଳେ ଖାଇ ଖାଇ ବିରକ୍ତ ଲାଗିଲାଣି। ମୁଁ କହିଲି ମାଛ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ତେଣୁ ଭଲ ଭେକଟି କିମ୍ବା ଅନ୍ୟ ସମୁଦ୍ର ମାଛ ଆଣିବା। ଧର୍ମପତ୍ନୀ କହିଲେ ସେଗୁଡା ପରେ ଖାଇବା କିନ୍ତୁ ଛାଡଖାଇ ରେ ଖାସି ମାଂସ ଖାଇବୁ। ଏତେ ପ୍ରକାର କଥା ଶୁଣି ଆଉ ଆଲୋଚନା କୁ ଆଗକୁ ନନେଇ ନିଷ୍ପତି କଲି ରାତିରୁ ଉଠି ଚାନ୍ଦୋଳ ଯିବି ଆଉ ଖାସି ମାଂସ ଆଣିବି। ଚାନ୍ଦୋଳ ରେ ପହଞ୍ଚି ଦେଖିଲି ଲମ୍ବା ଲାଇନ ଲାଗିଛି, ମାଂସ କିଲୋ କେତେ କିଏ ପଚାରୁଛି? କେମିତି କ’ଣ କଳେବଳେ ମିଳିଯିବା ଦରକାର। ଯାହା ହଉ ଜଣେ ସ୍ଥାନୀୟ ଲୋକର ସହାୟତାରେ ମୋତେ ଗୋଟେ କିଲୋ ମିଳିଗଲା। ମାଂସ ନେଇକି ଆସୁଥାଏ, ମୋତେ ଲାଗୁଥାଏ ଯେମିତି ମୁଁ ଗୋଟେ ବିରାଟ ବିଜୟ କରି ଘର ଅଭିମୁଖେ ଯାତ୍ରା କରୁଛି।

ତାପର ଦିନ ଧର୍ମପତ୍ନୀ ଙ୍କୁ କହିଲି ଖାଦ୍ୟ ତିନି ପ୍ରକାର ଯଥା ସାତ୍ତ୍ୱିକ, ରାଜସିକ ଓ ତାମସିକ। ତୁମେ ଯେଉଁ ପ୍ରକାର ର ଖାଦ୍ୟ ଖାଇବ ସେହି ଭଳି ଗୁଣ ପ୍ରାପ୍ତ କରିବ। ତେଣୁ ଏହା ଆମ ଜୀବନ କୁ ପ୍ରଭାବିତ କରିଥାଏ, ଖାଲି ଜିହ୍ବା ଲାଳସା କଲେ କ’ଣ ହବ ? ବିଶ୍ୱରେ ସର୍ବାଧିକ ନିରାମିଷାଶୀ ଆମ ଦେଶରେ ଅଛନ୍ତି ଓ ଭାରତ ବାହାରେ ଅନେକ ବିଶ୍ୱ ବିଖ୍ୟାତ ମଣିଷ ଅଛନ୍ତି ଯେଉଁମାନେ ନିରାମିଷାଶୀ ଥିଲେ। ସେହି ମହାନ ମଣିଷ ମାନେ ହେଲେ ଆଇନ୍‌ଷ୍ଟାଇନ୍, ନିଉଟନ୍, ପିଥାଗୋରାସ୍, ସକ୍ରେଟିସ୍, ଲିଓନାଡ୍, ଏଡିସନ୍, ଏମିତି ଅନେକ। ପୁର୍ଣିମା ପରଦିନ ଆମିଷ ଖାଇବା କ’ଣ ନିହାତି ଜରୁରୀ ? ଦିନେ କିମ୍ବା ଦୁଇ ଦିନ ପରେ ଆମିଷ ଖାଇଲେ ଚାଲିବନି କି ? ଯଦି ପୁର୍ଣିମା ର ପୂର୍ବରୁ ଆମେ ଖାଲି ଆମିଷ ଆମିଷ ହବା ତାହେଲେ ଆମର ମନ ଟା ଆମିଷ ପାଖରେ ଥିଲା, ଏତେ ଆକର୍ଷଣ କ’ଣ ପାଇଁ ? ଯେମିତି ସେଇଟା ଖାଇଦେଲେ ସବୁ କିଛି ମିଳିଯିବ ଆମକୁ। ଆମିଷ ଖାଇବାକୁ ମୁଁ ମନାକରୁ ନାହିଁ କିନ୍ତୁ ପୁର୍ଣିମା ସରୁ ସରୁ ଏମିତି ହବା କେତେଦୂର ଯଥାର୍ଥ ? ମୁଁ ଭାବୁଛି ମୋ କଥା କୁ ଧର୍ମପତ୍ନୀ ଠିକ୍ ରେ ବୁଝିପାରିଥିବେ, ଦେଖିବାକୁ ରହିଲା ଏ ବର୍ଷ କଣ ହଉଛି ?

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.