Home ଓଡ଼ିଶା ଛଟେଇ ବଦଳରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ରାଜ୍ୟସରକାର:ଉମାକାନ୍ତ ପଟ୍ଟନାୟକ

ଛଟେଇ ବଦଳରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ରାଜ୍ୟସରକାର:ଉମାକାନ୍ତ ପଟ୍ଟନାୟକ

105

ରାଜ୍ୟସରକାର ରାଜକୋଷରେ ଅର୍ଥ ନଥିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେବା ପ୍ରସଙ୍ଗ
– ରାଜ୍ୟସରକାର ତୁରନ୍ତ ଆଉଟସୋର୍ସିଙ୍ଗ ସମେତ କଂଟ୍ରାକ୍‌ଚୁଆଲ ରିକୁରମେଂଟ ପଲିସକୁ ବନ୍ଦ କରନ୍ତୁ
– ସମସ୍ତ ନିଯୁକ୍ତକୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ କର୍ମଚାରୀଙ୍କୁ ଯେତିକି ଦରମା ମିଳୁଛି ସେହି ଦରମାରେ ନିଯୁକ୍ତି ଦିଅନ୍ତୁ ରାଜ୍ୟସରକାର
– ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ପ୍ରକ୍ରିୟାକୁ ରାଜ୍ୟସରକାର ସମ୍ପୃର୍ଣ୍ଣ ବନ୍ଦ କରନ୍ତୁ
– ସମସ୍ତ ଘରୋଇ ଶିଳ୍ପ କାରଖାନା ନିଯୁକ୍ତିରେ ଓଡିଶାର ସ୍ଥାନୀୟ ପିଲାଙ୍କ ନିଯୁକ୍ତିକୁ ସୁନିଶ୍ଚିନ୍ତ କରାଯାଉ
– ୨୦୦୮ ଓ ୨୦୧୩ରେ ରାଜ୍ୟସରକାରଙ୍କ ଘୋଷଣା ଅନୁଯାୟୀ ଅଣକୁଶଳୀ ଓ ଅର୍ଦ୍ଧ କୁଶଳୀରେ ୯୦%, କୁଶଳୀ ଶ୍ରମିକ କ୍ଷେତ୍ରରେ ୬୦%, ସୁପରଭାଇଜର ପଦବୀରେ ୩୦% ସରକ୍ଷଣ ବ୍ୟବସ୍ଥାକୁ ଲାଗୁ କରନ୍ତୁ
– ସରକାରୀ ନିଯୁକ୍ତିକୁ ରାଜ୍ୟ ସରକାର କମାଇ ରାଜ୍ୟରେ ବେକାର ଯୁବକ ଯୁବତୀମାନଙ୍କୁ ପ୍ରତାରଣା କରିଛନ୍ତି
– ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜୁ ଯୁବବାହିନି ଗଠନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି କିନ୍ତୁ ରାଜ୍ୟର ଯୁବକ ଯୁବତୀମାନଙ୍କୁ ପଇସା ଦେଲାବେଳକୁ ସରକାରଙ୍କ ପାଖରେ ପଇସା ନାହିଁ
– ବିଗତ ୨୦ ବର୍ଷରେ ରାଜ୍ୟରେ ନିଯୁକ୍ତି ଯୋଗାଇ ଦେବା କୌଣସି ବଡଶିଳ୍ପ ଆସିପାରିଲା ନାହିଁ
– ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ଓଡିଶାବାସୀଙ୍କୁ ଏବଂ ଓଡିଆ ଯୁବକ ଯୁବତୀମାନଙ୍କୁ ଭୂଆଁ ବୁଲାଇବେ ।

ଭୁବନେଶ୍ୱର, ତା-୨୮/୮: ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି। ଆଉ ଏବେ କରୋନା ସଙ୍କଟ ସମୟରେ ରାଜ୍ୟସରକାର ଠିକା କର୍ମାଚାରୀ ମାନଙ୍କୁ ଛଟେଇ କରିବା ପାଇଁ ନିଷ୍ପତି ନେଇଛନ୍ତି। ରାଜ୍ୟସରକାର ରାଜକୋଷରେ ଅର୍ଥ ନଥିବାର ଆଳ ଦେଖାଇ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି। ଗୋଟିଏପଟେ ରାଜ୍ୟସରକାର ଯୁବକମାନଙ୍କ ପାଇଁ ନିଯୁକ୍ତିକୁ ବନ୍ଦ କରିବାକୁ ଯାଉଛନ୍ତି ଅନ୍ୟପଟେ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଆଉ ଥରେ ଅଧିକ ଦରମାରେ ନିଯୁକ୍ତି ଦେଉଛନ୍ତି। ବେକାର ଯୁବକ ଯୁବତୀଙ୍କୁ ରାଜ୍ୟସରକାର ଅଣଦେଖା କରି ସେମାନଙ୍କୁ ଏହି କରୋନା ସଙ୍କଟରେ ଆର୍ଥିକ ସ୍ତରରେ ଆହୁରି ଦୁର୍ବଳ କରିଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ଉମାକାନ୍ତ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଠିକା କର୍ମଚାରୀମାନଙ୍କୁ ଛଟେଇ କରିବା ପ୍ରସଙ୍ଗରେ ବିରୋଧୀ ଦଳର ନେତା ପ୍ରତିବାଦ କରିବାରୁ ଅବଧି ସରିଲା ପର୍ଯ୍ୟନ୍ତ ଠିକା କର୍ମଚାରୀମାନେ କାମ କରିବେ ଏବଂ ଏହା ପରେ ଆଉ ସେମାନଙ୍କ ନବୀକରଣ କରାଯିବ ନାହିଁ ବୋଲି ରାଜ୍ୟସରକାର ସୂଚନା ଦେଇଛନ୍ତି। କିନ୍ତୁ ବିଧାୟକ ସଂଜୟ ଦାସବର୍ମା ସରକାରୀ ଅର୍ଥରେ ହେଲିକାପ୍ଟରରେ ବୁଲିବେ। ୫ଟି ସଚିବ କୋଭିଡ ପରିଚାଳନା ତଦାରଖ କରିବା ପାଇଁ ମାତ୍ର ୧୦୦ କିମି ବି ସଡକ ପଥରେ ଯାଇପାରିବେ ନାହିଁ, ସେ ବି ହେଲିକପ୍ଟରରେ ବୁଲି ତଦାରଖ କରିବେ। ପିପିଇ କିଟ, ପିପିଇ ମାସ୍କକୁ ୨ ଗୁଣା ଅଧିକ ଦରରେ କିଣାଯାଇ ପାରିବ। ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜୁ ଯୁବବାହିନି ଗଠନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ରାଜ୍ୟର ଯୁବକ ଯୁବତୀମାନଙ୍କୁ ପଇସା ଦେଲାବେଳକୁ ସରକାରଙ୍କ ପାଖରେ ପଇସା ନାହିଁ। ରାଜ୍ୟରେ ଘରୋଇ ନିଯୁକ୍ତି ନାହିଁ। ଆଗାମୀ ଦିନରେ ରାଜ୍ୟରେ ୨ଲକ୍ଷରୁ ଉର୍ଦ୍ଧ୍ୱ ଯୁବକ ଚାକିରୀ ହରାଇବେ। ବିଗତ ୨୦ ବର୍ଷରେ ରାଜ୍ୟରେ ନିଯୁକ୍ତି ଯୋଗାଇ ଦେବା ପାଇଁ ସେହିଭଳି କୌଣସି ବଡଶିଳ୍ପ ଆସିପାରିଲା ନାହିଁ। ମେକ ଇନ ଓଡିଶା ସଂପୂର୍ଣ୍ଣଭାବେ ରାଜ୍ୟରେ ଫେଲ ମାରିଛି। ଏଥିରେ ଯାହା ପୁଜିଂ ନିବେଶ ପାଇଁ ପ୍ରସ୍ତାବ ଥିଲା ତାହାର ୧୦ ପ୍ରତିଶତ ବି ଆସିଲାନି। ଏମିତି ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ଓଡିଶାବାସୀଙ୍କୁ ଏବଂ ଓଡିଆ ଯୁବକ ଯୁବତୀମାନଙ୍କୁ ଭୂଆଁ ବୁଲାଇବେ ।

ଚଳିତ ଅଗଷ୍ଟ ୯, ୨୦୨୦ରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ରାଜ୍ୟରେ ସରକାରୀ ନିଯୁକ୍ତିରେ ଗ୍ରୁପ ବି, ଗ୍ରୁପ ସି ଓ ଗ୍ରୁପ ଡି ପଦବୀରେ ଯେଉଁ ଭଳି ଭାବେ ଠିକାରେ ନିଯୁକ୍ତି ଦିଆଯାଇ ସେମାନଙ୍କୁ ସେମାନଙ୍କର ସର୍ବନିମ୍ନ ଦରମାରୁ ବଂଚିତ କରାଯାଉଛି ଓ ଅନେକକ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ସରକାରୀ କାମ ବି ବିଭିନ୍ନ ଏମ୍ପ୍ଲୟମେଂଟ ଏଜେନସି ଦ୍ୱାରା କରାଯାଉଛି, ଏ ତମାମ ଅସଙ୍ଗତିକୁ ନେଇ ରାଜ୍ୟସରକାରଙ୍କୁ ଜବାବ ଦାଖଲକରିବା ପାଇଁ ନୋଟିସ ଦେଇଛନ୍ତି। ଓଡିଶାରେ ବର୍ତମାନ ରାଜ୍ୟସରକାର ୨୦୧୩ ଠାରୁ ରାଜ୍ୟର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ସରକାରୀ ନିଯୁକ୍ତି ନାଁରେ ପ୍ରବଚଂନା ଦେଇ ଆସୁଛନ୍ତି। ପୁର୍ବରୁ ପ୍ରଥମେ ରାଜ୍ୟସରକାର ୭୫% ବେସ ଲେବେଲ ପଦବୀକୁ ହଟାଇ ଦେଇଥିଲେ। କେବଳ ଗ୍ରୁପ ଏ କୁ ଛାଡିଦେଲେ ବାକି ସମସ୍ତ ଗ୍ରୁପ ବି, ସି ଓ ଡିରେ ଏହି ଛଟେଇ ଆଗରୁ ହୋଇଥିଲା। ସରକାରୀ ନିଯୁକ୍ତିକୁ ରାଜ୍ୟ ସରକାର କମାଇ ରାଜ୍ୟରେ ବେକାର ଯୁବକ ଯୁବତୀମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

୨୦୧୩ରେ ଏକ ଗେଜେଟ ନୋଟିଫିକେସନରେ ରାଜ୍ୟସରକାର ରେଗୁଲାର ପଦରେ ନିଯୁକ୍ତି ବଦଳରେ ଠିକା ନିଯୁକ୍ତି ଆରମ୍ଭ କଲେ। ଦୁଇ ପ୍ରକାର ନିଯୁକ୍ତି ପ୍ରକିୟା ଆରମ୍ଭ ହେଲା। ଗୋଟିଏ ହେଲା ସରକାର ନିଜେ ସିଧାସଳଖ ଓପିଏସସି, ଏସଏସସି, ବିଭିନ୍ନ ବିଭାଗ, କଲେକ୍ଟୋରେଟ ମାଧ୍ୟମରେ ଯେଉଁ ନିଯୁକ୍ତି ଦେଲେ ତାକୁ ଠିକାରେ ଦେଲେ। ଏମାନେ ସମସ୍ତେ ୬ ବର୍ଷ ପାଇଁ ଦୈନିକ ମାତ୍ର ୨୫୦ରୁ ୪୦୦ଟଙ୍କା ମଜୁରି ପାଇ କଂଟ୍ରାକ୍‌ଚୁଆଲ କାମ କରିବେ। ନିୟମିତ ପୋଷ୍ଟରେ ଚାକିରି କରୁଥିବା ଅନ୍ୟ କର୍ମଚାରୀଙ୍କୁ ମିଳୁଥିବା କୌଣସି ସୁବିଧା ଏମାନଙ୍କୁ ମିଳିବ ନାହିଁ କିନ୍ତୁ ସମାନ କାମ ରହିବ। ଯେଉଁଠି ଗ୍ରୁପ ସି ଚାକିରିଆ ପାଇବା କଥା ମାସିକ ୨୧ ହଜାର ଟଙ୍କାରୁ ୩୪ ହଜାର ଟଙ୍କା ସେ ବର୍ତମାନ ପାଉଛି ମାସିକ ମାସ ୮୭୫୦ ଟଙ୍କା। ସରକାର ସେହି ୬ ବର୍ଷରେ ଯେବେ ଚାହିଁବେ ଯେତେବେଳେ ଚାହିଁବେ ବିନାକାରଣରେ ଚାକିରୀରୁ କାଢିଦେଇ ପାରିବେ। ଆଉ ଗୋଟିଏ ପ୍ରକାରର ନିଯୁକ୍ତି ହେଲା ଆଉଟସୋର୍ସିଙ୍ଗ ବା କନସଲଟାନସି ମାଧ୍ୟମରେ। ସରକାର କନସଲଟାନସିଙ୍କୁ ପଇସା ଦେବେ ସେ କନସଲଟାନସି ଠିକାରେ କର୍ମଚାରୀ ଯୋଗାଇବ। କମିଶନ ଆକାରରେ ଭଲ ପଇସା କମାଇବ କନସଲଟାନସି କିନ୍ତୁ ବିଚରା ଚାକିରୀ କରିଥିବା ଯୁବକ ବା ଯୁବତୀଟି କମ ଦରମାରେ କାମ କରିବ। ସେ କନସଲଟାନସି ଗୁଡିକ ଅବସର ପ୍ରାପ୍ତ ଆଇଏଏସ, କେଉଁଠି କେଉଁ ମନ୍ତ୍ରୀ ବା ଆଇଏସଙ୍କ ସ୍ତ୍ରୀ ନାଁରେ ଚାଲିଛି। ସରକାର ଏ ବ୍ୟବସ୍ଥା ଆରମ୍ଭ କରିଛନ୍ତି କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ଲାଭ ପହଂଚାଇବା ପାଇଁ। ଏହି ଦୁଇଟି ଯାକ ନିଯୁକ୍ତି ହେଉଛି ସମ୍ପୃର୍ଣ୍ଣ ଅସମ୍ବିଧାନିକ ଯାହାକୁ ନେଇ ମାନ୍ୟବର ହାଇକୋର୍ଟ ଏବେ ରାଜ୍ୟସରକାରଙ୍କୁ ନୋଟିସ ଦେଇଛନ୍ତି। ଏପରିକି ଏହି ନୀତିରେ ରାଜ୍ୟ ସରକାର ନିର୍ଦ୍ଧାରଣ କରିଥିବା ‘ବେସ ପେ ଏବଂ ଗ୍ରେଡ ପେ’ କୁ ସପ୍ତମ ବେତନ କମିଶନ ଆଧାରରେ କର୍ମଚାରୀଙ୍କୁ ଦିଆଯାଉନାହିଁ, ଯାହାଫଳରେ ପିଛିଲା କର୍ମଚାରୀମାନେ ଏକ ତୃତୀୟାଂଶରୁ କମ୍ ବେତନ ପାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଆର୍ଟିକିଲ ୧୪- ସମାନତାର ଅଧିକାର। ଆର୍ଟିକିଲ ୧୬ – ସରକାରୀ ଚାକିରୀରେ ସମାନ ସୁବିଧା ଓ ସମାନ ଅଧିକାର। ଏହି ଦୁଇଟି ଯାକରେ ସମାନ କାମକୁ ସମାନ ଦରମା ଆସୁଛି ଯାହାକୁ ରାଜ୍ୟସରକାର ପାଳନ କରୁନାହାଁନ୍ତି। ଏହାଛଡା ଦୁଇଟି ସୁପ୍ରିମକୋର୍ଟରୁ ଲିଙ୍ଗକୁ ବି ରାଜ୍ୟସରକାର ମାନୁନାହାଁନ୍ତି। ଗୋଟିଏ ହେଲା ୧୦ ଏପ୍ରିଲ ୨୦୦୬ରେ ସୁପ୍ରିମକୋର୍ଟର ରାୟରେ କର୍ଣ୍ଣାଟକ ସରକାରକୁ ଦେଇଥିବା ନିର୍ଦ୍ଦେଶ। ସରକାର ସବୁବେଳେ ରେଗୁଲାର ପଦରେ ନିଯୁକ୍ତି ହେବ। ସରକାରଙ୍କ ଯେଉଁ କାମ ଗୁଡିକ ନିୟମିତ ହେଉଛି ଓ ସେଥିପାଇଁ ସେଠାରେ ଚାକିରୀ କରୁଥିବା କର୍ମଚାରୀମାନେ ନିୟମିତ ହାରରେ ଦରମା ଦେବେ। ରାଜ୍ୟ ହେଉଛି ମଡେଲ ଏମ୍ପଲୋୟର ବା ଆଦର୍ଶ ନିଯୁକ୍ତିଦାତା। ସରକାର ନିଯୁକ୍ତି ନାଁରେ ଶୋଷଣ କରିପାରିବେ ନାହିଁ କି ଆଇନ କାନୁନର ଆଳ ଦେଖାଇ କାମକରୁଥିବା କର୍ମଚାରୀ ମାନଙ୍କୁ କମ୍ ଦରମା ଦେଇ ଠକି ପାରିବେ ନାହିଁ। ଆଉ ଗୋଟିଏ ହେଲା ୨୦୧୬ରେ ଯେଉଁଠି ସୁପ୍ରିମକୋର୍ଟ କହିଥିଲେ ସମାନ କାମକୁ ସମାନ ଦରମା। ରାଜ୍ୟସରକାରଙ୍କର କୁଶଳୀ ଶ୍ରମିକମାନଙ୍କର ସର୍ବନିମ୍ନ ଧାର୍ଯ୍ୟ ମଜୁରିହେଲା ୪୪୮ ଟଙ୍କା। ତାହା ବି ବର୍ତମାନ ଷ୍ଟାଫ ସିଲେକ୍ସନ ପରୀକ୍ଷା ପାସ କରି ଚାକିରୀ କରୁଥିବା ପିଲାଙ୍କୁ ମିଳୁନାହିଁ। ଓଡିଶା ସରକାର ସମ୍ବିଧାନ ଓ ସୁପ୍ରିମକୋର୍ଟର ନିୟମକୁ ବେଖାତିର କରି ଠିକା ନିଯୁ୍‌କ୍ତି ଦେଇ ଚାଲିଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ରାଜ୍ୟସରକାର ରିକ୍ୟୁମେଂଟ ସମେତ କଂଟ୍ରାକ୍‌ଚୁଆଲ ପଲିସକୁ ବନ୍ଦ କରନ୍ତୁ। ଆଉଟସୋର୍ସିଙ୍ଗ ସମେତ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ। ସମସ୍ତ ନିଯୁକ୍ତିକୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ କର୍ମଚାରୀଙ୍କୁ ଯେତିକି ଦରମା ମିଳୁଛି ସେହି ଦରମାରେ ନିଯୁକ୍ତି ଦିଅନ୍ତୁ। ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଯେଉଁଭଳି ପୁନଃ ନିଯୁକ୍ତି ଦିଅଯାଉଛି ତାକୁ ସରକାର ସମ୍ପୃର୍ଣ୍ଣ ବନ୍ଦ କରନ୍ତୁ। ସମସ୍ତ ଘରୋଇ ଶିଳ୍ପ କାରଖାନା ନିଯୁକ୍ତିରେ ଓଡିଶାର ସ୍ଥାନୀୟ ପିଲାଙ୍କ ନିଯୁକ୍ତିକୁ ସୁନିଶ୍ଚିନ୍ତ କରିବା ପାଇଁ ୨୦୦୮ ଓ ୨୦୧୩ରେ ରାଜ୍ୟସରକାର ଘୋଷଣା ଅନୁଯାୟୀ ଅଣକୁଶଳୀ ଓ ଅର୍ଦ୍ଧ କୁଶଳୀରେ ୯୦%, କୁଶଳୀ ଶ୍ରମିକ କ୍ଷେତ୍ରରେ ୬୦%, ସୁପରଭାଇଜର ପଦବୀରେ ୩୦% ସରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ଏହା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.