Home ଜିଲ୍ଲା ପରିକ୍ରମା ଚୋରା କୋଇଲା ରୋକିବାକୁ ଏସପିଙ୍କ ସଂକଳ୍ପ, ତିହିଡ଼ି ପୁଲିସ କୋଇଲା ମାଫିଆଙ୍କୁ ଧରିବାରେ ସଫଳ

ଚୋରା କୋଇଲା ରୋକିବାକୁ ଏସପିଙ୍କ ସଂକଳ୍ପ, ତିହିଡ଼ି ପୁଲିସ କୋଇଲା ମାଫିଆଙ୍କୁ ଧରିବାରେ ସଫଳ

7

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବିଭିନ୍ନ ଅଂଚଳରେ ଦୀର୍ଘଦିନ ହେବ ଚୋରା କୋଇଲା ଚାଲାଣ ହୋଇ ଆସୁଛି। କୋଇଲା ମାଫିଆମାନେ ସକ୍ରିୟ ହୋଇ ଚୋରା କୋଇଲା ଚାଲାଣ କରିବାରେ ସକ୍ଷମ ହେଉଛନ୍ତି। ପୁଲିସର କଡ଼ା ନଜର ସତ୍ୱେ ବି ଚୋରା କୋଇଲା ଚାଲାଣ ବନ୍ଦ ହୋଇ ପାରୁନାହିଁ। ପୁଲିସ ବିଭିନ୍ନ ସମୟରେ କୋଇଲା ମାଫିଆଙ୍କୁ ଗିରଫ କରି କୋଇଲା ଜବତ କରୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଚୋରା କୋଇଲା ଚାଲାଣ ରୋକା ଯାଇ ପାରୁନାହିଁ। ଜିଲାର ନୂତନ ଏସପି ମଡ଼କର ସନ୍ଦୀପ ସମ୍ପତ ଦାୟିତ୍ୱ ଗ୍ରହଣ କରିବା ପରେ ମୁଖ୍ୟତଃ ଚୋରା କୋଇଲା ରୋକିବାକୁ ସଂକଳ୍ପ ନେଇଛନ୍ତି। ସେ ବିଭିନ୍ନ ଥାନା ଅଧିକାରୀଙ୍କୁ ଚୋରା କୋଇଲା ଚାଲାଣ ରୋକିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବିଭିନ୍ନ ସମୟରେ ନିଜେ ଏସପି ସମ୍ପତ ଓ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ବିଭିନ୍ନ ଅଂଚଳ ଗସ୍ତ କରି ଚୋରା କୋଇଲା ଚାଲାଣ ଉପରେ ଦୃଷ୍ଟି ରଖିବା ସହିତ ବହୁ ଚୋରା କୋଇଲା ଜବତ କରିବାରେ ସକ୍ଷମ ହୋଇଛନ୍ତି। ତେବେ ଏହି ପରିପ୍ରେକ୍ଷୀରେ ତିହିଡ଼ି ଥାନା ଅଧିକାରୀ ପ୍ରସନ୍ନ କୁମାର ନାୟକ ଏସପିଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାରେ ସଫଳ ହୋଇ ଚୋରା କୋଇଲା ମାଫିଆ ଜିଝାରପୁର ଗ୍ରାମର ଶିବ ମଲ୍ଲିକଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିବାରେ ସକ୍ଷମ ହୋଇଛନ୍ତି। ତିହିଡ଼ି ଥାନାରେ ଏ ନେଇ୫୨୩/୨୪ ମକଦ୍ଦମା ରୁଜୁ କରାଯାଇଛି। ଶନିବାର ରାତିରେ ଜିଝାରପୁର ନିକଟସ୍ଥ ରେଳଲାଇନ ପାଖରେ ଏକ ପିକ୍‌ଅପ୍ କୋଇଲା ବୋଝେଇ କରି ଚାଲାଣ କରୁଥିଲା। ଏହି ସମୟରେ ପୁଲିସ ଖବର ପାଇବା ପରେ ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ ସଦଳବଳେ ସେଠାରେ ପହଂଚି ୪୦ବସ୍ତା ଚୋରା କୋଇଲା ସହିତ ପିକ୍‌ଅପ୍ ଭ୍ୟାନ ନଂ ଓଡି୨୨ଜେଡ ୩୭୧୨କୁ ଜବତ କରିଥିଲେ। ଅଭିଯୁକ୍ତ ଶିବ ୧୪ଟି ଅପରାଧରେ ସମ୍ପୃକ୍ତ ଥିବା ପୁଲିସ ପଚରା ଉଚୁରା ବେଳେ ଜାଣିବାକୁ ପାଇଥିଲା। ସେ ମଧ୍ୟ ପାଳିଆରେ ହୋଇଥିବା ସାଂପ୍ରଦାୟିକ ଗଣ୍ଡଗୋଳରେ ମୁଖ୍ୟ ଅଭିଯୁକ୍ତ ଥିଲା। ଅଭିଯୁକ୍ତ ଶିବର ଘର ପୁଲିସ ଖାନତଲାସ କରିବା ବେଳେ ଶିବର ବାପା ଗଣେଶ ବିରୋଧ କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ସାଂପ୍ରଦାୟିକ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଧରିବା ପାଇଁ ଜାଲ ବିଛେଇଛି ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.