Home ଓଡ଼ିଶା ଚୂଡାମଣୀ ବନ୍ଦର ଓ ଉପକୂଳ ବିକାଶ ପାଇଁ ସାଂସଦ ଦାବି ଉଠାଇଲେ

ଚୂଡାମଣୀ ବନ୍ଦର ଓ ଉପକୂଳ ବିକାଶ ପାଇଁ ସାଂସଦ ଦାବି ଉଠାଇଲେ

83

ଭଦ୍ରକ, ୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ଉପକୂବର୍ତ୍ତୀ ଅଞ୍ଚଳର ଆର୍ଥୀକ ବିକାଶ ବାବଦରେ ୭ଟି ଜିଲ୍ଲାର ସାଂସଦମାନଙ୍କ ସହ ଆଜି କେନ୍ଦ୍ର ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାନ୍ଦଭିୟା ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭୁବନେଶ୍ୱର, ବ୍ରହ୍ମପୁରର ସାଂସଦମାନେ ମନ୍ତ୍ରୀଙ୍କ ସହିତ ଆଲୋଚନାରେ ଭାଗ ନେଇଥିଲେ। ତେବେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଚୂଡ଼ାମଣୀ ଠାରେ ଏକ ସବୁଦିନିଆ ବନ୍ଦର ସ୍ଥାପନ ସହିତ ଉପକୂଳବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମୀର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଉଊପସ୍ଥାପନ କରିଥିଲେ। ଭିତ୍ତିଭୂମୀର ବିକାଶ ଦ୍ୱାରା ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳବାସୀଙ୍କ ଆର୍ଥୀକ ପ୍ରଗତୀ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀମତୀ ମଣ୍ଡଳ ଯୁକ୍ତିଉପସ୍ଥାପନ କରିଥିଲେ। ଧାମରା ଠାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧିନରେ ଏକ ପ୍ରଯୁକ୍ତି ଜ୍ଞାନ କୌଶଳ କେନ୍ଦ୍ର ସ୍ଥାପନ ସହିତ ଧାମରା, ଚୂଡ଼ାମଣୀ, ପଞ୍ଚୁବିସା ଠାରେ ମାଛଧରା ଜେଟିର ଉନ୍ନତିକରଣ ପାଇଁ ପ୍ରସ୍ତାବ ରଖିଥିଲେ। ଏପରି ଏକ କେନ୍ଦ୍ର ସ୍ଥାପନ ହେଲେ, ସ୍ଥାନୀୟ ଅଞ୍ଚଳରୁ ବହୁ ସଂଖ୍ୟକ ଯୁବକ ଓ ଧୀବର ସମ୍ପ୍ରଦାୟ ସେମାନଙ୍କ ମଧ୍ୟରେ ଥିବା ଦକ୍ଷତାର ବିକାଶ କରି ପାରିବେ। ବ୍ରିଟିଶ ଅମଳରେ ଜଳପଥ ଯୋଗେ ପରିବହନ କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୋଷ୍ଟ କେନାଲର ପୁନରୁଦ୍ଧାର ଓ ମନ୍ତେଇ ନଦୀର ଖନନ ଦ୍ୱାରା ଜଳପଥରେ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ସେ କହିଥିଲେ। ସେହିପରି ପର୍ଯ୍ୟଟନ ଶିଳ୍ପର ବ୍ୟାପକ ସମ୍ଭାବନା ଥିବା ଦୃଷ୍ଟିରୁ ଚାନ୍ଦବାଲି, ଧାମରା, ଆଖଣ୍ଡଳମଣୀ ପୀଠ, ପଞ୍ଚୁବସା ବାରୁଣୀଘାଟ, ମୋହନପୁର ଆଡ଼ିଆ ଠାରେ ଭିତ୍ତିଭୂମୀର ବିକାଶ ପାଇଁ ମଧ୍ୟ ସାଂସଦ ଶ୍ରୀମତୀ ମଣ୍ଡଳ ପ୍ରସ୍ତାବ ରଖିଥିଲେ। ଅନୁରୂପ ଚୂଡ଼ାମଣୀ ଠାରେ ସବୁଦିନିଆ ବନ୍ଦର ସ୍ଥାପନ ପାଇଁ ପୂର୍ବରୁ ପ୍ରସ୍ତାବ ଥିଲା। ଏଥି ନିମିତ୍ତ ସର୍ଭେ ସରି ଅନୁମୋଦନ ଅପେକ୍ଷାରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ନିକଟରେ ରହିଛି। ତେଣୁ ତୁରନ୍ତ ଏହି ପ୍ରକଳ୍ପକୁ ଅନୁମୋଦନ କରି ଅର୍ଥ ମଞ୍ଜୁର କରିବାକୁ ଶ୍ରୀମତୀ ମଣ୍ଡଳ ନିବେଦନ କରିଥିଲେ। ଉପକୂଳବର୍ତ୍ତୀ ଅଞ୍ଚଳରେ ବିକାଶ ହେଲେ ଏହା ସ୍ଥାନୀୟ ଲୋକଙ୍କ ସମେତ ଜିଲ୍ଲାର ଆର୍ଥୀକ ଅଭିବୃଦ୍ଧି ପାଇଁ ସହାୟକ ହୋଇ ପାରିବ ବୋଲି ଶ୍ରୀମତୀ ମଣ୍ଡଳ ଯୁକ୍ତି ଦର୍ଶାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.