Home ଜିଲ୍ଲା ପରିକ୍ରମା ଚାଷ ପାଇଁ ଦାଉ ସାଜିଛି ରୋଗ ପୋକ : ଫସଲ ଅମଳକୁ ନେଇ ଚିନ୍ତାରେ ଚାଷୀ

ଚାଷ ପାଇଁ ଦାଉ ସାଜିଛି ରୋଗ ପୋକ : ଫସଲ ଅମଳକୁ ନେଇ ଚିନ୍ତାରେ ଚାଷୀ

230

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷୀଙ୍କ ପାଇଁ ସମସ୍ତେ ବଇରୀ ସାଜିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ କୃଷି ବିଭାଗର ଖାମଖିଆଲି ନୀତି ଚାଷୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଗତମାସ ଲଗାତର ଚାରିଟି ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଫଳରେ ତିହିଡି ବ୍ଲକ୍‌ର ୮ଟି ପଂଚାୟତରେ ପାଖାପାଖି ୧୦ ହଜାର ହେକ୍ଟର ଚାଷ ଜମିରେ ଧାନ ନଷ୍ଟ ହୋଇଯାଇଛି । ଯେଉଁ ଚାଷଜମି ଗୁଡିକ ବନ୍ୟା ଦ୍ୱାରା କ୍ଷତି ହୋଇନାହିଁ, ସେଗୁଡିକ ପାଇଁ ଏବେ ରୋଗ ପୋକ ସମସ୍ୟା ଉଗ୍ରରୂପ ଧାରଣ କରିଛି । ଖାଲି ସେତିକି ନୁହେଁ, କୃଷି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ନିମ୍ନମାନର ବିହନ ଯୋଗୁଁ ଅନେକ ଚାଷୀ ଆରମ୍ଭରୁ ଝୁଣ୍ଟିଥିଲେ । ତଳି ପକାଇଥିବା ଧାନଗଜା ନହେବା କାରଣରୁ ପୁଣି ଥରେ ଧାନ କିଣି ତଳି ପକାଇଥିଲେ । ହେଲେ ଏହି ତଳି ଧାନ ମଧ୍ୟରୁ କିଛି ଏବେ ଥୋଡ ବାହାରିବାକୁ ବସିଲାଣି । ତଳି ରୁଆ ନସରୁଣୁ କେତେକ ସ୍ଥାନରେ ଧାନରେ ଥୋଡ ଆସିଥିବା ଦେଖିବାକୁ ମିଳିଛି । ତଳି ରୋଇବାର ମାତ୍ର ୨ ମାସ ମଧ୍ୟରେ ଏହି ରୁଆ ଧାନରେ ଥୋଡ ଓ ଚିଞ୍ଛା ବାହାରିବା ଚାଷୀଙ୍କୁ ଚିନ୍ତାରେ ପକାଇଛି । ଯେଉଁ ଧାନ ସର୍ବନିମ୍ନ ସାଢେ ଚାରିମାସରେ ଥୋଡ ବାହାରିବା କଥା, ତାହା ୨ ମାସ ମଧ୍ୟରେ ଥୋଡ ଆସିଛି । ବାହାରିଥିବା ଥୋଡ ଅତ୍ୟନ୍ତ ଦୁର୍ବଳ ଓ ନିମ୍ନମାନର ହୋଇଥିବାରୁ ତାହା ମଧ୍ୟ ଅମଳକ୍ଷମ ନହେବା ସନ୍ଦେହ ପ୍ରକାଶ ପାଇଛି । ସରକାରୀ ଷ୍ଟାମ୍ପରେ କିଣାଯାଉଥିବା ସରକାରୀ ବିହନ ଅତ୍ୟନ୍ତ ନିମ୍ନମାନର ଓ ନକଲି ହୋଇଥିବାରୁ ଏପରି ଅଭାବନୀୟ ସ୍ଥିତି ଦେଖିବାକୁ ମିଳୁଛି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି । ଗତ ୨୦୧୯-୨୦ ଖରିଫ ଚାଷରେ ଚାଷୀଙ୍କୁ ଦିଆଯାଇଥିବା ବିହନରେ ଅଧିକାଂଶ ବାଳୁଙ୍ଗା ମିଶା ହୋଇଥିବା ଚାଷୀ ଅଭିଯୋଗ କରିଥିଲେ । ଏଥିପାଇଁ ସରକାରୀ ବିହନ ଉପରେ ଚାଷୀଙ୍କ ଆଉ ଭରସା ପାଉନି । ସମବାୟ ସମିତି ଓ ବିଭିନ୍ନ କୃଷି କାର୍ଯ୍ୟାଳୟରୁ ବିହନ ନେଇ ତଳି ପକାଇଥିବା ଚାଷୀ ବାରମ୍ବାର ଏପରି ହଇରାଣ ହରକତ ହେଉଛନ୍ତି ।

ତିହିଡି ଓ ଚାନ୍ଦବାଲି ବ୍ଲକ୍‌ରେ ଚଳିତ ଖରିଫ ଚାଷ ଏକ ପ୍ରକାର ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଯାଇଥିବା ଜଣାଯାଇଛି । ଏବେ ରୁଆ ହୋଇଥିବା ଧାନ ଗୁଡିକ ରୋଗ ପୋକ ଦ୍ୱାରା ଆକ୍ରାନ୍ତ ହେଲାଣି । ନୂଆ ନୂଆ ରୋଗ ଧାନ ଗଛ ଗୁଡିକୁ ଜାଳି ପକାଉଛି । ଧାନପତ୍ର ଅଗ ପୋଡି ଯାଉଥିବା ବେଳେ ଗଛର କାଣ୍ଡ ଓ ମୂଳ ମଧ୍ୟ ଏହି ପୋକ ମାନଙ୍କ ଦ୍ୱାରା ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ଏହି ରୋଗ ପୋକ ନିୟନ୍ତ୍ରଣ ପାଇଁ ଚାଷୀ ବିଭିନ୍ନ କିସମର କୀଟନାଶକ ପ୍ରୟୋଗ କରୁଥିଲେ ମଧ୍ୟ ତାହା କାମ କରୁନଥିବା ଅଭିଯୋଗ କରିଛନ୍ତି । ବିଶେଷକରି ତିହିଡି ବ୍ଲକ୍ ଜାମଯୋଡି ପଂଚାୟତ ଅମୃତପୁର ମୌଜାରେ ରୁଆ ଯାଇଥିବା ୧୦୦୧ ଧାନରେ ଏବେ ଥୋଡ ବାହାରି ଗଲାଣି । ଏହି ମୌଜାର ଅନେକ ଚାଷୀ ପାଖାପାଖି ୪୫ ଏକର ଜମିରେ କରିଥିବା ୧୦୦୧ ଧାନ ଏବେ ଗଛରୁ ଛିଞ୍ଚା ବାହାରି ପଡିଛି । ଅତ୍ୟନ୍ତ ଦୁର୍ବଳ ଓ ନିମ୍ନମାନର ହୋଇଥିବା ଏହି ଧାନ ଛିଞ୍ଚା ଆଦୌ ପରପକ୍ୱ ହୋଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଅସମୟରେ ଧାନରୁ ଥୋଡ ବାହାରିବା ଚାଷୀଙ୍କୁ ବିବ୍ରତ କରିଛି । ସାଧାରଣତଃ ଗର୍ଭଣା ସଂକ୍ରାନ୍ତିରେ ଧାନରେ ଥୋଡ ଆସିଥାଏ । ଏବେ ଭାଦ୍ରବ ମାସ ଚାଲୁଥିବା ବେଳେ ଗର୍ଭଣା ସଂକ୍ରାନ୍ତିକୁ ଆହୁରି ଏକମାସ ବାକି ଅଛି । ଏ ସଂକ୍ରାନ୍ତରେ ଚାଷୀ ବ୍ଲକ୍ ଓ ଜିଲା କୃଷି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଏଯାଏଁ ତଦନ୍ତ କରାଗଲା ନାହିଁ । ମୋଟାମୋଟି କହିବାକୁ ଗଲେ ଚଳିତ ଖରିଫ ଚାଷୀ ପ୍ରାକୃତିକ ବିପର୍ଯ୍ୟୟ ଓ ରୋଗ ପୋକ ମୁହଁରେ ପଡିଥିବାବେଳେ ଚାଷୀ ଅମଳକୁ ନେଇ ସନ୍ଦେହୀନ ହୋଇ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.