Home ଜିଲ୍ଲା ପରିକ୍ରମା ଚାଲିଛି ନକଲି ଡିଜେଲ ବିକ୍ରି, ପୁଲିସ୍ ଚୁପ୍

ଚାଲିଛି ନକଲି ଡିଜେଲ ବିକ୍ରି, ପୁଲିସ୍ ଚୁପ୍

94

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଂଚଳରେ ବିପୁଳ ପରିମାଣର ନକଲି ଡିଜେଲ କାରବାର ଚାଲିଛି । ଛତାବର ଛକଠାରୁ ଆଖୁଆପଦା ଯାଏ ୧୬ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଏମିତି ଚିତ୍ର ସାମ୍ନାକୁ ଆସୁଛି । ତେବେ ମାସିକିଆ ବଟି ନେଇ ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ସାଜୁଛନ୍ତି । ଅଭିଯୋଗ ଅନୁସାରେ ସ୍ଥାନୀୟ ଛତାବର ଛକ, ସଂପୋଇ, ଭୂତିଆ, ନେଉଳିଆ, ଡାହାଲା, ଆଖୁଆପଦା ଆଦି ଅଂଚଳରେ ବହୁ ଚୋରା ବେପାରୀ ବର୍ଷାଧିକ କାଳ ଏହି ବ୍ୟବସାୟରେ ଲିପ୍ତ ଅଛନ୍ତି । ମୁଖ୍ୟତଃ ପିଡିଏସ୍ କିରୋସିନିକୁ ଡିଲରମାନଙ୍କ ଠାରୁ ଶସ୍ତାରେ ସଂଗ୍ରହ କରି ଚୋରା ବେପାରୀମାନେ ଡିଜେଲରେ ରୂପାନ୍ତରିତ କରୁଛନ୍ତି । କଲିକତାରୁ ରାସାୟନିକ ପାଉଡର ସଂଗ୍ରହ କରି କିରୋସିନିକୁ ଡିଜେଲରେ ଅତି ସହଜାରେ ରୂପାନ୍ତରିତ କିର ରାଜପଥରେ ଯାତାୟତ କରୁଥିବା ଦୂରଗାମୀ ଟ୍ରକଗୁଡିକୁ ବିକ୍ରୟ କରୁଛନ୍ତି । ଗୋଟିଏ ଲିଟର କିରୋସିନିକୁ ରୂପାନ୍ତରିତ କଲେ, ଲାଭ ମିଳୁଛି ପ୍ରାୟ ଚାଳିଶି ଟଙ୍କା । ବିଶେଷକରି ରାତ୍ର ବେଳେ ଏହି ବେପାର ଖୋଲାଖୋଲି କରାଯାଉଛି । ପ୍ରତ୍ୟେକ ବେପାରୀ ଏହି ବେପାରରୁ ମାସକୁ ପ୍ରାୟ ୫୦ ହଜାର ଟଙ୍କା ଲାଭ କରୁଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା କିରୋସିନି ଉପରେ ଖାଉଟିମାନେ ନିର୍ଭଣଶୀଳ ନୁହଁନ୍ତି । ଡିଲରମାନେ ନାମକୁ ମାତ୍ର ଅର୍ଥ ଦେଇ ଖାଉଟିଙ୍କ ଠାରୁ କିରୋସିନି ହାତେଇ ଚୋରା ବେପାରୀଙ୍କୁ ବିକୁଛନ୍ତି ।

ମାତ୍ର ଏଭଳି କାରବାର ଉପରେ ନିୟମିତ ଭାବେ ଚଢାଉ ହେଉନି । ୨୦୧୫ ମସିହାରେ ତତ୍‌କାଳୀନ ଥାନାଧିକାରୀ ଛତାବର ଛକର ନକଲି ଡିଜେଲ ବିକ୍ରେତା ଉପରେ ଚଢାଉ କରି ୪ ଶହ ଲିଟର କିରୋସିନି ଜବତ କରିଥିଲେ । ୨୦୨୦ ମାର୍ଚ୍ଚ ୧୭ ତାରିଖରେ ବ୍ଲକ୍ ଯୋଗାଣ ନିରୀକ୍ଷକ ଛତାବର ଛକର ଜନୈକ ବଙ୍ଗୀୟ ନକଲି ଡିଜେଲ ବିକ୍ରେତାଙ୍କ ଘରେ ଚଢାଉ କରି ୫୬ ଲିଟର କିରୋସିନି ସହ କେମିକାଲ ପାଉଡର ଜବତ କରି ମାମଲା ରୁଜୁ କରିଥିଲେ । ପୁନଶ୍ଚ ଗତ ଜୁଲାଇ ୨୨ ତାରିଖରେ ଯୋଗାଣ ବିଭାଗ, ପୁଲିସ୍ ଓ ମାଜିଷ୍ଟ୍ରେଟ୍ ମିଳିତ ଭାବେ ସଂପୃକ୍ତ ନକଲି ଡିଜେଲ ବିକ୍ରେତାଙ୍କ ଘରେ ଚଢାଉ କରି ୬୩୨ ଲିଟର ଚୋରା କିରୋସିନି ଓ ରୂପାନ୍ତର ପାଇଁ ଉଦ୍ଦିଷ୍ଟ କେମିକାଲ ଜବତ କରି ମାମଲା ରୁଜୁ କରିଥିଲେ । ଏହାପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପକ୍ଷରୁ ଗତ ଅଗଷ୍ଟ ୪ ତାରିଖରେ ସଂପୋଇର ଜଣେ ଚୋରା ବେପାରୀଙ୍କ ଘରେ ଚଢାଉ କରାଯାଇ ୫୦୫ ଲିଟର ଚୋରା କିରୋସିନି ଜବତ କରାଯାଇ ମାମଲା ରୁଜୁ କରାଯାଇଥିଲା । ମାତ୍ର ଏବେ ନକଲି ଡିଜେଲ ବିକ୍ରେତାମାନେ ସ୍ଥାନୀୟ କୁଜିନେତାଙ୍କ ମାଧ୍ୟମରେ ଯୋଗାଣ ବିଭାଗ ଓ ପୁଲିସ୍ ସହ ମାସିକିଆ ବଟି ବ୍ୟବସ୍ଥା କରି ନିର୍ଭୟରେ କାରବାର ଚଳାଇଛନ୍ତି । ପୁଲିସ୍ ରାଜପଥରେ ନିୟମିତ ପାଟ୍ରୋଲିଂ କରୁଛି । କିନ୍ତୁ ନକଲି ବେପାରୀଙ୍କ ଉପରେ ନଜର ପଡୁନି । ତେବେ କୋଭିଡ୍ ପାଇଁ ଚଢାଉ ହୋଇପାରୁନି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ଲକ୍ ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.