Home Top News ଘନିଭୂତ ହେଉଛି ଅବପାତ, ଆଜି ନେବ ବାତ୍ୟାର ରୂପ – ପଢ଼ନ୍ତୁ ସତର୍କ ସୂଚନା

ଘନିଭୂତ ହେଉଛି ଅବପାତ, ଆଜି ନେବ ବାତ୍ୟାର ରୂପ – ପଢ଼ନ୍ତୁ ସତର୍କ ସୂଚନା

83

ଭୁବନେଶ୍ୱର ୩-୧୨ (ଓଡ଼ିଆ ପୁଅ) ଘନିଭୂତ ହେଉଛି ଅବପାତ, ଆଜି ନେବ ବାତ୍ୟାର ରୂପ। ତେବେ ଏହା ବଙ୍ଗୋପସାଗରରେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବର ପ୍ରାୟ ୮୫୦ କିଲୋମିଟର ଦୂରରେ ଅଛି। ପରବର୍ତ୍ତୀ ୧୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଉଛି।

ସମ୍ଭାବ୍ୟ ବାତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏନେଇ ପ୍ରସ୍ତୁତି ଓ ପଦକ୍ଷେପ ସଂପର୍କରେ ସ୍ଵତନ୍ତ୍ର ରିଲିଫ୍‌କମିଶନରଙ୍କ ସୂଚନା ପ୍ରଦାନ କରିଛନ୍ତି।

ସମ୍ଭାବ୍ୟ ବାତ୍ୟା ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ଵତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ ଜେନା କହିଲେ ଯେ, କେନ୍ଦ୍ରୀୟ ଆଣ୍ଡାମାନ ସାଗର ଅଞ୍ଚଳରେ ଗତକାଲିର ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଜି ସକାଳ ୫.୩୦ ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ୍ ସାଗର ଅଞ୍ଚଳରେ ଗୋଟିଏ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି, ଯାହା ପରବର୍ତ୍ତୀ ସମୟରେ ସମାନ ଅଞ୍ଚଳରେ ମଧ୍ୟ ସକ୍ରିୟ ରହିଛି। ଏହା ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହିତ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏକ ଅବପାତର ରୂପନେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଡିସେମ୍ବର ୪ ତାରିଖ ସକାଳ ସମୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ଉତ୍ତର ଆନ୍ଧ୍ରପ୍ରେଦଶ-ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି ଏବଂ ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଡିସେମ୍ବର ୩ ତାରିଖ ସନ୍ଧ୍ୟା/ରାତ୍ରି ସମୟରୁ ବୃଷ୍ଟିପାତରେ ବୃଦ୍ଧି ସହ ଏବଂ ଡିସେମ୍ବର ୩ ତାରିଖରେ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଏବଂ ଡିସେମ୍ବର ୪ ଓ ୫ ତାରିଖରେ ଉପକୂଳ ଏବଂ ତସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଗୋଟିଏରୁ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଡିସେମ୍ବର ୩ ତାରିଖ ବେଳକୁ ଉପକୂଳ ଓଡ଼ିଶାର ଅନେକ ସ୍ଥାନ, ଅବଶିଷ୍ଟ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି। ସେହିପରି ଡିସେମ୍ବର ୪ ତାରିଖରେ ଉପକୂଳ ଓଡ଼ିଶାର ଅଧକାଂଶ ସ୍ଥାନ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ଡିସେମ୍ବର ୫ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାର ଅଧକାଂଶ ସ୍ଥାନ ଏବଂ ଅବଶିଷ୍ଟ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଡିସେମ୍ବର ୩ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲ୍ଲାଗୁଡ଼ିକୁ ହଳଦିଆ ସତର୍କ (ୟେଲୋ ୱାର୍ଣ୍ଣିଂ) ଦିଆଯାଇଛି। ଡିସେମ୍ବର ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାର ଗୋଟିଏରୁ ଦୁଇଟି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକୁ ଲାଲ୍ ସତର୍କ ଅଥବା ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ କମଳା ସତର୍କ (ଅରେଞ୍ଜ ୱାର୍ଣ୍ଣିଂ) ସୂଚନା ଜାରି କରାଯାଇଛି। ଭଦ୍ରକ, ବାଲେଶ୍ଵର, ଯାଜପୁର ଓ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଡିସେମ୍ବର ୫ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ଵର, ଯାଜପୁର, ପୁରୀ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷ ହେବାର ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜିଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।। ଲଘୁଚାପ ଅବପାତ ରୂପ ନେବା ପରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ। ଡିସେମ୍ବର ୩ ତାରିଖ ସକାଳେ ପବନର ବେଗ ଘଣ୍ଟା ପ୍ରତି ୬୫ରୁ ୭୫ କିମି ଓ ସ୍ଥଳ ବିଶେଷରେ ୮୫ କିମି ଛୁଇଁପାରେ। ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ଏବଂ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ଏବଂ ସ୍ଥଳବିଶେଷରେ ଝଟକା ପବନ ୧୧୦ କିମି ପର୍ଯ୍ୟନ୍ତ ବୋହିବ ବୋଲି ଆକଳନ କରାଯାଇଛି। ଅପରାହ୍ନରୁ ୧୨ଟା ପର୍ଯ୍ୟନ୍ତ ଉତ୍ତର ଆନ୍ଧ୍ରପ୍ରଦେଶ – ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗ ସହିତ ଝଟକା ପବନର ବେଗ ୯୦ କିମି ଉପରେ ରହିବାର ସମ୍ଭାବନା ରହିଛି।

ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ପ୍ରସ୍ତୁତ ରଖୁବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ସମ୍ଭାବ୍ୟ ଫସଲାହାନୀକୁ ଦୃଷ୍ଟିରେ ରଖି କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଆବଶ୍ୟକ କୃଷି ଉପଦେଶ ଜାରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାପାଳମାନଙ୍କୁ କ୍ଷେତ୍ରୀୟ ସ୍ତରରେ କୃଷକମାନଙ୍କୁ ସେମାନଙ୍କର ଅମଳ ଫସଲ ନଷ୍ଟ ନହେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମଣ୍ଡିରେ ଧାନ ଓ ଅନ୍ୟାନ୍ୟ ଶସ୍ୟ ଯେପରି ନଷ୍ଟ ନହୁଏ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ଏଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ସେବା ଦଳଙ୍କୁ ମୁତୟନ କରାଯାଉଛି। ଜିଲ୍ଲାପାଳ ଏବଂ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗକୁ ମତ୍ସ୍ୟଜୀବୀମାନଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ନିରାପଦରେ କୂଳକୁ ଫେରିଆସିଥିବାବେଳେ ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ମାଛଧରା ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ସ୍ଵତନ୍ତ୍ର ରିଲିଫ୍‌କମିଶନର ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ସତର୍କ କରାଇଛନ୍ତି। ସେ କହିଛନ୍ତିଯେ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଓଡ୍ରାଫର ୬୦ଟି ଟିମ୍, ଏନଡିଆରଏଫର ୩୪ଟି ଟିମ୍, ଅଗ୍ନିଶମ ବାହିନୀର ୧୭୨ଟି ଟିମ୍। ସର୍ବମୋଟ ୨୬୬ଟି ଟିମ୍ ଗଠନ କରାଯାଇଛି। ଏବେ ସୁଦ୍ଧା ୨୨୫ଟି ମୁତୟନ କରାଯାଇଛି।

ଓଡ଼ିଶାର ସମସ୍ତ ବନ୍ଦର ଗୁଡିକ ପାଇଁ ବିପଦ ସଂକେତ ନମ୍ବର-୦୧ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.