Home ଅନୁଗୁଳ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳାଖଣି ବନ୍ଦ ଆନ୍ଦୋଳନ

ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳାଖଣି ବନ୍ଦ ଆନ୍ଦୋଳନ

34

ତାଳଚେର, ୧୬/୬ (ଓଡ଼ିଆ ପୁଅ/ଅଜିତ ବେହେରା) : ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଆଦି ଦାବି ନେଇ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀମାନଙ୍କ ପକ୍ଷରୁ ବୁଧବାର ଦିନ ହିଙ୍ଗୁଳା କୋଇଲାଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଆଜି ସକାଳୁ ଶତାଧିକ ଗ୍ରାମବାସୀ ଅନିଦ୍ଦିଷ୍ଟ ସମୟ ପାଇଁ ହିଙ୍ଗୁଳା କୋଇଲାଖଣି, ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ, ଟାଇମ ଅଫିସ ଓ ଶାଳବଣିଆସ୍ଥିତ ପରିବହନ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଥିଲା। ସୂଚନାରୁ ପ୍ରକାଶ, ପୂର୍ବରୁ ଗୋପାଳପ୍ରସାଦ ପଂଚାୟତର ଦୁଇଟି ପର୍ଯ୍ୟାୟରେ ବାସଗୃହ ଓ ଜମି ଏମ୍‌ସିଏଲ୍ ହିଙ୍ଗୁଳା କୋଇଲାଖଣି ଦ୍ୱାରା ଅଧିଗ୍ରହଣ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ କୁସୁମପାଳ, ମଲ୍ଲୀବନ୍ଧ ଓ ଗୋପାଳପ୍ରସାଦ ଗ୍ରାମର କେତେକ ଜମି ଓ ବାସଗୃହକୁ ଅଧିଗ୍ରହଣ କରାଯାଇଛି। ମାତ୍ର ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀମାନଙ୍କୁ ଅଦ୍ୟାବଧି ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି ତଥା ଥଇଥାନ ଆଦି ସୁବିଧା ପ୍ରଦାନ କରାଯାଇନାହିଁ। ଏ ସମ୍ବନ୍ଧରେ ଗ୍ରାମବାସୀମାନେ ବାରମ୍ବାର ଏମ୍‌ସିଏଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭି÷ଯାଗ କରିଛନ୍ତି। ପୂର୍ବରୁ ଗ୍ରାମବାସୀମାନେ ଗତ ମେ ମାସ ୨୮ ତାରିଖରେ ଧର୍ମଘଟ କରିଥିବା ବେଳେ ଚଳିତ ମାସ ୧୫ ତାରିଖ ସୁଦ୍ଧା ସମସ୍ତ କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ଆୱାର୍ଡ ଲିଷ୍ଟ ପ୍ରସ୍ତୁତ କରି ଏମ୍‌ସିଏଲ୍ ମୁଖ୍ୟାଳୟକୁ ପଠାଯିବ ବୋଲି ଖଣି କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ। ମାତ୍ର ପ୍ରତିଶୃତି ରକ୍ଷା କରିବାରେ ଖଣି କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ଗ୍ରାମ ସଭାପତି ରଞ୍ଜିତ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର ସିଂହଙ୍କ ନେତୃତ୍ୱରେ ସମସ୍ତ ଗ୍ରାମବାସୀ ଏହି ଆନ୍ଦୋଳନ ଚଳାଇଛନ୍ତି। ସଠିକ୍ ମିନିଟ୍ ପ୍ରଦାନ, ଗ୍ରାମ ଜମିର ଆୱାର୍ଡ଼ ପାସ କଟ୍ ଅଫ୍ ତାରିଖ ଘୋଷଣା ଦାବିରେ ଏହି ଆନ୍ଦୋଳନ କରାଯାଉଛି। ତେବେ ଏହି ଖବର ଲେଖା ହେଲା ବେଳକୁ ଖଣି ବନ୍ଦ ଆନ୍ଦୋଳନ ଚାଲୁ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.