Home ଜିଲ୍ଲା ପରିକ୍ରମା ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀରେ ଉତ୍କଳମଣି ବରିଷ୍ଠ ନାଗରିକ ମଂଚର ବାର୍ଷିକ ଉତ୍ସବ

ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀରେ ଉତ୍କଳମଣି ବରିଷ୍ଠ ନାଗରିକ ମଂଚର ବାର୍ଷିକ ଉତ୍ସବ

44

ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବା ମାନବିକତାର ମୂଳ ମନ୍ତ୍ର। ସେବା, ସଂଗଠନ, ସାହିତ୍ୟ ଓ ସାମାଜିକତାକୁ ନିଜ ଜୀବନର ବ୍ରତ ବୋଲି ଭାବିନେଇ ନିର୍ଭୀକ ସତ୍ୟାନୁଶରଣ କରିପାରିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରେଷ୍ଠ ନିଦର୍ଶନ ହୋଇପାରିବ। ସେ ଯେଉଁଭଳିଭାବେ ନିଜ ଜୀବନକୁ ସମାଜ ପାଇଁ ଉତ୍ସର୍ଗୀକୃତ କରି ଉତ୍କଳ ପାଇଁ କାନ୍ଦୁଥିଲେ ସେହିଭଳି ଭାବେ ଆଜିର ଯୁବପିଢି ସମୟକୁ ଗୁରୁତ୍ୱ ଦେଇ ସେବାକୁ ପ୍ରାଧାନ୍ୟ ଦେବା ପୂର୍ବକ ନିଜ ପିତା-ମାତା, କୁଳଗୁରୁ ଓ କୁଳ ଦେବତାଙ୍କ ପ୍ରତ୍ୟକ୍ଷ ଆଶୀର୍ବାଦ ଲାଭ କରିପାରିଲେ, ସମାଜ ପ୍ରଗତି ପଥରେ ଗତି କରିପାରିବ ବୋଲି ଆଜି ପଣ୍ଡିତ ଉତ୍କଳମଣି ଦାସଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ କଲେଇ ଗ୍ରାମପଂଚାୟତରେ ପ୍ରତିଷ୍ଠିତ ଉତ୍କଳମଣି ବରିଷ୍ଠ ନାଗରିକ ମଂଚର ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ମା’ କ୍ଷେତ୍ରବାସୀ ପୀଠରେ ସଭାପତି ଜଗନ୍ନାଥ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଉପସଭାପତି ଗୌରଗୋପାଳ ଜେନା, ଅମୃତ ଦର୍ଶନର ସଂପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବରିଷ୍ଠ ନାଗରିକ ମଂଚ, ଭଦ୍ରକର ଜିଲା ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସ ଚନ୍ଦ୍ର ମହାପାତ୍ର, କଲେଇ ସରପଂଚ ନିରଞ୍ଜନ ମଲ୍ଲିକ, ସ୍ଥାନୀୟ କ୍ଷେତ୍ରବାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭୀମଚରଣ ପରିଡା, ଉତ୍କଳମଣି ବରିଷ୍ଠ ନାଗରିକ ମଂଚର କୋଷାଧ୍ୟକ୍ଷ ବାଇଧର ବେହେରା ପ୍ରମୁଖ ପ୍ରାରମ୍ଭରେ ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗୋପବନ୍ଧୁଙ୍କର ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଚଳିତବର୍ଷ ଓଏଏସ୍ ପରୀକ୍ଷାରେ ୪୬ନଂ ର‌୍ୟାଙ୍କରେ ଥିବା ସ୍ଥାନୀୟ ବଳଭଦ୍ରପୁର ଗ୍ରାମର ସ୍ୱାତୀଦୀପା ରାଉତ ଓ କଳା ସଂସ୍କୃତି କ୍ଷେତ୍ରରେ ପାରଦର୍ଶିତା ଲାଭ କରି ବୃକ୍ଷରୋପଣ ଦିଗରେ ଗଛମଣିଷ ଭାବେ ପରିଚିତ ନିରନ ନାୟକ ଙ୍କୁ ମଂଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଉତ୍କଳ ନୃତ୍ୟ ତରଙ୍ଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.