Home ଜିଲ୍ଲା ପରିକ୍ରମା ଗୋଚର ଜମିରେ ଚାଲିଛି ବେଆଇନ ଘର ନିର୍ମାଣ: ଅଭିଯୋଗର ୨ମାସ ବିତିଲା କାର୍ଯ୍ୟାନୁଷ୍ଠାନ ଶୂନ

ଗୋଚର ଜମିରେ ଚାଲିଛି ବେଆଇନ ଘର ନିର୍ମାଣ: ଅଭିଯୋଗର ୨ମାସ ବିତିଲା କାର୍ଯ୍ୟାନୁଷ୍ଠାନ ଶୂନ

210

ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅଂଚଳର ବିଭିନ୍ନ ସ୍ଥାନରେ ସରକାରୀ ଗୋଚର, ଅନାବାଦି, ଜଙ୍ଗଳ ଓ ଶ୍ମସାନ ଜମିକୁ କେତେକ ମୁଷ୍ଟିମେୟ ଲୋକ ଜବରଦଖଲ କରି ଚାଲିଛନ୍ତି । ଅନେକ ସ୍ଥାନରେ ମଧ୍ୟ ବେଆଇନ ଭାବେ ସ୍ଥାୟୀ ପକ୍କାଘର କରିବା ଓ ସରକାରୀ ଜମିକୁ ଚଞ୍ଚକତା କରି ନିଜ ନାମରେ ପଟ୍ଟା କରିନେବା ଆଦି ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଦଳାଙ୍ଗ ପଞ୍ଚାୟତ ବିରୁହାଁ ଗ୍ରାମରେ । ଆଜି ବିରୁହାଁ ବଜାରରେ କେତେକ ବ୍ୟକ୍ତିମାନେ ଅନାବାଦି ଜମିରେ ପକ୍କାଘର ନିର୍ମାଣ କରୁଥିଲେ । ଏହାକୁ ସ୍ଥାନୀୟ ଲୋକ ପ୍ରଥମେ ବିରୋଧ କରିଥିଲେ । ପରେ ବଜାରର ଉଭୟ ପାଶ୍ୱର୍ରେ କେତେକ ଲୋକ ପ୍ରତିବାଦ କରି ଗୋଚର ଜମିକୁ ଅବରୋଧ କରିଛନ୍ତି । ଫଳରେ ସେଠାରେ ମୃଦୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସେହିପରି ଦୁଇମାସ ପୂର୍ବେ ସେଠାରେ ଥିବା ଏକ ପାଣିନାଳ ନିକଟରେ ଏକ ମୂର୍ତ୍ତି ସ୍ଥାପନ କରିବା ଓ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେବାକୁ ନେଇ ସ୍ଥାନୀୟ ଅଂଚଳବାସୀ ରଜତ ପଣ୍ଡା, ମୋହନ କୁମାର ପଣ୍ଡାଙ୍କ ସମେତ ଶତାଧିକ ବ୍ୟକ୍ତିଙ୍କ ଦସ୍ତଖତ ଥିବା ଏକ ଲିଖିତ ଅଭିଯୋଗ ଗତ ଜୁଲାଇ ମାସ ୭ ତାରିଖ ଧାମନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି ବିରୁହାଁ ବଜାର ଠାରେ ଅନ୍ୟ କେତେକ ବ୍ୟକ୍ତି ସରକାରୀ ଜମିରେ ପକ୍କାଘର ନିର୍ମାଣ ପାଇଁ ବାଲି, ଚିପ୍ସି ଓ ଇଟା ଆଣି କାମ କରିବାକୁ ଯୋଜନା କରିଥିଲେ । ଅଭିଯୋଗ ପରେ ଆଜି ପର୍ଯ୍ୟନ୍ତ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା ଘଟଣାସ୍ଥଳରେ ନପହଞ୍ଚିବାରୁ ଏହାର ସୁଯୋଗ ନେଇ ସଂପୃକ୍ତ ବ୍ୟକ୍ତିମାନେ ଆଜି ବିରୁହାଁ ବଜାରରେ ପକ୍କାଘର ନିର୍ମାଣ ଆରମ୍ଭ କରିଥିଲେ । ଅଭିଯୋଗ ହୋଇଥିଲେ ବି ତହସିଲଦାର କାର୍ଯ୍ୟାନୁଷ୍ଠାନ ନନେବାରୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହି ଗୋଚର ଜମିରେ ଅନ୍ୟମାନେ ଅବରୋଧ କରିବାରୁ ସେଠାରେ ଥିବା ଖେଳ ପଡିଆକୁ ଯିବା ଓ ଗାଈ ଗୋରୁ ଚରିବାକୁ ବାଧା ଉପୁଜିଛି । ଏନେଇ ସେଠାରେ ମୃଦୁ ଉତ୍ତେଜନା ରହିଥିବା ବେଳେ ଆଗାମୀ ଦିନରେ ଭୟଙ୍କର ଅଘଟଣା ଘଟିବାର ଆଶଙ୍କାକୁ ଏଡାଇ ଦିଆନଯାଇ ପାରେ । ତୁରନ୍ତ ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ସ୍ଥାନୀୟ ଅଂଚଳର ବୃଦ୍ଧିଜିବୀ ମହଲରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.