Home ଜିଲ୍ଲା ପରିକ୍ରମା ଗାନ୍ଧୀଙ୍କ ଭଦ୍ରକକୁ ପ୍ରଥମ ଆଗମନର ଶତବାର୍ଷିକୀ ପାଳନର ଉଦ୍‌ଘାଟନ

ଗାନ୍ଧୀଙ୍କ ଭଦ୍ରକକୁ ପ୍ରଥମ ଆଗମନର ଶତବାର୍ଷିକୀ ପାଳନର ଉଦ୍‌ଘାଟନ

38

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ ଭଦ୍ରକ ମାଟିକୁ ପ୍ରଥମ ଥର ପାଇଁ ଆସିଥିଲେ । ଓଡ଼ିଶାକୁ ମୋଟ ୮ ଥର ଆସିଥିବା ବେଳେ କେବଳ ଭଦ୍ରକକୁ ୪ ଥର ଆସିଥିଲେ । ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ପାଳନ କରାଯିବା ଅବସରରେ ଭଦ୍ରକକୁ ଆସିବାର ଶହେବର୍ଷ ପୂର୍ତ୍ତିକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ଷ ବ୍ୟାପୀ ପାଳନ କରାଯାଉଛି । ଆଜି ଏହାର ଶୁଭ ଉଦ୍‌ଘାଟନ ହୋଇଛି । ଏଥି ନିମନ୍ତେ ଭଦ୍ରକ ଟାଉନ ହଲରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚାନ୍ଦବାଲିର ମାନ୍ୟବର ବିଧାୟକ ଡ. ବ୍ୟୋମକେଶ ରାୟ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବରେଣ୍ୟ ଅତିଥି ଭାବେ ଭଦ୍ରକର ମାନ୍ୟବର ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଂଜିବ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦ୍ୱିଜବର ରାଉତ, ମୁଖ୍ୟବକ୍ତା ଅବସରପ୍ରାପ୍ତ ନିର୍ଦ୍ଦେଶକ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଶ୍ରୀଯୁକ୍ତ ବିଜୟ ନାୟକ ପ୍ରମୁଖ ଯୋଗ ଦେଇ ମହାତ୍ମା ଗାନ୍ଧୀ ଭଦ୍ରକ ରେଳ ଷ୍ଟେସନରେ ଓହ୍ଲାଇ ତତ୍‌କାଳୀନ ବ୍ରିଟିଶ ସରକାରଙ୍କ ନିର୍ଦ୍ଦେଶରେ ତାଙ୍କୁ ଭଦ୍ରକ ସହରକୁ ଆସିବା ନିମନ୍ତେ କୌଣସି ବନ୍ଦୋବସ୍ତ ନଥିବାରୁ ସେ ଚାଲି ଚାଲି ଆସି ଐତିିହାସିକ ଗାନ୍ଧୀ ପଡ଼ିଆରେ ସଭାରେ ଉଦ୍‌ବୋଧନ ଦେବା ତାଙ୍କ ଦେଶପ୍ରେମର ଅନନ୍ୟ ଉଦାହରଣ ବୋଲି କହିଥିଲେ । ଗରଦପୁର ସ୍ଥିତ ଗାନ୍ଧୀ ଓଡ଼ିଶା ବାଳାଶ୍ରମରେ ରହି ବନ୍ୟା ଦୁର୍ଗତଙ୍କୁ ସହାୟତା କରିବା ତାଙ୍କ ମଣିଷ ପଣିଆର ଆଉ ଏକ ଉଦାହରଣ । ଚାରବାଟିଆ, ମହତାବ କୋଠି ଠାରେ ବ୍ରିଟିିଶ ସରକାରଙ୍କ ବିରୁଦ୍ଧରେ ଯୋଜନା ପ୍ରସ୍ତୁତ ଗାନ୍ଧୀଙ୍କ ଓଡ଼ିଶା ତଥା ଭଦ୍ରକକୁ ଭଲପାଇବାର ଜ୍ୱଳନ୍ତ ପ୍ରମାଣ ଦିଏ ବୋଲି ପ୍ରକାଶ କରିଥିଲେ ।

ଏହି ଶତବାର୍ଷିକୀ ଉତ୍ସବ ପାଳନର ଶୁଭାରମ୍ଭ ଅବସରରେ ଆଜି ପ୍ରାତଃରୁ ଦିବସ ବ୍ୟାପୀ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ଓ ଗାନ୍ଧୀଙ୍କ ପ୍ରିୟ ଭଜନ ପରିବେଷଣ କରାଯାଇଥିଲା । ପରେ ଚରମ୍ପା ରେଳ ଷ୍ଟେସନରୁ ସମସ୍ତ ଅତିଥିଙ୍କ ସହିତ ଅତିରିକ୍ତ ଜିଲ୍ଳାପାଳ ଶ୍ରଯୁକ୍ତ ଇନ୍ଦ୍ରମଣି ନାୟକ ପ୍ରମୁଖଙ୍କ ସହିତ ବହୁ ସଂଗଠନର କର୍ମକର୍ତ୍ତା ପଦଯାତ୍ରାରେ ଆସି ଗାନ୍ଧୀ ପଡ଼ିଆରେ ପହଞ୍ଚିଥିଲେ । ପରେ ଜିଲ୍ଳା ସଂସ୍କୃତି ଭବନରେ ଗାନ୍ଧୀଙ୍କ ଜୀବନୀକୁ ନେଇ ଫଟୋଚିତ୍ର ପ୍ରଦର୍ଶନର ଉଦ୍‌ଘାଟନ କରାଯାଇଥିଲା । ଟାଉନ ହଲରେ ଅନୁଷ୍ଠିତ ସଭାରେ ଗାନ୍ଧୀଙ୍କ ଉପରେ ପର୍ଯ୍ୟବେସିତ ହାଇସ୍କୁଲର ଛାତ୍ରଛାତ୍ରୀ ମଧ୍ୟରେ ହୋଇଥିବା କୁଇଜ, ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମଧୁସୂଦନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶୋଭାଯାତ୍ରା ପ୍ରାରମ୍ଭରେ ସକାଳ ୮ଟା ସମୟରେ ସମସ୍ତ ଅତିଥି, ଜିଲ୍ଲାପାଳ ଡ. ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପୀତାମ୍ବର ସାମଲ, ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ନାୟକ, ଗାନ୍ଧୀପ୍ରେମୀ ଗାନ୍ଧୀ ପଡ଼ିଆ ସମେତ ମହତାବ କୋଠୀ, ଜିଲ୍ଲା ସ୍କୁଲ, ଭଦ୍ରକ ବ୍ଲକ କାର୍ଯ୍ୟାଳୟ ପ୍ରଭୃତି ସ୍ଥାନରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.