Home ଜିଲ୍ଲା ପରିକ୍ରମା ଗାନ୍ଧିବାଦକୁ ଛାଡିନାହାଁନ୍ତି ଦୁଇଥରର ବିଧାୟକ ଗଂଗାଧର ଦାସ : ଚାଳଘରେ ରହୁଛନ୍ତି, ସାଇକେଲ ଚଢୁଛନ୍ତି

ଗାନ୍ଧିବାଦକୁ ଛାଡିନାହାଁନ୍ତି ଦୁଇଥରର ବିଧାୟକ ଗଂଗାଧର ଦାସ : ଚାଳଘରେ ରହୁଛନ୍ତି, ସାଇକେଲ ଚଢୁଛନ୍ତି

217

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଦୁଇ ଥର ବିଧାୟକ ହୋଇଥିବା ଚାନ୍ଦବାଲି ବିଧାନସଭା ମଣ୍ଡଳୀର ପୂର୍ବତନ ବିଧାୟକ ଗଂଗାଧର ଦାସ ଏବେ ବୟସର ଅପରାହ୍ନରେ ପାଦ ଛାପିଛନ୍ତି । ହେଲେ ଏହି ବୟସରେ ସେ ଆଜି ଥକି ପଡିନାହାଁନ୍ତି । ତାଙ୍କର ସାଇକେଲ୍ ଚଢିବା ଓ ପେପର ପଢିବା ନିଶା ତାଙ୍କୁ ଆଜିବି ସକ୍ରୀୟ କରି ରଖିଛି । ଦୁଇଦୁଇ ଥର ବିଧାୟକ ହୋଇ ବି ସେ ଚାଳ ଛପର ନୁଆଁଣିଆ ମାଟି ଘରେ ଜୀବନ କାଟୁଛନ୍ତି । ଜଣେ ଅତି ସାଧାରଣ ମଣିଷ ଭାବେ ତାଙ୍କର ଚଳଣି । ତାଙ୍କ ବିଧାୟକ ସମୟରେ ସେ ଇନ୍ଦିରାଗାନ୍ଧୀଙ୍କ ସହ ମିଶିଛନ୍ତି । ବିଜୁ ବାବୁଙ୍କ ସହ ମଧ୍ୟ କାମ କରିଛନ୍ତି । ଏମର୍ଜିନ୍‌ସିକୁ ବିରୋଧ କରି ସେ ସେତେବେଳେ ବିଧାୟକ ଥାଇ ମଧ୍ୟ ଦଳ ବଦଳ କରିଛନ୍ତି । କଂଗ୍ରେସର ହାତ ଛାଡି ସେ ଜନତା ପାର୍ଟିରେ ମିଶିଛନ୍ତି । ସେଥିପାଇଁ ସେ ଆଉ ଥରେ ବିଧାୟକ ନିର୍ବାଚିତ ହୋଇଥିଲେ । ହେଲେ ଦୁଇଥର ଜନ ପ୍ରତିନିଧି ଥାଇବି ତାଙ୍କ ଜୀବନ ଶୈଳୀ ଦେଖିଲେ ଯେ କେହିବି ବିଶ୍ୱାସ କରିପାରିବେ ନାହିଁ । ନାଁ ତାଙ୍କ ପାଖରେ ଅଛି ଗାଡି, ନାଁ ଅଛି ଭଲ ଘରେ ଖଣ୍ଡେ । ସମ୍ବଳ କହିଲେ ପୁରୁଣା ସାଇକେଲ୍ ଖଣ୍ଡେ । ଯାହା ତାଙ୍କ ଜୀବନର ଆଶ୍ରା ଓ ସାହା ଭରସା । ଯିବା ଆସିବା କରିବାରେ ଏହି ସାଇକେଲ୍ ହେଉଛି ତାଙ୍କ ବାହାନ । ବୟସ ଏତେ ତାଙ୍କୁ ପାଖାପାଖି ୮୬ ହେଲାଣି । ଆଖିକୁ ବି ଭଲ ଦେଖାଯାଉନି । କାନକୁ ମଧ୍ୟ ଭଲସେ ଶୁଭୁନି । ହେଲେ ଏବେ ସେ ଚଳଚଞ୍ଚଳ ଅଛନ୍ତି । ସେ ପ୍ରତିଦିନ ଏହି ପୁରୁଣା ସାଇକେଲ୍‌ଟି ଚଢି ନିଜ ଗାଁ କାଁପଡାରୁ ତିହିଡି ବଜାରକୁ ଆସିଥାଆନ୍ତି । ବଜାରକୁ ଆସି ଘଣ୍ଟାଏ ଖବର କାଗଜ ନପଢିଲେ ତାଙ୍କ ମନ ବୁଝିନଥାଏ । ଅନ୍ୟ କାହା ପରି ସେ କାହା ଉପରେ ବୋଝ ନହୋଇ ନିଜେ ଆତ୍ମନିର୍ଭରଶୀଳ ହୋଇ ଏହି ସାଇକେଲ୍‌କୁ ନିଜ ଜୀବନ ସାଥୀ କରିଛନ୍ତି । ୧୯୭୧ ଓ ୧୯୭୬ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ଏହି ସାଇକେଲ୍‌ରେ ସାରା ନିର୍ବାଚନ ମଣ୍ଡଳୀ ବୁଲି ବୁଲି ନିଜ ପ୍ରଚାର କରିଛନ୍ତି । ତିହିଡି ବ୍ଲକ୍‌ର କାଁପଡା ଅଂଚଳର ଏହି ବିଧାୟକ ଆଜକୁ ଦୀର୍ଘ ୩୦ ବର୍ଷ ହେବ ସେ ଶୁଦ୍ଧ ନିରାମିଷ ଭୋଜନ କରୁଛନ୍ତି । ବହି ଓ ଖବର କାଗଜ ପଢିବା ନିଶା ତାଙ୍କୁ ଏପରି ବ୍ୟଗ୍ର କରିଛି ଯେ ସେ ଦିନେ ବଜାରକୁ ନଗଲେ ତାଙ୍କ ମନ ବୁଝେନି । ସେ କେବେ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ଚାହିଁନାହାଁନ୍ତି ବୋଲି କୁହନ୍ତି । ୩୦୦ ରୁ ୬୦୦ ଟଙ୍କା ଭତ୍ତା ପାଇ ସେ ସମୟରେ ଚଳୁଥିଲେ ପୂର୍ବତନ ବିଧାୟକ । ଗଂଗାଧରଙ୍କ ୫ ପୁଅ ଅଛନ୍ତି । ସେମାନେ ମଧ୍ୟ ନିଜ ନିଜ କାର୍ଯ୍ୟରେ ଖୁସି ଅଛନ୍ତି ବୋଲି ବିଧାୟକ କୁହନ୍ତି । ସାଇକେଲ ଚଢି ଅତି ସାଧାରଣ ଜୀବନ ବିତାଉଥିବା ପୂର୍ବତନ ବିଧାୟକ ଗଂଗାଧର ଦାସଙ୍କ ଏବେକାର ବିଧାୟକଙ୍କ ଭଳି ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ନାପସନ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.