Home ଓଡ଼ିଶା କୋଭିଡ୍ ମୁକାବିଲା ପାଇଁ ଜନ ଭାଗିଦାରୀ ଜରୁରୀ : ଜ଼ିଲ୍ଲାପାଳ – କଟକଣା ପାଳନ ଜନସାଧାରଣଙ୍କ...

କୋଭିଡ୍ ମୁକାବିଲା ପାଇଁ ଜନ ଭାଗିଦାରୀ ଜରୁରୀ : ଜ଼ିଲ୍ଲାପାଳ – କଟକଣା ପାଳନ ଜନସାଧାରଣଙ୍କ ନୈତିକ ଦାୟିତ୍ୱ : ଏସପି

64

ସମ୍ବଲପୁର, ୦୮/୦୧ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ୍‌ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସମ୍ବଲପୁରର ନୂତନ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସ୍‌ପି ବାତୁଳା ଗଂଗାଧର ଆସନ୍ନ କୋଭିଡ୍ ସଂକଟର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି, ନିୟମାବଳୀ, କଟକଣା ସଂପର୍କରେ ଶୁକ୍ରବାର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ପରିଡ଼ା ଏ ସମ୍ପର୍କରେ ସୂଚନା ଦେବା ସହିତ କୋଭିଡ୍ ମୁକାବିଲା ପାଇଁ ଜନ ଭାଗିଦାରୀ ଜରୁରୀ ବୋଲି ପ୍ରକାଶ କରିବା ସହିତ ସମ୍ବଲପୁରବାସୀଙ୍କ ସହଯୋଗ କାମନା କରିଥିଲେ। ଏହାଛଡ଼ା କୌଣସି ସ୍ଥାନରେ କୌଣସି ପରିସ୍ଥିତିରେ ଗହଳି କରିବା ଅନୁଚିତ। ତେଣୁ ଏସବୁ ସୁନିଶ୍ଚିତ କରିବାକୁ ଜିଲ୍ଲା ଓ ପୋଲିସ ପ୍ରଶାସନ ମିଳିତ ଭାବେ ଯାଞ୍ଚ ଓ ଧରପଗଡ଼ ଆରମ୍ଭ କରିବାକୁ ନିଷ୍ପତି ନେଇଛି। ଯେଉଁ ମାନେ କଟକଣା ବା ନିୟମ ଉଲଂଘନ କରିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କାର୍ଯ୍ୟାନୁଷ୍ଠାନ ଅପେକ୍ଷା ଜନ ସଚେତନତା ଓ ଜନ ଭାଗୀଦାରି ଅଧିକ ପ୍ରଭାବଶାଳୀ। ତେଣୁ ନିଜକୁ ତଥା ଅନ୍ୟ ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଲୋକେ ନିୟମ ଗୁଡ଼ିକୁ ପାଳନ କରନ୍ତୁ ଓ ସଂକ୍ରମଣ ରୋକିବାରେ ସହଭାଗୀ ହୁଅନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅପିଲ କରିଥିଲେ। ଅତି ଆବଶ୍ୟକ ନ ପଡ଼ିଲେ ଘରୁ ବାହାରକୁ ନ ବାହାରିବା, କୌଣସି ପରିସ୍ଥିତିରେ ମୁହଁରୁ ମାସ୍କ ନ କାଢ଼ିବା, ଅଯଥା ଗହଳି ନ କରିବା, ବରିଷ୍ଠ ନାଗରିକ, ଛୋଟ ପିଲା, ରୋଗୀ, ଗର୍ଭବତୀ ପ୍ରମୁଖଙ୍କୁ ଘରେ ସୁରକ୍ଷିତ ପରିବେଶରେ ରଖିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରଶାସନର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇ ଉଭୟ କୋଭିଚ୍‌ ହସ୍ପିଟାଲ୍ ପ୍ରସ୍ତୁତ ଥିଲାବେଳେ ତହିଁରେ ଶଯ୍ୟା ସଂଖ୍ୟା ବଢ଼ାଯିବ। ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପୁଣିଥରେ କୋଭିଡ ଡାକ୍ତରଖାନାରେ ରୂପାନ୍ତରିତ କରାଯିବ। ସମସ୍ତ ଡିସିସିୟୁ ସିସିସି, ଉପଖଣ୍ଡ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆବଶ୍ୟକ ଚିକିତ୍ସା ସେବା ପାଇଁ ପ୍ରସ୍ତୁତ କରାଯିବ। ଏଥି ପାଇଁ କାମ ଜାରି ରହିଛି। ତିନି ପ୍ରମୁଖ କୋଭିଡ୍ ଡାକ୍ତରଖାନାରେ ଯଥେଷ୍ଟ ସଂଖ୍ୟାରେ ଆଇସିୟୁ ଉପଲବ୍ଧ କରାଯିବ। ଛୋଟ ପିଲାଙ୍କ ପାଇଁ ଆଇସିୟୁ ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ ସୂଚନା ଦେଇଥିଲେ। ଜିଲ୍ଲାରେ ବର୍ତ୍ତମାନ ୪ଟି ସକ୍ରିୟ ଓମିକ୍ରନ୍ ମାମଲା ଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ।

ଆଗାମୀ ଯୋଜନା ସଂପର୍କରେ ଅଧିକ ସୂଚନା ଦେଇ ଏସ୍‌ପି ବି. ଗଙ୍ଗାଧର କହିଲେ, ପୂର୍ବ ଭଳି ଦୋକାନ ବଜାର ବନ୍ଦ କରିବାର ବର୍ତ୍ତମାନ କୌଣସି ଯୋଜନା ନାହିଁ। ଛୋଟଛୋଟ ବ୍ୟବସାୟିକ କାର୍ଯ୍ୟ ଜାରି ରହିବ ଓ ଲୋକଙ୍କ ଜୀବନଜୀବିକା ଯେମିତି ପ୍ରଭାବିତ ନହେବ ସେ ଦିଗରେ ଆମେ ସଚେତନ ଅଛୁ। କିନ୍ତୁ ପ୍ରତି ବଦଳରେ କୋଭିଡ୍ ନିୟମ ପାଳନ କରିବା ସବୁ ଦୋକାନୀ ତଥା ଜନସାଧାରଣଙ୍କ ନୈତିକ ଦାୟିତ୍ଵ ରହିଛି। ଘରକୁ ଫେରି ହାତ ଧୋଇବା, ମାସ୍କ ବଦଳାଇବା, ବାହାରେ ଦୂରତା ରକ୍ଷା କରିବା ଭଳି ସାବଧାନତା ସଂକ୍ରମଣକୁ ରୋକି ପାରିବ ବୋଲି ସେ କହିଥିଲେ। ଏନ୍‌ଫୋର୍ସମେଣ୍ଟ ପାଇଁ ଏକାଧିକ ମିଳିତ ଟିମ୍ ଗଠନ କରାଯାଇଛି। ସେଥିରେ ମାଜିଷ୍ଟ୍ରେଟ୍, ପୋଲିସ୍, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ରହି କୋଭିଡ ନିୟମ ଅନୁପାଳନକୁ ସୁନିଶ୍ଚିତ କରିବେ ବୋଲି ଏସ୍‌ପି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.