ବାଲେଶ୍ୱର, ୯ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ଦୀର୍ଘ ୩୦ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଗାନ୍ଧୀସ୍ମୃତି ଭବନ ପରିସରରେ ପାଳନ ହେଇ ଆସୁଥିବା ଜାତୀୟସ୍ତରୀୟ ଚନ୍ଦ୍ରଭାଗୋତ୍ସବର ଚଳିତବର୍ଷ ଆୟୋଜନକୁ ନେଇ ଏକ ବିମର୍ଶ ବୈଠକ ସ୍ଥାନୀୟ ଉଠାଜଳସେଚନ କର୍ମଚାରୀ ଭବନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ସାମ୍ୟବାଦୀ ନେତା ତଥା ସାମାଜିକ କର୍ମୀ ଗୌରାଙ୍ଗ ଚରଣ ପାଣିଗ୍ରାହୀଏଥିରେ ପୌରୋହିତ୍ୟ କରିଥିଲେ। ‘ଚନ୍ଦ୍ରଭାଗା’ ଅନୁଷ୍ଠାନର ପ୍ରତିଷ୍ଠାତା ଓ ପତ୍ରିକାର ସମ୍ପାଦକ କବି ଶ୍ରୀଦେବ ଏଥିରେ ଉପସ୍ଥିତ ‘ଚନ୍ଦ୍ରଭାଗା’ ସଦସ୍ୟ ଓ ଶୁଭେଚ୍ଛୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇବା ସହ କରୋନା ସଂକ୍ରମଣ ସମୟରେ ଚଳିତ ବର୍ଷ ଉତ୍ସବ ଆୟୋଜନ ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ, ଶିକ୍ଷାବିତ୍ ଡ- ଭାଗବତ ପାଣିଗ୍ରାହୀ, ଅଭିନେତା-ନିର୍ଦ୍ଦେଶକ କମଳଲୋଚନ ଦାଶ, ଆଶିଷ କୁମାର ଚକ୍ରବର୍ତ୍ତୀ, ନିରଞ୍ଜନ ରାଉତ, ଆଡ଼- ଅଶୋକ ସେନାପତି, ଆଡ଼- ନିରଞ୍ଜନ ପରିଡ଼ା, ସାମାଜିକ କର୍ମୀ ଜୟନ୍ତ ମହାନ୍ତି, ଅଧ୍ୟାପକ ଶଶିକାନ୍ତ ମହାନ୍ତି, ଜିଲ୍ଲା ଉଠାଜଳସେଚନ ସଙ୍ଘର ସମ୍ପାଦକ ଶ୍ୟାମସୁନ୍ଦର ଜେନା, ସହସମ୍ପାଦକ ଶରତ ଚନ୍ଦ୍ର ଦଳାଇ, ‘ଚନ୍ଦ୍ରଭାଗୋତ୍ସବ’ର ବାର୍ତ୍ତା ସଂଯୋଜିକା ଜ୍ୟୋତିର୍ମୟୀ ଶତପଥୀ ପ୍ରମୁଖ ଏଥିରେ ଯୋଗଦେଇ କରୋନା ସଂକ୍ରମଣ କାଳରେ ୩୦/୩୧ବର୍ଷର ‘ଚନ୍ଦ୍ରଭାଗୋତ୍ସବ’, ୨୬ବର୍ଷର ‘ବାଲେଶ୍ୱର ବହିମେଳା’, ୧୮ବର୍ଷର ‘ଜାତୀୟ ସ୍ତରୀୟ ଚିତ୍ରକଳା କର୍ମଶାଳା’, ‘୧୫ଶ ଜାତୀୟ ମହାବିଦ୍ୟାଳୟ ସ୍ତରୀୟ ବହୁଭାଷୀ କ୍ଷୁଦ୍ରନାଟକ ପ୍ରତିଯୋଗିତା’ ଏବଂ ରାଜ୍ୟସ୍ତରୀୟ ସ୍କୁଲ୍ କଲେଜ୍ମାନଙ୍କ ମଧ୍ୟରେ ବିଭିନ୍ନ ସୃଜନଶୀଳ ‘ଟ୍ୟାଲେଣ୍ଟ୍ ହଣ୍ଟିଂ ପ୍ରତିଯୋଗିତା’ କାର୍ଯ୍ୟକ୍ରମ ପ୍ରଭୃତି ଚଳିତବର୍ଷ ହୋଇପାରିବ କି ନାହିଁ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସରକାରଙ୍କ କୋଭିଡ୍ ନିୟମ ପାଳନ ପୂର୍ବକ ଯଥାସମ୍ଭବ ସ୍ୱଳ୍ପ ସମୟ ଅବଧିକୁ ଦୃଷ୍ଟି ଦେଇ ବହିମେଳା, ଚିତ୍ରକଳା, ନାଟକ, ନୃତ୍ୟ, ସଙ୍ଗୀତାଦି ହୋଇପାରିଲେ ‘ଚନ୍ଦ୍ରଭାଗୋତ୍ସବ’ର ଗରିମା ରହନ୍ତା ବୋଲି ଉପସ୍ଥିତ ସଦସ୍ୟମାନେ ମତ ଦେଇଥିବା ବେଳେ ‘ଚନ୍ଦ୍ରଭାଗା’ର ସ୍ୱନକ୍ଷ୍ର ଜନ୍ମଦିନ ପାଳନ ପ୍ରତିକାତ୍ମକ ଢଙ୍ଗରେ ଏବଂ ନିରାଡମ୍ବରରେ କରାଯିବା ଉଚିତ ବୋଲି କହିଥିଲେ। ତେବେ ଏ ସଂକ୍ରାନ୍ତୀୟ ସବିଶେଷ ଅଗ୍ରଗତି ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପୌରପାଳିକାର କାର୍ଯ୍ୟନିର୍ବାହୀଙ୍କ ପରାମର୍ଶ ୠ୍ରହଣ ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ‘ଚନ୍ଦ୍ରଭାଗା’ ଆନୁକୂଲ୍ୟରେ ‘ନୂଆ ସାହିତ୍ୟ-ସିଜିନ୍:୧’ର କବି ଶ୍ରୀଦେବଙ୍କ ଆଳାପାରମ୍ଭ ଗାଳ୍ପିକା ଜ୍ୟୋତିପୁଷ୍ପା ଦାସ, ଗାଳ୍ପିକ ସଞ୍ଜୟ କୁମାର ପଣ୍ଡା, କବି ଓ ଆଲୋଚକ ଆର୍ଯ୍ୟବ୍ରତ ଦାସ, କୁମାର ପ୍ରଶାନ୍ତ, ଅବନୀ ଜେନା ଏବଂ ସୁନୀଲ୍ ପଣ୍ଡାଙ୍କ ଉପସ୍ଥିତିରେ ସମାପନ ହୋଇଥିଲା। ପରିଶେଷରେ କବି ସତ୍ୟ ସାହୁ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।