Home ଜିଲ୍ଲା ପରିକ୍ରମା କେବେ ବନ୍ଦ ହେବ ବେଆଇନ୍ ଗୋରୁ ଚାଲାଣ!, ଭଦ୍ରକରୁ ଗୋରୁ ବୋଝେଇ ୨ ପିକ୍‌ଅପ୍ ଓ...

କେବେ ବନ୍ଦ ହେବ ବେଆଇନ୍ ଗୋରୁ ଚାଲାଣ!, ଭଦ୍ରକରୁ ଗୋରୁ ବୋଝେଇ ୨ ପିକ୍‌ଅପ୍ ଓ କାର ଜବତ, ୩୦ ଗୋରୁ ଉଦ୍ଧାର, ୪ ଗିରଫ

9

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ସିଟି ଡିଏସ୍‌ପି ସମ୍ବିତ ମାଝୀଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବେଆଇନ୍ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍‌କୁ ଜବତ କରିଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଗଠିତ ଏହି ସ୍ୱତନ୍ତ୍ର ଟିମ୍ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ତିହିଡିରୁ ଗୁଜିଦରଡା ଯାଉଥିବା ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍‌ର ପିଛା କରିଥିଲେ। ଏହି ଗାଡିଟି ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଓଲଟି ପଡିଥିଲା। ଫଳରେ ସେଥିରେ ଥିବା ୮ଟି ଗୋରୁ ଉଦ୍ଧାର ହୋଇଛି। ସେହିପରି ପୁରୁଣାବଜାର ଥାନା ଅଧୀନସ୍ଥ ମିର୍ଜାପୁର ନିକଟରେ ମଧ୍ୟ ଏକ ପିକଅପ ଭ୍ୟାନ ସହ ୨୦ ଟି ଗୋରୁକୁ ପୁଲିସ୍ ଉଦ୍ଧାର କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। ଏ ସଂପର୍କରେ ଆଜି ପୁରୁଣାବଜାର ଥାନାରେ ଶ୍ରୀ ମାଝୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ପୁରୁଣାବଜାର ଥାନାର ଏସଆଇ ଦୀପ୍ତିରେଖା ସ୍ୱାଇଁ ନାଇଟ୍ ପାଟ୍ରୋଲିଂ କରୁଥିବା ସମୟରେ ହଳଦିଡିହ ଛକ ନିକଟରେ ରାତି ପ୍ରାୟ ୪.୨୦ ରେ ଓଆର-୦୨ବିଏକ୍ସ-୨୮୨୮ ନମ୍ବରର ଭଲ୍ସ ୱାଗନ କାର୍‌ଟିକୁ ସନ୍ଦେହ ଜନକ ଅବସ୍ଥାରେ ଦେଖିଥିଲେ। ସେତେବେଳେ ଡ୍ରାଇଭର ସମେତ ୪ ଜଣ ସେଠାରେ ଉପସ୍ଥିତ ଥିଲେ। ସେମାନଙ୍କୁ ପଚରା ଉଚୁରା କରିବାରୁ ସେମାନେ ୨ଟି ଗୋରୁ ବୋଝେଇ ପିକଅପ ଗାଡିକୁ ସୁରକ୍ଷା ଦେଇ ଚୋରା ଚାଲାଣ କରିବାର ପ୍ରୟାସ କରୁଥିବା ବିଷୟ କହିଥିଲେ। ଯାହା ଚାନ୍ଦବାଲିରୁ ଆସୁଥିବାର ସେମାନେ ସୂଚନା ଦେଇଥିଲେ। ଏହି ସୂତ୍ର ଆଧାରରେ ପୁଲିସ୍ ୨୦ଟି ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍‌କୁ ଅଟକାଇବାରୁ ସେ ପୁଲିସ୍ ଆଖିରେ ଧୂଳି ଦେଇ ଖସିଯିବାର ପ୍ରୟାସ କରିଥିଲେ ମଧ୍ୟ ଧରାପଡିଥିଲା। ଏହାର କିଛି ସମୟ ପରେ ଆଉ ଏକ ପିକଅପ୍ ଭ୍ୟାନ୍‌କୁ ଆସୁଥିବାବେଳେ ପୁଲିସ୍ ଉକ୍ତ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲେ। ଏହି ଗାଡିଟି ମଧ୍ୟ ପୁଲିସ୍‌କୁ ଚକମା ଦେଇ ଅଟକିବାର ନିର୍ଦ୍ଦେଶ ନମାନି ଖସିଯିବାକୁ ଉଦ୍ୟମ କରିଥିଲା। ତେବେ ଏସଆଇ ଦୀପ୍ତିରେଖା ଗ୍ରାମାଂଚଳ ଥାନା ପୁଲିସ୍ ସହାୟତାରେ ଉକ୍ତ ଗାଡିଟିକୁ ପିଛା କରିବାରୁ ସେ ରାସ୍ତା ପାଶ୍ୱର୍କୁ ଓଲଟି ପଡିଥିଲା। ଫଳରେ କିଛି ଗୋରୁ ଆହତ ହୋଇଥିଲେ। ଏହି ଘଟଣାରେ ଉକ୍ତ ଭ୍ୟାନ୍‌ର ଡ୍ରାଇଭର ଖସିଯିବାରେ ସକ୍ଷମ ହୋଇଥିଲା। ତେବେ ଏସଆଇ ଦୀପ୍ତିରେଖା ଗାଡିଟିକୁ ଜବତ କରି ଉକ୍ତ ଗାଡିରୁ ୧୦ଟି ସୁସ୍ଥ ଗୋରୁ ସମେତ ଅନ୍ୟ ଆହତ ଗୋରୁଙ୍କୁ ଉଦ୍ଧାର କରିଥିଲେ। ସମୁଦାୟ ୩୦ ଟି ଗୋରୁ ଉଦ୍ଧାର ହୋଇଥିବାବେଳେ, ୨ଟି ପିକଅପ୍ ଭ୍ୟାନ୍‌, ଗୋଟିଏ କାର ଓ ୫ଟି ମୋବାଇଲ୍ ଜବତ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ କେନ୍ଦ୍ରାପଡା ଜିଲା ଆଳି ଥାନା ନିବାସୀ ରସୁଲପୁରର ଇବ୍ରାହିମ ଖାନ୍‌ଙ୍କ ପୁତ୍ର ଇସଲାମ ଖାନ୍ (୪୬), ରମଜାନ ଖାନ୍‌ଙ୍କ ପୁତ୍ର ସର୍ଫରାଜ ଖାନ ଓରଫ ବବୁଲ (୩୦), ସୋନେଇ ଖାନ୍‌ଙ୍କ ପୁତ୍ର ଫଜିଲ ହାସନ ଓରଫ ଟିକିନି (୨୯), ଭଦ୍ରକ ଜିଲା ଧୁଷୁରୀ ଥାନା ଅଧୀନସ୍ଥ ଜଗନ୍ନାଥସାହି ନିବାସୀ ଦୁଃଖ ସାହାଜୀଙ୍କ ପୁତ୍ର ମଇରାଜ ସାହାଜୀ (୩୫) କୁ ଆଜି ପୁରୁଣାବଜାର ଥାନାର ଏସ୍‌ଆଇ ଦୀପ୍ତିରେଖା ସ୍ୱାଇଁ ଓ ତଦନ୍ତକାରୀ ଅଧିକାରୀ ପ୍ରିୟବ୍ରତ ବିଶ୍ୱାଳଙ୍କ ଅଭିଯୋଗ ମୂଳେ ଥାନା କେଶ୍ ନଂ ୯୪/୨୫, ଦଫା ୧୧୧ (୨), (ବି)/୧୧୧(୪)/୩୦୩(୨)/୩୧୭(୨)/୩୨୫/୩(୫) ବିଏନ୍‌ଏସ ଆର/ଡବ୍ଲ୍ୟୁ ସେକ୍ସନ ୭ ଓଡ଼ିଶା ପ୍ରିଭେନସନ ଅଫ୍ କାଓ ସ୍ଲଟର ଅକ୍ଟ ଆର/ଡବ୍ଲ୍ୟୁ ସେକ୍ସନ ୧୧ (ଏ) (ଡି) ପ୍ରିଭେନସନ ଅଫ୍ କ୍ରୁଲେଟି ଟୁ ଆନିମାଲ ଆକ୍ଟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.