Home କେନ୍ଦୁଝର କୁକୁଡା ନେଲା ଜୀବନ ଅଁରା ରେ ଦୁଇ ଗୋଷ୍ଠୀ...

କୁକୁଡା ନେଲା ଜୀବନ ଅଁରା ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବରଖି ରାସ୍ତା ଅବରୋଧ

83

ହାଟଡିହି-୨୧/୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଁରା ଗ୍ରାମରେ ଘଟିଯାଇଛି ଅଭାବନୀୟ ଘଟଣା । ଏକ କୁଡା ମରିବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ଆହତ ହୋଇଥିବା ଜଣାଯାଇଛି । ଏହାକୁନେଇ ଗାଁରେ ଲାଗି ରହିଛି ଚାପା ଉତ୍ତେଜନା । ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଗ୍ରାମବାସୀମାନେ ଅଁରା ଛକରେ ଶବରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଓରାଳି ଶାଳଣିଆଁ ରାସ୍ତାରେ ଗାଡି ଚଳାଚଳ ବନ୍ଦ ହୋଇଯାଇଛି ।
ଅଭିଯୋଗରୁ ଜଣାଯାଇଛି ଯେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗାଁରେ ଗତ ତିନିଦିନ ତଳେ ଗାଁର ଲକ୍ଷ୍ମୀଧର ମଲ୍ଲିକଙ୍କ କୁକୁଡା ଭୀମସେନ ଖଣ୍ଡେଇଙ୍କ ବାଡିରେ ପସିଯାଇଥିଲା । ବାଡିରେ ପନିପରିବା ଲଗାଇଥିବା କାରଣରୁ ଭୀମସେନ ସେଥିରେ କୀଟନାଶକ ପ୍ରୟୋଗ କରିଥିଲା । ଫଳରେ ଲକ୍ଷ୍ମୀଧରଙ୍କ କୁକୁଡାଟି କୀଟନାଶକ ଖାଇ ମରିଯାଇଥିଲା । ଯାହାକୁ ନେଇ ଗତକାଲି ରାତିରେ ଅଁରା ଗାଁର ଦକ୍ଷିଣ ସାହିରେ ଏଥିପାଇଁ ନିଶାପ କରାଯାଇଥିଲା । ଏଥିରେ ଗାଁର ଭଦ୍ରଲୋକ ସାଜିଥିବା ଆନନ୍ଦ ନାୟକ ଓ ବାବନ ବେହେରାଙ୍କ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହେବାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏହି ସମୟରେ ଗାଁର ବାବନ ବେହେରାଙ୍କ ପୁଅ ବିଜନ ବେହେରା ଏକ କ୍ରିକେଟ ବ୍ୟାଟରେ ଆନନ୍ଦ ନାୟକଙ୍କୁ ପ୍ରହାର କରିବାରୁ ସେ ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ । ତାଙ୍କୁ ପ୍ରଥମେ ଶାଳଣିଆଁ ପରେ ଭଦ୍ରକ ଓ ସେଠାରୁ କଟକ ବଡ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ସକାଳୁ ସକାଳୁ ଏ ଖବର ପ୍ରଚାରିତ ହେବାପରେ ଗାଁରେ ଉତ୍ତେଜନା ଦେଖା ଦେଇଥିଲା । ଆନନ୍ଦ ନାୟକଙ୍କ ପତ୍ନୀ ମଞ୍ଜୁଲତା ନାୟକ ଏନେଇ ନନ୍ଦିପଦା ଥାନାରେ ବିଜନ ବେହେରା, ବାମନ ବେହେରା, ବିକଳ ବେହେରା, ଉମାକାନ୍ତ ଖଣ୍ଡେଇ, ସୁକାନ୍ତ ନାୟକଙ୍କ ନାମରେ ଅଭିଯୋଗ କରିଛନ୍ତି । ପୁର୍ବରୁ ଥିବା ରାଜନୈତିକ ଆକ୍ରୋଶରୁ ସେମାନେ ତାଙ୍କ ସ୍ୱାମୀକୁ ପିଟିପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଆନନ୍ଦପୁର ଏସଡିପିଓ ବିଦ୍ୟୁତ ପଣ୍ଡା, ନନ୍ଦିପଦା ଥାନା ଅଧିକାରୀ ମଦନ ନାୟକ ପ୍ରମୁଖ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟଫିକ ଟିମ ସହ ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ କରାଯାଇପାରି ନଥିବା କହିଛନ୍ତି ଏସଡିପିଓ ବିଦ୍ୟୁତ ପଣ୍ଡା । ଆଜି ସନ୍ଧ୍ୟାରେ ଆନନ୍ଦ ନାୟକଙ୍କ ଶବ ଗାଁରେ ପହଞ୍ଚିବାପରେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ତୀବ୍ର ଆକାର ଧାରଣ କରିଛି । ଶହଶହ ସଂଖ୍ୟାରେ ଲୋକମାନେ ଓରାଳି ଶାଳଣିଆଁ ରାସ୍ତାକୁ ଅଁରା ଛକ ନିକଟରେ ରାସ୍ତା ଅବରୋଧ କରିବା ସହିତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.