Home ଅପରାଧ କାହା ଅନୁମତିରେ ରାତିଅଧିଆ ଜଙ୍ଗଲରେ ମେସିନ୍ ଲଗାଇ ବିଆରପିଏଲ୍ ପାଇଲାଇନ୍ ମରାମତି କାର୍ଯ୍ୟ ଚଲାଇଛି, ଭାସିଗଲା...

କାହା ଅନୁମତିରେ ରାତିଅଧିଆ ଜଙ୍ଗଲରେ ମେସିନ୍ ଲଗାଇ ବିଆରପିଏଲ୍ ପାଇଲାଇନ୍ ମରାମତି କାର୍ଯ୍ୟ ଚଲାଇଛି, ଭାସିଗଲା ଜଙ୍ଗଲରେ ଫାଇନ୍ସ କାଦୁଅ ପାଣି

210

କେନ୍ଦୁଝର,ତା ୧୮ ସେପ୍ଟେମ୍ୱର(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଦେଓବନ୍ଧ ବନବିଭାଗ ଅଧିନସ୍ଥ କୁଆଝରଣ ଘାଟି ଜଙ୍ଗଲରେ କାହା ନିର୍ଦ୍ଦେଶରେ ରାତିଅଧିଆ ମେସିନ୍ ଲଗାଇ ଜଙ୍ଗଲ ନଷ୍ଟ କରି ବିଆରପିଏଲ ଚଲାଇଛି ପାଇପ୍ ଲାଇନ୍ ମରାମତି କାର୍ଯ୍ୟ । ସୂଚନା ମୁତାବକ ବ୍ରାହ୍ମଣୀ ରିଭର ପିଲେଟ ଲିଃ (ବିଆରପିଏଲ) ପାଇପ୍ ଲାଇନ୍ ଯୋଗେ ବଡବିଲ ଟଣ୍ଟୋ ଠାରୁ ଲୁହାପଥର ଗୁଣ୍ଡ ସହ ପାଣି ମିଶ୍ରଣ କରି କମ୍ପାନୀ କଳିଙ୍ଗନଗର ସ୍ଥିତ ପିଲେଟ ପ୍ଲାଣ୍ଟକୁ ଲୁହାପଥର ପରିବହନ କରିଥାଏ । ଏହି ପାଇପ୍ ଲାଇନ୍ ଦ୍ବାରା ପ୍ରତ୍ୟେକ ଦିନ ଲୁହାପଥର ପରିବହନ କରି କମ୍ପାନୀ ମାଲେମାଲ ହେଉଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଅନେକ ଜଙ୍ଗଲ ନଷ୍ଟ ଓ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ । ଏହି ପାଇପ ଯୋଗେ ପାଣି ଓ ଚାପ୍ ଦ୍ଵାରା ୨୪ଘଣ୍ଟା ଲୁହାପଥର ପରିବହନ ହୋଇଥାଏ, ଅତ୍ୟଧିକ ଚାପ କାରଣରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପାଇପ୍ ଗୁଡିକ ଫାଟି ଯାଇଥାଏ । ଫଳରେ ପାଇପ୍ ମଧ୍ୟରେ ଯାଉଥିବା ଲୁହାପଥର ଗୁଣ୍ଡ ଓ ମିଶ୍ରିତ ପାଣି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ସହ ଅନେକ ସ୍ଥାନରେ ଜଙ୍ଗଲ ଭଳି ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଚଳିତ ମାସ ଏହି ପାଇପ ଲାଇନ୍ ଯୋଡା ପୌରାଞ୍ଚଳର ଚେମେରି କ୍ୟାମ୍ପ ନିକଟରେ ଅଧିକ ଚାପ କାରଣରୁ ଫାଟିଯାଇ ଭୟାନକ ପରିସ୍ଥିତି ଉପୁଜିଥିଲା । ପାଇପ୍ ଫାଟିକା କାରଣରୁ ବ୍ୟାପକ ପରିମାଣର ଜଳ ମିଶ୍ରିତ ଲୁହାପଥର ଗୁଣ୍ଡ କାଦୁଅ ପାଣି ବସ୍ତି ବାସିନ୍ଦାଙ୍କ ଘରେ ପଶିଯାଇଥିଲା । ବସ୍ତିର ପ୍ରାୟ ୧୭ଜଣଙ୍କ ଘରେ ଏହି କାଦୁଅ ପାଣି ପଶିଯିବା ଯୋଗୁଁ ସେମାନଙ୍କ ଆସବାସପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ସହ ସେମାନଙ୍କ ଘରେ ଚୂଲି ଜଳିପାରିନାହିଁ । କାଦୁଅ ପାଣି ବସ୍ତିବାସୀଙ୍କ ମଧ୍ୟରେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି କରିଥିବା ବେଳେ ଲୋକମାନେ ଘର ଦ୍ୱାର ଛାଡି ପିଲାଛୁଆ ନେଇ ରାସ୍ତା ଉପରେ ବସିବାକୁ ବାଧ୍ୟ ହୋଇଥିଲେ । ସେହିପରି କୁଆଝରଣ ଘାଟି ଜଙ୍ଗଲରେ ଅତ୍ୟଧିକ ଚାପ କାରଣରୁ ପାଇପ୍ ଫାଟି ଯିବା କାରଣରୁ କମ୍ପାନୀ କର୍ତ୍ତୃପକ୍ଷ ବନବିଭାଗ ଅଧିକାରୀଙ୍କୁ ମୋଟା ଅଙ୍କର ହାତଗୁଞ୍ଜା ଦେଇ ରାତିଅଧିଆ ମେସିନ୍ ଲଗାଇ ମରାମତି କାର୍ଯ୍ୟ କରିଥିଲେ । ହେଲେ ଏହି ପାଇପ୍ ଫାଟିବା ଦ୍ବାରା ଜଙ୍ଗଲର ଏକର ଏକର ଜଙ୍ଗଲ ଜମି ଉପରେ ଲୁହାପଥର ଗୁଣ୍ଡ କାଦୁଅ ପାଣି ଖେଳି ଯାଇଥିଲା । ମରାମତିରେ ମେସିନ୍ ଲଗାଇ ଅନେକ ଗଛ ନଷ୍ଟ ହୋଇଥିବା ବେଳେ ଏହି ଲୁହାପଥର ଗୁଣ୍ଡ ପାଣିରେ ଅନେକ ଜଙ୍ଗଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଜଙ୍ଗଲ ନଷ୍ଟ ଓ ଜଙ୍ଗଲ ମଧ୍ୟରେ ରାତିଅଧିଆ ମେସିନ୍ ଲଗାଇ ମରାମତି କାର୍ଯ୍ୟ କରୁଥିବା ନେଇ ନିକଟସ୍ଥ ପିଟାପିଟି ଗ୍ରାମର ଶତାଧିକ ଲୋକ ବିରୋଧ କରିଥିଲେ ଓ ଦେଓବନ୍ଧ ବନପାଳଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କମ୍ପାନୀ କର୍ତ୍ତୃପକ୍ଷ ମରାମତି କାର୍ଯ୍ୟକୁ ବନ୍ଦ କରିଥିଲେ, ହେଲେ ସେଠାରୁ ଲୋକେ ପଳାଇ ଆସିବା ପରେ ପୁଣି ଗ୍ରାମବାସୀ ଓ ବନବିଭାଗକୁ ଚ୍ୟାଲେଞ୍ଜ ଦେଇ ପୁଣି ବେଧଡକ ମରାମତି କାର୍ଯ୍ୟ ଜାରି ରହିଥିଲା । ଜଙ୍ଗଲ ନଷ୍ଟ ଓ ରାତି ଅଧିଆ କାର୍ଯ୍ୟକୁ ନେଇ ଆମ ପ୍ରତିନିଧି ବନପାଳଙ୍କୁ ଫୋନ୍ ଯୋଗେ ଜଣାଇଥିଲେ, ହେଲେ ରାତିରେ ମରାମତି କାର୍ଯ୍ୟ ଚାଲୁନଥିବା ବନପାଳ ସୂଚନା ଦେଇଥିଲେ । ଏନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ ସୂଚନା ଦେଇଥିଲେ କି ଆମର ବନବିଭାଗ ଠାରୁ ଅନୁମତି ଅଛି, ଜଙ୍ଗଲ ମଧ୍ୟରେ ଲୁହାପଥର ଗୁଣ୍ଡ କାଦୁଅ ପାଣି ଯାଇ ଜଙ୍ଗଲ ନଷ୍ଟ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି କି ପାଣି ଢ଼ାଳି ଜଙ୍ଗଲକୁ ସଫା କରିଦିଆଯିବ । ହେଲେ ଏଠାରେ ପ୍ରଶ୍ନ ଯେ ଜଙ୍ଗଲକୁ ସୁରକ୍ଷା ଦେବାପାଇଁ ରାଜସ୍ବରୁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବାରମ୍ବାର ଜଙ୍ଗଲକୁ ନଷ୍ଟ କରୁଥିବା କମ୍ପାନୀ ଉପରେ ଜଙ୍ଗଲ ବିଭାଗର ଏତେ ଦରଦ କାହିଁକି । କାର୍ଯ୍ୟାନୁଷ୍ଠାନ ବଦଳରେ କମ୍ପାନୀ ସହ ସଲାସୁତୁରା ହୋଇ ବନବିଭାଗ ଅଧିକାରୀ ମାଲେମାଲ ହେଉଥିବା ବେଳେ ଅନେକ ଜଙ୍ଗଲ ନଷ୍ଟ ହେବାକୁ ବସିଛି । ବିଆରପିଏଲ ପାଇପ୍ ଲାଇନ୍ ବାରମ୍ବାର ଫାଟିବା ଘଟଣାକୁ ନେଇ ଖଡ଼ିବାହାଳୀ ଛକ ଠାରୁ ରେମାଳ ଛକ ମଧ୍ୟରେ ବିଭିନ୍ନ ସ୍ଥାନରେ ପାଇପ୍ ଲାଇନ୍ ପୃର୍ତ୍ତବିଭାଗ ରାସ୍ତାର ମଧ୍ୟଭାଗରେ ଯାଇଥିବା ନେଇ ଭୟଭୀତ ଅବସ୍ଥାରେ ପଥଚାରୀ । ତେଣୁ ପ୍ରଶାସନ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ ଯଥାଶୀଘ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।



LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.