Home ଜିଲ୍ଲା ପରିକ୍ରମା କାଗଜ କଲମରେ ସୀମିତ ଭଦ୍ରକ ଆଦର୍ଶ ଷ୍ଟେସନ

କାଗଜ କଲମରେ ସୀମିତ ଭଦ୍ରକ ଆଦର୍ଶ ଷ୍ଟେସନ

49

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତଟ ରେଳ ଡିଭିଜନ ଅଧୀନରେ ଭଦ୍ରକ ଷ୍ଟେସନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଦର୍ଶ ଷ୍ଟେସନ ଭାବେ ଏହା ‘ଏ’ ଶ୍ରେଣୀର ମାନ୍ୟତା ପାଇଛି । ଏହି ଷ୍ଟେସନରୁ ଯାତ୍ରୀ ଓ ମାଲ ପରିବହନ ବାବଦରେ ଦୈନିକ ୧ କୋଟିରୁ ଅଧିକ ଟଙ୍କା ରେଳ ବିଭାଗ ଆୟ କରୁଛି । କିନ୍ତୁ ସେହି ଅନୁପାତରେ ରେଳ ବିଭାଗ ଉକ୍ତ ଷ୍ଟେସନର ଉନ୍ନତିକରଣ ସହ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ପଛଘୁଞ୍ଛା ଦେଇଚାଲିଛି ବୋଲି ସହରର ପ୍ରତ୍ୟେକ ସଚେତନ ନାଗରିକଙ୍କ ମତ । ଭଦ୍ରକ ଷ୍ଟେସନରେ ବିଭିନ୍ନ ସମସ୍ୟା ସମାଦାନ ଦିଗରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି, ସ୍ଥାନୀୟ ନେତାଙ୍କ ଆନ୍ତରିକତାର ଅଭାବ ସର୍ବୋପରି କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ କାଗଜ କଲମରେ ସୀମିତ ରହିଯାଇଛି ଆଦର୍ଶ ଷ୍ଟେସନର ବିକାଶ ପ୍ରକ୍ରିୟା । ଏଠାରେ ସୂଚନାଯୋଗ୍ୟ, ୨୦୦୧ ମସିହାରେ ତତ୍‌କାଳୀନ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ଉତ୍ସବରେ ସେତେବେଳର ରେଳବାଇ ମନ୍ତ୍ରୀ ନୀତିଶ କୁମାର ଭଦ୍ରକ ଷ୍ଟେସନକୁ ଏକ ଆଦର୍ଶ ଷ୍ଟେସନ ଭାବେ ଘୋଷଣା କରିବା ସହ ଏହାର ଆଧୁନିକୀକରଣ ପାଇଁ ଶିଳାନ୍ୟାସ କରିଥିଲେ । ଇତିମଧ୍ୟରେ ୨୦ ବର୍ଷ ବିତିଯାଇଥିଲେ ମଧ୍ୟ ଷ୍ଟେସନର ଭିତ୍ତିଭୂମିରେ ଯେପରି ଉନ୍ନତି ଆସିବା କଥା ତାହା ହୋଇନାହିଁ । ପରିମଳ ବ୍ୟବସ୍ଥାର ଇତି ମଧ୍ୟରେ ଯଥେଷ୍ଟ ଉନ୍ନତି ଆସିଛି । ଓସାରିଆ ଫୁଟ୍ ବ୍ରିଜ୍ ନିର୍ମିତ ହୋଇଛି । ନୂତନ ପ୍ରଶାସନିକ ବିଲ୍‌ଡିଂ ମଧ୍ୟ ନିର୍ମିତ ହୋଇଛି । କିନ୍ତୁ ଫ୍ଲାଟଫର୍ମ ଭିତରେ ଯାତ୍ରୀମାନଙ୍କ ବସିବା ପାଇଁ ଯଥେଷ୍ଟ ପରିମାଣର ଚେୟାର ନଥିବାରୁ ସ୍ଥାନୀୟ ସାଂସଦ ମଂଜୁଲତା ମଣ୍ଡଳଙ୍କ ଅନୁଦାନରେ ବହୁ ପରିମାଣର ଚେୟାର ବ୍ୟବସ୍ଥା ହୋଇଛି । କିନ୍ତୁ ବିଶ୍ରାମ ପାଇଁ ଯାତ୍ରୀମାନଙ୍କ ସ୍ୱତନ୍ତ୍ର ଗୃହ ଏଯାବତ୍ ପ୍ରସ୍ତୁତ ହୋଇପାରିନାହିଁ ।

ପ୍ଲାଟଫର୍ମରେ ଥିବା ରୁଫରୁ ବର୍ଷାଦିନେ ପାଣି ଝରୁଛି । ସେହିପରି ସ୍ୱଳ୍ପ ପରିମାଣର ରୁଫ୍ ଥିବାରୁ ଅଧିକାଂଶ ଯାତ୍ରୀଙ୍କୁ ଟ୍ରେନ୍‌କୁ ଯିବା ସମୟରେ ବର୍ଷା ଦିନରେ ଭିଜିବାକୁ ପଡୁଛି । ବହୁ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ଏଠାରେ ରହୁନାହିଁ । ଷ୍ଟେସନର ଦକ୍ଷିଣ ପାଶ୍ୱର୍ରେ ଥିବା ଲେଭଲ କ୍ରସିଂ ଗେଟ୍ ନଂ ୧୧୯ ଉଡନ୍ତା ପୋଲ କାର୍ଯ୍ୟ ଇତିମଧ୍ୟରେ ଆରମ୍ଭ ହୋଇଥିଲେ ମଧ୍ୟ ଏହା କେବେ ସରିବ, ତାର କୌଣସି ନିଶ୍ଚିତତା ନାହିଁ । ଅନୁରୂପ ବ୍ୟସ୍ତବହୁଳ ଭଦ୍ରକ ଷ୍ଟେସନ ଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ବାଇପାସ୍ ରାସ୍ତାର କାର୍ଯ୍ୟ ମଧ୍ୟ ଆଗେଇ ପାରୁନି । ପୂର୍ବରୁ ପୂର୍ବତଟ ରେଳବାଇ ମଣ୍ଡଳ ମହା ପ୍ରବନ୍ଧକ (ଡିଆରଏମ୍‌) ପୂର୍ବରୁ ନିଜର ଗସ୍ତ ସମୟରେ ଉକ୍ତ ଷ୍ଟେସନର ଉନ୍ନୟନ ସଂପର୍କରେ ବହୁ ଘୋଷଣା କରିଥିଲେ । ସେଗୁଡିକ ମଧ୍ୟରେ ଥିଲା ଦିବ୍ୟାଙ୍ଗଙ୍କ ନିମିତ୍ତ ରାମ୍ପସ, ଲିଫ୍‌ଟ ସ ଏସକାଲେଟର । ଏହାବ୍ୟତୀତ କେତେକ ଗୁରୁତ୍ୱପୂର୍ଣ୍ଣ ସୁପର ଫାଷ୍ଟ ଟ୍ରେନ୍ ମଧ୍ୟ ରହିବ ବୋଲି ସେ ଘୋଷଣା କରିଥିଲେ । କିନ୍ତୁ ଡିଆରଏମ୍‌ଙ୍କ ଏହି ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଯାଇଛି । ଅଧିକ ଅର୍ଥ ମଂଜୁର ହେଲେ ରାମ୍ପସ ଓ ଏସକାଲେଟର ନିର୍ମିତ ହେବ ବୋଲି ବିଭାଗୀୟ ଏଡିସି କହିଛନ୍ତି । ଇତିମଧ୍ୟରେ ଷ୍ଟେସନରେ ୩ଟି ଲିଫ୍‌ଟ ନିର୍ମିତ ହୋଇଛି । ନିର୍ମାଣ ସରିବାର ୧ ବର୍ଷ ବିତିଗଲାଣି । କିନ୍ତୁ ଏଗୁଡିକ ଉଦ୍‌ଘାଟିତ ହୋଇନଥିବାରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ତେଣୁ ପୂର୍ବପରି ଯାତ୍ରୀମାନେ ଫୁଟ ଓଭରବ୍ରିଜ୍ ଦେଇ ଯିବାଆସିବା କରୁଛନ୍ତି । ଲିଫଟ୍ ନିର୍ମାଣ ସରିବା ପରେ ମଧ୍ୟ ଏହାର ବ୍ୟବହାର କାହିଁକି ହୋଇପାରୁନାହିଁ ବୋଲି ସ୍ଥାନୀୟ ଅଧିବାସୀ ପ୍ରଶ୍ନ ଉଠାଇଛନ୍ତି । କାରଣ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଲିଫ୍‌ଟ ବଦଳରେ ସେଇ ଫୁଟ୍ ବ୍ରିଜ୍‌କୁ ବହୁ କଷ୍ଟରେ ବ୍ୟବହାର କରୁଛନ୍ତି । ତେଣୁ ସଂପୂର୍ଣ୍ଣ ହୋଇ ସାରିଥିବା ଲିଫ୍‌ଟିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଓ ଡିଆରଏମ୍‌ଙ୍କ ପ୍ରତିଶ୍ରୁତି ଅନୁଯାୟୀ ଏସକାଲେଟର ଓ ରାମ୍ପସ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.