Home କେନ୍ଦୁଝର କରୋନା ସମୟରେ ହାଟଡିହି ବ୍ଲକରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ଜଣେ ଡାକ୍ତରରେ ଚାଲିଛି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

କରୋନା ସମୟରେ ହାଟଡିହି ବ୍ଲକରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ଜଣେ ଡାକ୍ତରରେ ଚାଲିଛି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

30

ହାଟଡ଼ିହି, ୧୯ । ୪ : (ଓଡିଆପୁଅ / ବିକାଶ ବିଶ୍ୱାଳ)କରୋନା ସମୟରେ ହାଟଡିହି ବ୍ଲକରେ ଡାକ୍ତର ଅଭାବରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇପଡିଛି । ତିନୋଟି ଜିଲ୍ଲାର ସୀମାନ୍ତରେ ଥିବା ହାଟଡିହି ବ୍ଲକଟି ଉଭୟ ରାଜନୈତିକ ଓ ସାମାଜିକ ଦୃଷ୍ଟିକୋଣରୁ ଗୁରୁତ୍ୱପୁର୍ଣ୍ଣ । ଡାକ୍ତର ଓ କର୍ମଚାରୀ ଅଭାବରୁ ଏହି ବ୍ଲକରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ବ୍ଲକ ଅଧିନରେ ଗୋଟିଏ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଦୁଇଗୋଟି ଏରିଆ ହସପିଟାଲ ଓ ୫ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨୬ଟି ସ୍ୱାସ୍ଥ୍ୟଉପକେନ୍ଦ୍ର ରହିଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ଜଣ ଡାକ୍ତର, ୭ଜଣ ଷ୍ଟାଫନର୍ସ, ୨ଜଣ ଫାର୍ମାସିଷ୍ଟ ରହିବାର ନିୟମ ରହିଛି । କିନ୍ତୁ ବିଡମ୍ବନାର ବିଷୟ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର, ତିନିଜଣ ଷ୍ଟାଫ ନର୍ସ ଓ ଜଣେ ଫାର୍ମାସିଷ୍ଟକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଚାଲିଛି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଶାଳଣିଆଁ, ଡଅଁର, ଆଇତିପୁର, ଗେଡମା, ହାବଳେଶ୍ୱର, କଳିଗାଁ, ଷଡଙ୍ଗ, ଇଞ୍ଚୋଳ, ଅଁରା ଆଦି ପଞ୍ଚାୟତର ୪୫ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ପୁର୍ବରୁ ଡାକ୍ତର ଅଭାବକୁ ନେଇ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକବାର ଆନ୍ଦୋଳନ ମଧ୍ୟ କରାଯାଇଛି । କିନ୍ତୁ ସ୍ୱାସ୍ତ୍ୟ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଏହାକୁ କେବେ ଗୁରୁତ୍ୱ ଦେଉ ନାହାନ୍ତି । ଏଠାରେ ଥିବା ଡାକ୍ତର ଜଣକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ହୋଇଥିବାରୁ ସେ ଅଧିକାଶଂ ସମୟରେ ମିଟିଂ ଓ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଡାକ୍ତରଖାନାଟି ଅନେକ ସମୟରେ ଡାକ୍ତର ବିହୀନ ହୋଇପଡୁଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ସ୍ୱାସ୍ଥ୍ୟସେବା ପାଇ ନପାରି ନିରାଶରେ ଫେରୁଛନ୍ତି । ଫଳରେ ରୋଗୀମାନେ ବାଧ୍ୟହୋଇ ଭଦ୍ରକ, ଆନନ୍ଦପୁର ଆଦି ଦୁର ଦୁରାନ୍ତ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । ସେହିପରି ହାଟଡିହି ଡାକ୍ତରଖାନାଟି ବ୍ଲକର ସ୍ୱାସ୍ଥ୍ୟସେବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥାଏ । କିନ୍ତୁ ଏଠାରେ ଦୀର୍ଘବର୍ଷ ହେବ ଡାକ୍ତର ନଥିବାବେଳେ ଡିଏମଏଫ ଟଙ୍କାରେ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ବସାଇ ଦିଆଯାଇଛି । ତାଙ୍କ ବ୍ୟବହାରରେ ରୋଗୀମାନେ ଅତିଷ୍ଠ ହୋଇ ଆଉ ଡାକ୍ତରଖାନାକୁ ଯାଉ ନାହାନ୍ତି । ସେହିପରି ଟୁକୁଣା, ମୁଗୁପୁର, ଓରାଳି ଆଦି ଡାକ୍ତରଖାନା ଗୁଡିକରେ ଦୀର୍ଘବର୍ଷ ହେବ ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ପରିସଂଖ୍ୟାନ ସହାୟକ, ଜନ୍ମମୃତ୍ୟୁ ପଞ୍ଜିକରଣ କିରାଣୀ, ହେକ୍ୱାଟର ମହିଳା ପରିଦର୍ଶିକା ଆଦିସ ପଦବି ଦୀର୍ଘବର୍ଷ ଧରି ଖାଲି ପଡିଛି । ଦୁଇଜଣ କର୍ମଚାରୀଙ୍କୁ ନେଇ ସମ୍ପୁର୍ଣ୍ଣ ଅଫିସ ଓ ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଚାଲିଛି । ଅନେକ ସମୟରେ କ୍ଷେତ୍ର ପରିଦର୍ଶନରେ ଥିବା କର୍ମଚାରୀ ମାନଙ୍କୁ ଡେପୁଟେସନରେ ଆଣି କାମଚଳା ହେଉଛିି । ଏହି ବ୍ଲକରେ ରାଇଘାଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଥିବା ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମହିଳା ପରିଦର୍ଶିକା ଡେପୁଟେସନରେ ରଖାଯାଇଛି । ଏହି ଉପକେନ୍ଦ୍ରଟି ସମ୍ପୁର୍ଣ୍ଣ ବଣପାହାଡ ଘେରା ଦୁର୍ଗମ ଅଞ୍ଚଳ ଅଟେ । ସେହି ସ୍ୱାସ୍ଥ୍ୟଉପକେନ୍ଦ୍ରରେ ଏବେ ଜଣେ ମାତ୍ର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଚାଲିଛି । ଏଥିରେ ସ୍ୱାସ୍ଥ୍ୟ ବିଭାଗ ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ କେତେ ଦାୟିତ୍ୱପୁର୍ଣ୍ଣ ତାହା ସହଜେ ଅନୁମେୟ । ନିୟମାନୁଯାୟୀ ପ୍ରତ୍ୟେକ ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ, ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓ ଜଣେ ଅତିରିକ୍ତ ସ୍ୱାସ୍ଥ୍ୟକର୍ମ ରହିବାର ବ୍ୟବସ୍ଥା ରହିଛି । କିନ୍ତୁ ସମଣା, ଶାଳଣିଆଁ, ଜମ୍ଭରା, ରାଇଘାଟି ଆଦି ସ୍ୱାସ୍ତ୍ୟ ଉପକେନ୍ଦ୍ରରେ ଜଣେ ଲେଖାଏଁ ମହିଳା ସ୍ୱାସ୍ତଁକର୍ମୀ ଥିବାରୁ ଅଞ୍ଚଳବାସୀଙ୍କୁ ସ୍ୱାସ୍ତ୍ୟସେବା ଯୋଗାଇବା ସମ୍ଭବପର ହୋଇପାରୁ ନାହିଁ । ସେହିପରି ୬ଟି ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ନଥିବାବେଳେ ୧୧ଟିରେ ଅତିରିକ୍ତ ସ୍ୱାସ୍ଥ୍ୟକର୍ମୀ ନାହାନ୍ତି । ହାଟଡିହି ବ୍ଲକର ଅପହଞ୍ଚ ଅଞ୍ଚଳ ଭାବେ ପରିଚିତ ହଦଗଡ ଓ ରାଇଘାଟି ଅଞ୍ଚଳରେ କର୍ମଚାରୀ ଅଭାବରୁ ସ୍ୱାସ୍ଥ୍ୟସେବା ଠିକ ଭାବରେ ପହଞ୍ଚୁ ନଥିବା ଅଭିଯୋଗ ହେଉଛି । ଜଣେ କର୍ମଚାରୀ ଏକାଧିକ ଚାର୍ଜରେ ରହୁଥିବାରୁ କାମ ମଧ୍ୟ ସଠିକ ଭାବେ;ର ହୋଇପାରୁ ନଥିବା ଅଭିଯୋଗ ହେଉଛି । ସ୍ୱାଳ୍ପ ସଂଖ୍ୟକ କର୍ମଚାରୀରେ କରୋନା ଟୀକାକରଣ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.