Home Coronavirus Outbreak କରୋନା ସମୟରେ ଓଡିଶାକୁ ମୋଦି ସରକାରଙ୍କ ୨୨, ୨୬୭.୬୬ କୋଟିର ସହାୟତା – ଧର୍ମେନ୍ଦ୍ର ପ୍ରଧାନ

କରୋନା ସମୟରେ ଓଡିଶାକୁ ମୋଦି ସରକାରଙ୍କ ୨୨, ୨୬୭.୬୬ କୋଟିର ସହାୟତା – ଧର୍ମେନ୍ଦ୍ର ପ୍ରଧାନ

239

– ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ
– ରାଜ୍ୟକୁ ବିପୁଳ କେନ୍ଦ୍ରୀୟ ସହାୟତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ଯତ୍ନଶୀଳ ହୋଇ କାମ କରିବା ଦରକାର
– କେନ୍ଦ୍ରର ଏଲଟିସି କ୍ୟାସ ଭାଉଚର ସ୍କିମ୍ ପରି ରାଜ୍ୟ ସରକାର ନିଜ କର୍ମଚାରୀ ଓ ରାଜ୍ୟର ପିଏସୟୁ କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ
– ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ପ୍ରଦାନ
– ୯୨.୮୫ ଲକ୍ଷ ପରିବାରକୁ ୪୪ ହଜାର ୧୩୦ ଟନ୍ ଡାଲି ଦିଆଯାଇଛି
– ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ମାଗଣା ଏଲପିଜି ସିଲିଣ୍ଡର ଯୋଗାଣ
– ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ମୋଟ ୩୧୨.୪୯ କୋଟି ଟଙ୍କା ପ୍ରଦାନ
– କୋଭିଡ୍‌-୧୯ ପରିଚାଳନା ପାଇଁ ଓଡ଼ିଶାକୁ ୧୦୨ କୋଟି କେନ୍ଦ୍ରୀୟ ସହାୟତା
– ୨୦୧୯.୨୦ ପାଇଁ ଜିଏସଟି କ୍ଷତିପୂରଣ ସ୍ୱରୂପ ୫ ହଜାର ୧୨୨ କୋଟି ଓ ୨୦୨୦.୨୧ ପାଇଁ ଜିଏସଟି ୨ ହଜାର ୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଛି
– ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଂଟାଲ ପିଛା ୫୩ ଟଙ୍କା ବୃଦ୍ଧି
– ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ପ୍ରବାସୀଙ୍କ ପାଇଁ ୨୪୭ରୁ ଅଧିକ ସ୍ପେଶାଲ ଟ୍ରେନ୍ ଚାଲୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୬ (ଓଡ଼ିଆ ପୁଅ) କୋଭିଡ୍‌-୧୯ ସମୟରେ ମୋଦି ସରକାର ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମେତ କୋଭିଡ୍ ପରିଚାଳନା ଓ ମୁକାବିଲା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ମୋଟ୍ ୨୨, ୨୬୭.୬୬ କୋଟିର ସହାୟତା ପ୍ୟାକେଜ୍ ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ନୂଆଦିଲ୍ଲୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୁତ ସୂଚନା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଶ୍ରୀ ପ୍ରଧାନ କରୋନା ମହାମାରୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହାସହ ଓଡିଶାକୁ ବିପୁଳ କେନ୍ଦ୍ରୀୟ ସହାୟତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଯତ୍ନଶୀଳ ହୋଇ କାମ କରିବା ଦରକାର ବୋଲି ସେ କହିଛନ୍ତି। ସେହିପରି ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଉପଭୋକ୍ତାଙ୍କ ଅତିରିକ୍ତ ଚାହିଦା ପାଇଁ ଏଲଟିସି କ୍ୟାସ ଭାଉଚର ସ୍କିମ୍ କରାଯାଇଛି। ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଲାଭ ପାଇବେ। ତେବେ ଏହି କଠିନ ସମୟରେ ରାଜ୍ୟ ସରକାର ମଧ୍ୟ ନିଜ କର୍ମଚାରୀ ତଥା ଓଡିଶାର ପିଏସୟୁ କର୍ମଚାରୀଙ୍କ ପାଇଁ ଏପରି ସମାନ ଭାବେ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ମାସିକ ୫ କେଜି ଚାଉଳ ପ୍ରଦାନ କରାଯାଇଛି। ଏହି ମର୍ମରେ ମୋଟ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ଓଡିଶାକୁ ପ୍ରଦାନ କରାଯାଇଛି। ସେହିପରି ପ୍ରତି ପରିବାରକୁ ମାସିକ ୧ କେଜି ଡାଲି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାର ୯୨.୮୫ ଲକ୍ଷ ପରିବାରକୁ ଡାଲି ଯୋଗାଇ ଦିଆଯାଇଛି। ମୋଟ ୪୪ ହଜାର ୧୩୦ ଟନ୍ ଡାଲି ଓଡିଶାକୁ ଯୋଗାଇ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି।

ଜନଧନ ଆକାଉଣ୍ଟଧାରୀ ମହିଳାଙ୍କ ପାଇଁ ୧୫୦୦ ଟଙ୍କାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାର ୮୫.୨୦ ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି। ଓଡ଼ିଶା ପାଇଁ ମୋଟ ୧୨୫୮.୦୨ କୋଟି ଟଙ୍କା ବ୍ୟାଙ୍କ୍‌ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି। ଜାତୀୟ ସାମାଜିକ ସୁରକ୍ଷା ଭତ୍ତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ କିଷାନ(କୃଷକ ସମ୍ମାନ ନିଧି) ଯୋଜନାରେ ରାଜ୍ୟର ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ମୋଟ ୪୦୦.୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି। କରୋନା ସମୟରେ ଓଡ଼ିଶାର ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା ୧୫୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ ୩୧୨.୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଓଡ଼ିଶାରେ ୧.୫୪ ଲକ୍ଷ ଇପିଏଫଓ ଆକାଉଣ୍ଟଧାରୀଙ୍କୁ ଇ-ଚାଲାଣ କମ୍ ରସିଦ୍ ଆକାରରେ ୫୯.୦୭ କୋଟି ଦିଆଯାଇଛି। ୪୦, ୬୬୬ ଇପିଏଫଓ ହିତାଧିକାରୀ ୮୭.୭୧ କୋଟି ଟଙ୍କା ଇପିଏଫଓ ଆକାଉଣ୍ଟରୁ ଟଙ୍କା ଉଠାଇଛନ୍ତି। ୧.୬୨ ଲକ୍ଷ ହିତାଧିକାରୀଙ୍କ ପାଇଁ ୨୪ ପ୍ରତିଶତ ଇପିଏଫ୍ ଭାରତ ସରକାର ଦେଇଛନ୍ତି। ଓଡ଼ିଶା ପାଇଁ ୧୦୧.୪୮ କୋଟି ଟଙ୍କା ସରକାର ଦେଇଛନ୍ତି। ସେହିପରି ୨୦୧୯.୨୦ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ଜିଏସଟି କ୍ଷତିପୂରଣ ସ୍ୱରୂପ ୫ ହଜାର ୧୨୨ କୋଟି ଟଙ୍କା ଦିଆଯାଇଛି। ୨୦୨୦.୨୧ ଆର୍ଥିକ ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ସ୍ୱରୂପ ଓଡ଼ିଶାକୁ ୨ ହଜାର ୨୫୮ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୧୧୨୯ କୋଟି ଟଙ୍କା ଦିଆଯାଇଛି। ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ମୋଟ ଘରୋଇ ଉତ୍ପାଦର(ଜିଏସଡ଼ିପି)ର ୦.୫ ପ୍ରତିଶତ ମୂଲ୍ୟ ସମାନ ଅତିରିକ୍ତ ୨, ୮୫୮ କୋଟି ଋଣ ନେବା ପାଇଁ ଓଡ଼ିଶାକୁ ଅନୁମତି ଦିଆଯାଇଛି। ଓଡ଼ିଶାକୁ ଆଶ୍ରୟ ସ୍ଥଳ ଏବଂ ୩ ଓଳା ଖାଇବା ପାଇଁ କେନ୍ଦ୍ର ସରକାର ଏସଡ଼ିଆରଏଫ ପାଣ୍ଠିରୁ ୨ ହଜାର ୧୩୯ କୋଟି ଅଗ୍ରୀମ ରାଶି ଜାରୀ କରାଯାଇଛି। ତନ୍ମଧ୍ୟରୁ ପ୍ରଥମ କିସ୍ତିରେ ୮୦୨ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଛି। ଓଡ଼ିଶାର ନନ୍ ମିଲିୟନ ପ୍ଲସ ସିଟିକୁ ପ୍ରଥମ କିସ୍ତିରେ ମୌଳିକ ଅନୁଦାନ ଆକାରରେ ୨୭୧.୭୫ କୋଟି ଟଙ୍କା ଦିଆଯାଇଛି। ବିନିଯୋଗ କରିବା ପାଇଁ ଡ଼ିଏମଏଫ ପାଣ୍ଠିରୁ ୨ ହଜାର ୧୨ କୋଟି ମଞ୍ଜୁର ଦିଆଯାଇଥିବା ବେଳେ ୬୪.୫ କୋଟି ଟଙ୍କା କରୋନା ମୁକାବିଲା ପାଇଁ ଖର୍ଚ୍ଚ ହୋଇଛି। ଏନଡିଆରଏଫ ପାଣ୍ଠିରୁ ୧୭୯.୬୪ କୋଟି ଜାରୀ କରାଯାଇଛି। ୨୦୨୦ ମଇ ମାସରେ ହୋଇଥିବା ଅମ୍ପନ ବାତ୍ୟା ପାଇଁ ୫୦୦ କୋଟି ଟଙ୍କା ଦିଆଯାଇଛି। ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରୀୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ଲକ୍ ଡ଼ାଉନ ସମୟରେ ଓଡ଼ିଶା ବିଦ୍ୟୁତ୍ ବିତରଣ ସଂସ୍ଥା(ଡ଼ିସକମ୍‌)କୁ ବିଜୁଳି କିଣିବା ପାଇଁ ୮୪.୯୩ କୋଟିର ରିହାତି ପ୍ରଦାନ କରାଯାଇଛି। ୨୦୨୦. ୨୧ ଆର୍ଥିକ ବର୍ଷ ପାଇଁ ଜଳ ଜୀବନ ମିଶନ ଅଧୀନରେ ଓଡ଼ିଶା ପାଇଁ ୮୧୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଅଧୀନରେ ଓଡ଼ିଶାର ଚିହ୍ନଟ ହୋଇଥିବା ୬୩, ୨୨୨ ସହରାଂଚଳର ଉଠା ଦୋକାନୀଙ୍କ ପାଇଁ ୮.୨ କୋଟି ମଞ୍ଜୁର କରାଯାଇଛି।

ମନରେଗା ଏବଂ ପିଏମ ଗରିବ କଲ୍ୟାଣ ରୋଜଗାର ଯୋଜନାରେ ବର୍ଷ ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୪.୫୧ ଲକ୍ଷ ଯବ୍ କାର୍ଡ୍ ଜାରୀ କରାଯାଇଛି। ଏହା ୯.୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ରୋଜଗାର ଯୋଜନା ଅଧୀନରେ ଓଡ଼ିଶାରେ ୭୪.୪୨ ଲକ୍ଷ ଶ୍ରମ ଦିବସ ସୃଷ୍ଟି ହୋଇଛି।

କୋଭିଡ୍‌-୧୯ ପରିଚାଳନା ପାଇଁ ଓଡ଼ିଶାକୁ ୧୦୨ କୋଟି କେନ୍ଦ୍ର ସରକାର ଦେଇଛନ୍ତି। ୮.୫୦ ଲକ୍ଷ ଏନ୍ ୯୫ ମାସ୍କ୍‌, ୨.୫୩ ଲକ୍ଷ ପିପିଇ କିଟ୍‌, ୧୩.୫ ଲକ୍ଷ ଏଚସିକ୍ୟୁ ଡୋଜ୍ ଏବଂ ୫୬୭ ଭେଣ୍ଟିଲେଟର ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ ଯଥା ନାଲକୋ, ଏମସିଏଲ, ଏନଟିପିସି, ଆଇଓସିଏଲ ପକ୍ଷରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି।

ନୂଆ କୃଷି ବିଲ୍ କାରଣରୁ ରାଜ୍ୟର ଚାଷୀମାନେ ଏପିଏମସି (ଏଗ୍ରିକଲଚ୍ୟୁରାଲ ପ୍ରଡ୍ୟୁସ ମାର୍କେଟ୍ କମିଟି) ମଣ୍ଡି ସମେତ ବାହାରେ ବିକ୍ରି କରିବାକୁ ମଧ୍ୟ ସାମର୍ଥ୍ୟ ହେବେ। ଏହି ନୂଆ ନୀତି ଆସିବା ଦ୍ୱାରା ଯେକୌଣସି ସ୍ଥାନରେ ଚାଷୀମାନେ କୃଷିଜାତ ସାମଗ୍ରୀ କିଣିପାରିବେ ଏବଂ ବିକ୍ରି କରିବାର ସ୍ୱାଧୀନତା ପାଇବେ ଓ ସଠିକ୍ ମୂଲ୍ୟ ପାଇପାରିବେ। ଏହି ନୂଆ କୃଷି ନୀତି କଂଟ୍ରାକ୍ଟ ଫାର୍ମିଂକୁ ସୁବିଧା ପ୍ରଦାନ କରିବ। ଆତ୍ମନିର୍ଭର ଭାରତ ପ୍ୟାକେଜରେ ୧ ଲକ୍ଷ କୋଟିର କୃଷି ଭିତ୍ତିଭୂମି ପାଣ୍ଠି କୃଷି ଭିତ୍ତିଭୂମି ଏବଂ ଫାର୍ମ ଗେଟକୁ ମଜବୁତ୍ କରିବ। କୃଷି ଭିତ୍ତିଭୂମି ବିକାଶ ପାଣ୍ଠି ଅଧୀନରେ ନାବାର୍ଡ ଦ୍ୱାରା ଓଡ଼ିଶାରେ ୨୮.୧୩ କୋଟି ମୂଲ୍ୟର ୧୦୩ଟି ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କାରଣରୁ ଓଡ଼ିଶାର ୧୫ ଲକ୍ଷ ମତ୍ସ୍ୟଚାଷୀ ଉପକୃତ ହେବେ। ପଶୁ ପାଳନ ଦୁଗ୍ଧ ଭିତ୍ତିଭୂମି ବିକାଶ ପାଣ୍ଠିରେ ୧୫ ହଜାର କୋଟି ଦ୍ୱାରା ଓଡ଼ିଶା ଓ ଭାରତବର୍ଷର ଚାଷୀମାନେ ଉପକୃତ ହେବେ। ୨୦୧୯ ରବି ଫସଲ ସମୟରେ ଓଡିଶାର ୨.୦୨ ଲକ୍ଷ ଚାଷୀ ବୀମା ଆପ୍ଲିକେସନ ଗ୍ରହଣ କରାଯାଇଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଂଟାଲ ପିଛା ୫୩ ଟଙ୍କା ବୃଦ୍ଧି କରାଯାଇଛି। ମୁଗ ଡ଼ାଲିର ଏମଏସପି କ୍ୱିଂଟାଲ ପିଛା ୧୪୬ ଟଙ୍କା, ହର ଡ଼ାଲି କ୍ୱିଂଟାଲ ପିଛା ୩୦୦, ଟୁର ଡାଲି କ୍ୱିଂଟାଲ ପ୍ରତି ଏମଏସପି ୨୦୦ ଟଙ୍କା ବୃଦ୍ଧି କରାଯାଇଛି। ୨୦୨୦.୨୧ରେ ଓଡ଼ିଶା ଚାଷୀଙ୍କ ଠାରୁ ୪୯.୪୩ କୋଟି ଡାଲି ୭, ୦୪୯ ଏମଏସପି ମୂଲ୍ୟରେ କିଣାଯାଇଛି। ୨୦୨୦.୨୧ରେ ୫୧୨୧ ଟଙ୍କାର ଏମଏସପି ମୂଲ୍ୟରେ ୧୦.୯୨ କୋଟିର ତୈଳଜାତ ସାମଗ୍ରୀ କିଣାଯାଇଛି।

ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନିମନ୍ତେ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡର ବ୍ୟବସ୍ଥା ହୋଇଛି। ଓଡ଼ିଶାରୁ ଭାରତର ବିଭିନ୍ନ ରାଜ୍ୟକୁ ୨୪୭ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁ କରାଯିବା ଦ୍ୱାରା ୪.୪୦ ଲକ୍ଷ ଯାତ୍ରୀ ଉପକୃତ ହୋଇଛନ୍ତି। ମିଶନ ବନ୍ଦେ ଭାରତରେ ବିମାନ ଯୋଗେ ଫସି ରହିଥିବା ଲୋକଙ୍କୁ ଦୁବାଇରୁ ଭୁବନେଶ୍ୱର ଅଣାଯିବାର ବ୍ୟବସ୍ଥା ହୋଇଛି। ସହାରାଞ୍ଚଳର ଗରିବଙ୍କ ପାଇଁ ପିଏମ ଆବାସ ଯୋଜନାରେ ସୁଲଭ ମୂଲ୍ୟରେ ଭଡ଼ା ଘରକୁ ବିକଶିତ କରାଯାଇଛି। ଆତ୍ମନିର୍ଭର ଭାରତ ପ୍ୟାକେଜରେ ଓଡ଼ିଶାରୁ ୩୯ ଲକ୍ଷ ମୁଦ୍ରା ଶିଶୁ ଋଣ ହିତାଧିକାରୀଙ୍କୁ ୨ ପ୍ରତିଶତ ଇଣ୍ଟ୍ରେଷ୍ଟ୍ ସବଭିନସନ୍‌ ଦିଆଯାଇଛି। ଓଡ଼ିଶାରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣକୁ ବୃଦ୍ଧି କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.