Home Top News କରୋନା ମହାମାରୀ ପ୍ରସଙ୍ଗ : ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଦେଶବାସୀ ଦୟନୀୟ ଆର୍ଥିକ ସଂକଟ...

କରୋନା ମହାମାରୀ ପ୍ରସଙ୍ଗ : ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଦେଶବାସୀ ଦୟନୀୟ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି : ନିରଞ୍ଜନ

83

ଭୁବନେଶ୍ୱର ୧୦-୬ (ଓଡ଼ିଆ ପୁଅ) – ଗତ ଦୁଇବର୍ଷ ଧରି ସାରା ପୃଥିବୀରେ ବିଶେଷ କରି ଆମ ଦେଶ ଭାରତରେ କରୋନା ମହାମାରୀ ଯେପରି ଭାବେ ବ୍ୟାପିଛି ଏହି ପରି ରୋଗ ପୃଥିବୀ ଇତିହାସରେ କେବେ ଦେଖାଯାଇ ନଥିଲା। କରୋନା ମହାମାରୀରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଚାଲିଛନ୍ତି। ଅର୍ଥନୈତିକ ଦୃଷ୍ଟିରୁ ହୀନସ୍ଥା ହେଉଛନ୍ତି। କରୋନା ସଂକ୍ରମିତରେ ବର୍ତମାନ ଭାରତବର୍ଷ ସାରା ପୃଥିବୀରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହା କେବଳ କେନ୍ଦ୍ର ସରକାରଙ୍କ ପାରଦର୍ଶିତା ର ଅଭାବ, ଦୂରଦୃଷ୍ଟି ର ଅଭାବ ଏବଂ ସାଧାରଣ ଲୋକଙ୍କ ପ୍ରତି ଦରଦର ଅଭାବ ଯୋଗୁଁ ଏପରି ପରିସ୍ଥିତି ଦେଖାଦେଇଛି ବୋଲି ଆଜିର ଏକ ପ୍ରେସ ବାର୍ତାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କର ଦୂରଦୃଷ୍ଟି ଅଭାବରୁ ଲୋକମାନେ ଟୀକା ପାଉନାହାଁନ୍ତି। ବିଭିନ୍ନ ସମୟରେ ଏଆଇସିିସି ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କରୋନା ମହାମାରୀକୁ ନେଇ କେନ୍ଦ୍ର ସରକାରଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିବା ବେଳେ ଗତ କିଛିଦିନ ତଳେ ସର୍ବପ୍ରଥମେ ଶ୍ରୀ ଗାନ୍ଧୀ ନିଶୁଳ୍କ ସାର୍ବଜନୀନ ଟୀକା ପ୍ରଦାନ ପାଇଁ ଦାବୀ କରିବା ଏବଂ ଭାରତବର୍ଷର ବିଭିନ୍ନ ଅଣ ବିଜେପି ରାଜ୍ୟ ସରକାରଙ୍କ ଦାବି ସାଙ୍ଗକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ଆଦିକୁ ନେଇ ମୋଦି ସରକାର ବାଧ୍ୟ ହୋଇ ସମସ୍ତ ଜନସାଧାରଣଙ୍କୁ ନିଶୁଳ୍କ ଟୀକା ଦିଆଯିବ ବୋଲି ନିଷ୍ପତି ଗ୍ରହଣ କଲେ। କରୋନା ର କ୍ଷତି ଭରଣା ପାଇଁ ଯଦି କେନ୍ଦ୍ରସରକାର ଆଗରୁ ନିଶୁଳ୍କ ଟୀକା ଦିଆଯିବା ନିଷ୍ପତି ନେଇଥାନ୍ତେ ଏବଂ ଟୀକାର ବ୍ୟବସ୍ଥା କରିଥାନ୍ତେ ତେବେ ଆଜି ଭାରତବର୍ଷରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିନଥାନ୍ତେ।

ସେହିପରି ନିଜର କ୍ଷତି ଭରଣା ପାଇଁ ଦେଶର ୮୦ କୋଟି ଲୋକଙ୍କୁ ଚାଉଳ ଦେବେ ବୋଲି କେନ୍ଦ୍ର ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି ଗରିବ ଲୋକ ତ ଆଗରୁ ୧ ଟଙ୍କାରେ ଚାଉଳ ପାଉଛନ୍ତି। ତେବେ କଣ ସେହି ୧ ଟଙ୍କା ଛାଡ଼ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି? ଯଦିହଁ ତେବେ ଏହା ବଡ଼ ଦୁଃଖଦାୟକ କଥା ବୋଲି ଶୀ ପଟ୍ଟନାୟକ କ୍ଷୋଭର ସହ କହିଛନ୍ତି। କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଲକ୍ଷ ଲକ୍ଷ ଲୋକ ଚାକିରୀ ହରେଇ ବସିଛନ୍ତି ସେହିପରି ଲକ୍ଷ ଲକ୍ଷ ଛୋଟ ବେପାରିଠୁ ଆରମ୍ଭ କରି ଗରିବ ଲୋକ ପର୍ଯ୍ୟନ୍ତ ଏବଂ ମଧ୍ୟବିତ ଓ ନିମ୍ନ ମଧ୍ୟବିତ ଲୋକ ଏବେ ଅର୍ଥନୈତିକ ସଂକଟ ଦେଇ ଗତିକରୁଛନ୍ତି। ସେମାନଙ୍କ ପାଇଁ କିଛି ଆଜି ସାହା ଭରଷା ନାହିଁ କି କିଛି ଯୋଜନା ନାହିଁ। ବର୍ତମାନ ସାଧାରଣ ଲୋକଟିଏ ଜୀବିକା ହରେଇ ଜୀବନ ବଂଚେଇବା ପାଇଁ ସଂଘର୍ଷ କରୁଥିବା ବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଡିଜେଲ, ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି କରିଚାଲିଛନ୍ତି। ଏପରିକି କେତେକ ସ୍ଥାନରେ ପେଟ୍ରୋଲ, ଡିଜେଲ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ୱ ହେଲାଣି। ଯାହା ଫଳରେ କି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପାଉଛି। ଲୋକମାନେ ହନ୍ତସନ୍ତ ହେଛନ୍ତି। ଏହା ବର୍ତମାନ ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଗରୀବ ଜନସାଧାରଣଙ୍କ ସହ କଂଗ୍ରେସ ଦଳ ସଦାସର୍ବଦା ରହିଛି ଆଗକୁ ମଧ୍ୟ ରହିବ। ସେଥିପାଇଁ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଦି ପ୍ରତ୍ୟାହାର ଦାବିରେ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କି ଆଗରେ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୧୧ ତାରିଖ ଦିନ ସକାଳ ୭ ଠାରୁ ଦିବା ୧୧ ଘଂଟା ପର୍ଯ୍ୟନ୍ତ ୪ ଘଂଟିଆ ଧାରଣା ସହ ବିକ୍ଷୋଭ କରାଯିବି ବୋଲି ପିସିସି ନିଷ୍ପତି ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ସରକାରଙ୍କ ସମସ୍ତ କରୋନା ନୀତିନୀୟମ ମାନି ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପଦର୍ଶନ କରିବାକୁ ସମସ୍ତ ଜିଲ୍ଲା, ବ୍ଲକ ଓ ନଗର କଂଗ୍ରେସ କମିଟିର ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସାହାଯ୍ୟ ଓ ସମର୍ଥନ ଲୋଡ଼ିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯଦି ପକୃତରେ ଜନସାଧାରଣଙ୍କ ପ୍ରତି ଆନ୍ତରିକତା ଓ ଦରଦ ଅଛି ତେବେ ଏକ୍ସସାଇଜ୍ ଡିଉଟି ଓ ଭ୍ୟାଟ କମେଇ ଲୋକଙ୍କୁ କମ ଦରରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଯୋଗେଇବେ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ଶ୍ରୀ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.