Home ଓଡ଼ିଶା କମ୍ପ୍ୟୁଟର ଶିକ୍ଷାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଦ୍ୱନ୍ଦରେ !

କମ୍ପ୍ୟୁଟର ଶିକ୍ଷାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଦ୍ୱନ୍ଦରେ !

41

ନୟାଗଡ଼, ୧୫-୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନେଟ୍‌ୱର୍କ ଯୁଗରେ ଯେତେ ଶିକ୍ଷାଗତ ଯୋଗ୍ୟତା ଥିଲେବି କମ୍ପ୍ୟୁଟର ଉପରେ ଜ୍ଞାନ ଆହରଣ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଅପରିହାର୍ଯ୍ୟ। ସେଥିପାଇଁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ କମ୍ପ୍ୟୁଟର ବିଷୟରେ ଜ୍ଞାନ ଆହରଣ କରିବାକୁ ପ୍ରାଥମିକତା ଦେଇଥାନ୍ତି। ଛାତ୍ରଛାତ୍ରୀମାନଙ୍କର ଯେତେ ଶିକ୍ଷାଗତ ଯୋଗ୍ୟତା ଥିଲେବି କମ୍ପ୍ୟୁଟର ଶିକ୍ଷା ନଥିଲେ ସରକାରୀ ହେଉ ବା ବେସରକାରୀ ହେଉ କୌଣସି କର୍ମ ସଂସ୍ଥାନରେ ନିଯୁକ୍ତି ପାଇବା ଅସମ୍ଭବ ହୋଇପଡ଼େ। ଯାହାକି ଛାତ୍ରଛାତ୍ରୀମାନେ ମୂଳ ଶିକ୍ଷାଗତ ଯୋଗ୍ୟତା ସହ କମ୍ପ୍ୟୁଟର ଶିକ୍ଷା ହାସଲ କରିବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଛାତ୍ରଛାତ୍ରୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବାକୁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଖୋଲାଯାଇଛି। ଛାତ୍ରଛାତ୍ରୀମାନେ ନିଜ ମନ ପସନ୍ଦର କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ କମ୍ପ୍ୟୁଟର କୋର୍ସ କରି ଯୋଗ୍ୟତା ହାସଲ କରିଥାନ୍ତି। ମାତ୍ର ଏବେ କମ୍ପ୍ୟୁଟର କୋର୍ସର ପ୍ରମାଣ ପତ୍ରକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ପଡ଼ିଥିବା ଦେଖିବାକୁ ମିଳିଛି। ଜିଲ୍ଳାରେ କେତେକ ଛାତ୍ରଛାତ୍ରୀ ପିଜିଡିସିଏ କରୁଥିବାବେଳେ ଆଉକେତେକ ଓସ୍‌-ସିଆଟି କମ୍ପ୍ୟୁଟର କୋର୍ସ କରୁଛନ୍ତି। ପିଜିଡିସିଏ ଓ ଓସ୍‌-ସିଆଇଟି ସାର୍ଟିଫିକେଟରେ ପ୍ରଭେଦ ଥିବା ନେଇ ବିଭିନ୍ନ ସୂତ୍ରରୁ ଜାଣିବା ପରେ ଛାତ୍ରଛାତ୍ରମାନେ ଅଧିକ ବିଚଳିତ ହୋଇପଡ଼ିଥିବା ଅଭିଯୋଗ ହେଉଛି। ଏପରି କାନ୍ଥ ବାଡ଼ରେ ପିଜିଡିସିଏ କୋର୍ସକୁ ଅବୈଧ ଓ ଓଏସ୍‌-ସିଆଇଟିକୁ ସରକାରୀ ଅନୁମୋଦିତ ପାଠ୍ୟକ୍ରମ କମ୍ପ୍ୟୁଟର କୋର୍ସ ବୋଲି ବିଭିନ୍ନ ସ୍ଥାନରେ ପ୍ରଚାର ପତ୍ର ମରାଯାଇଥିଲାବେଳେ କମ୍ପ୍ୟୁଟର କୋର୍ସକୁ ନେଇ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଏବେ ସନ୍ଦିହାନ ଅବସ୍ଥାରେ ଗତି କରୁଥିବା କେତେକ ଛାତ୍ର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କେତେକ ଜିଲ୍ଲାରେ କର୍ମ ସଂସ୍ଥାନ ପାଇଁ ଛାତ୍ରଛାତ୍ରୀମାନେ ପିଜିଡିସିଏ କମ୍ପ୍ୟୁଟର ସାର୍ଟିଫିକେଟ ପକାଇଥିବାରୁ ସେମାନଙ୍କର ଆବେଦନ ପତ୍ର ନାକଚ ହୋଇଥିବା ସ୍ଥଳେ ଆଉ କେତେକ ଛାତ୍ରଛାତ୍ରୀ ଓସ୍‌-ସିଆଇଟି କମ୍ପ୍ୟୁଟର ସାର୍ଟିଫିକେଟ ପକାଇ ସେମାନଙ୍କ ଆବେଦନ ପତ୍ର କାଏମ୍ ରହିଥିବାରୁ ନୟାଗଡ଼ ଜିଲ୍ଲାରେ ମଧ୍ୟ ଓସ୍‌-ସିଆଇଟି କମ୍ପ୍ୟୁଟର ସାର୍ଟିଫିକେଟ କେବଳ ଯୋଗ୍ୟତାର ମାପଦଣ୍ଡ ଧରାଯାଇ ପିଜିଡିସିଏ କମ୍ପ୍ୟୁଟର ସାର୍ଟିଫିକେଟକୁ ରଦ୍ଦ କରାଯାଉ ବୋଲି କେତେକ ଅଭିଯୋଗକାରୀ କିଛିଦିନ ତଳେ ନୟାଗଡ଼ ଉପଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ। ଯାହାକି ଏପର୍ଯ୍ୟନ୍ତ କମ୍ପ୍ୟୁଟର କୋର୍ସକୁ ନେଇ ଜିଲ୍ଲାପ୍ରଶାସନ କୌଣସି ସଠିକ୍ ତଥ୍ୟ ଦେଇନଥିବାବେଳେ ଛାତ୍ରଛାତ୍ରୀମାନେ କେଉଁ କମ୍ପ୍ୟୁଟର କୋର୍ସ କରିବେ ତାହାକୁ ନେଇ ଛାତ୍ରଛାତ୍ରୀମାନେ ଦିନକୁ ଦିନ ଅଧିକ ମନସ୍ତାପରେ ଗତି କରୁଥିବା ଅଭିଯୋଗ ହେଉଛି। ଛାତ୍ରଛାତ୍ରୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହା ଉପରେ ଜିଲ୍ଲାପ୍ରଶାସନ କେଉଁ କମ୍ପ୍ୟୁଟର କୋର୍ସ ବୈଧ ବୋଲି ସ୍ପଷ୍ଟ କରନ୍ତୁ ବୋଲି ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.