Home ଓଡ଼ିଶା କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : କରୋନା ଟିକା ଦାନରେ ବ୍ୟାପକ ଅବ୍ୟବସ୍ଥା

କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : କରୋନା ଟିକା ଦାନରେ ବ୍ୟାପକ ଅବ୍ୟବସ୍ଥା

46

ଯୋଡା, ୧୨ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରାଞ୍ଚଳ ଅନ୍ତର୍ଗତ କମାରଯୋଡା ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାଦାନ ପ୍ରକ୍ରିୟା ଚାଲିଥିବା ବେଳେ ଏଥିରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ କରାଯାଇଛି । ଅଧିକାଂଶ ସମୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିୟମିତ ଟିକା ଆସୁନଥିବା ବେଳେ ଯେତେବେଳେ ଏହା ଉପଲବ୍ଧ ରହୁଛି ଏହାକୁ ଦୈନିକ ଶହେଟି ଖୋରାକ ମଧ୍ୟରେ ସିମିତ ରଖାଯାଉଛି । ଫଳରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । କାହାରି ମଧ୍ୟରେ ସାମାଜିକ ଦୂରତା ଦେଖିବାକୁ ମିଳୁନାହିଁ । ଉପରେ ଛାତ ନଥିବାରୁ ଘଣ୍ଟା ଘଣ୍ଟା ଧରି ଟାଣ ଖରାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ଦୈନିକ ଟିକା ଦାନ ପାଇଁ ୩ଶହ ଜଣଙ୍କ ନାମ ପଞ୍ଜିକରଣ କରାଯାଉଥିବା ବେଳେ ସେଥି ମଧ୍ୟରୁ ମାତ୍ର ଶହେ ଜଣଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ଅବଶିଷ୍ଟାଂଶ ଘଣ୍ଟା ଘଣ୍ଟା ଧରି ଧାଡିରେ ରହି ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି । ତେବେ ଗୋଟିଏ ଦିନ ପଞ୍ଜିକରଣ କରାଗଲେ ଏହା ୩ରୁ ୪ଦିନ ପରେ ଟିକା ଦାନ କରାଯାଉଛି । ପଞ୍ଜିକୃତ ହିତାଧିକାରୀମାନଙ୍କୁ କେବେ ତାଙ୍କର ଟିକା ନେବାର ପାଳି ପଡିବ ନିର୍ଦ୍ଧିଷ୍ଟ ଭାବେ ତାଙ୍କୁ ଜଣାଇଦିଆଯାଉନଥିବାରୁ ବାରମ୍ବାର ସେମାନେ ଏହି ଡାକ୍ତରଖାନାକୁ ଦୌଡି ଫେରିବାକୁ ବାଧ୍ୟ ହେଉଛନ୍ତି । ଏଥିରେ ବରିଷ୍ଠ ନାଗରିକଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ବେଳେ ୭୦/୭୫ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧ-ବୃଦ୍ଧା ବାଧ୍ୟ ହୋଇ ଏହି ପ୍ରଚଣ୍ଡ ଖରାରେ ଠିଆ ହୋଇରହିବାକୁ ବାଧ୍ୟ ହେଉଛନ୍ତି । କେହି କେହି ପ୍ରବଳ ଖରା ଯୋଗୁଁ ମୁର୍ଛା ଯାଉଥିବା ଭଳି ଘଟଣା ମଧ୍ୟ ବେଳେ ବେଳେ ଦେଖିବାକୁ ମିଳୁଛି । ଏହି କମାରଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରେ ବୁଧୁବାର ଦିନ ସକାଳୁ ଏହି ଟିକାଦାନ ପାଇଁ ପ୍ରବଳ ଠେଲା ପେଲା ଦେଖିବାକୁ ମିଳିଥିଲା । ଫଳରେ ଡାକ୍ତରଖାନା ପରିସରରେ ବ୍ୟାପକ ଉତ୍ତେଜନା ଦେଖାଦେଇଥିଲା । ଶେଷରେ ଖବର ପାଇଁ ଯୋଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟିକା ପାଇଁ ଆସିଥିବା ଲୋକମାନଙ୍କୁ ଧାଡିରେ ରହି ସାମାଜିକ ଦୂରତା ରକ୍ଷା କରି ଛିଡା କରିବା ସହ ଟିକା ନେବା ପାଇଁ ପରାମର୍ଶ ଦେଇଥିଲେ । ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତିକୁ ଆୟତ କରାଯାଇଥିଲା । ସରକାର ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ତୁଣ୍ଡି ପରିଧାନ ଏବଂ ତାଲା ବନ୍ଦ ନୀତି ଆପଣାଉଥିବା ବେଳେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଟି କରୋନା ସଂକ୍ରମଣର ମୁଖ୍ୟ ଜରିଆ ପାଲଟିବାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏହି ଭିଡ ଯୋଗୁଁ ଅନ୍ୟ ରୋଗୀମାନେ ସେଠାକୁ ଆସିବାକୁ ନିରାପଦ ମଣୁନଥିବା ବେଳେ ଡାକ୍ତରଖାନାରେ ଅଧିକାଂଶ ସମୟରେ ଡାକ୍ତର ମଧ୍ୟ ଅନୁପସ୍ଥିତ ରହୁଥିବା ଦେଖାଯାଇଛି । ଦୈବାତ କୌଣସି ରୋଗୀ ସେଠାରେ ପହଞ୍ଚିଲେ ସେବିକାମାନେ ତାଙ୍କର ଚିକିତ୍ସା କରି ଅନ୍ୟ ଡାକ୍ତରଖାନାକୁ ପଠାଇଦେଇଥାନ୍ତି । ସେହିପରି ଯୋଡା କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ରୂପେ କରୋନା ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ସେଠାରେ କରୋନା ସଂକ୍ରମଣ ପରୀକ୍ଷା ନିମନ୍ତେ ପ୍ରସାଶନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏହି ଗୋଟିଏ ସ୍ଥାନରେ ସଂକ୍ରମଣ ପରୀକ୍ଷାର ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ପର୍ଯ୍ୟାପ୍ତ ପରିମାଣର କିଟ୍ ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଉନାହିଁ । ଦୈନିକ ମାତ୍ର ୨୫ରୁ ୩୦ଟି ପରୀକ୍ଷା କରାଯାଉଥିବା ବେଳେ ୧୪ଟି ୱାର୍ଡରେ ଥିବା ବିଭିନ୍ନ ବସ୍ତି ମାନଙ୍କଠୁ ଆସୁଥିବା ଲୋକମାନେ ଏହି ପରୀକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଫଳରେ କରୋନା ସଂକ୍ରମଣ ସମଗ୍ର ଅଞ୍ଚଳରେ ଦିନକୁ ଦିନ ବିକଟାଳ ରୂପ ନେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.