Home ଓଡ଼ିଶା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ – ୨୦୨୦ – ପ୍ରତ୍ୟାହାର ଦାବିରେ ମିଳିତ ଛାତ୍ର ବିକ୍ଷୋଭ

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ – ୨୦୨୦ – ପ୍ରତ୍ୟାହାର ଦାବିରେ ମିଳିତ ଛାତ୍ର ବିକ୍ଷୋଭ

66

ଭୁବନେଶ୍ୱର, ୦୭ା୧୦ (ଓଡ଼ିଆ ପୁଅ) : ଗତକାଲି ଓଡ଼ିଶା ବିଧାନସଭାରେ ବିରୋଧି ବିଧାୟକମାନଙ୍କ ପ୍ରବଳ ପ୍ରତିରୋଧ ସତ୍ତ୍ୱେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ କରାଯାଇଛି। ଏହି କଳା ଆଇନ୍ ପ୍ରତ୍ୟାହାର ଦାବିରେ ଏ-ଆଇ-ଏସ୍‌-ଏଫ୍‌, ଏ-ଆଇ-ଏସ୍‌-ଏ- ଓ ଏସ୍‌-ଏଫ୍‌-ଆଇ- ପକ୍ଷରୁ ମିଳିତ ଭାବେ ଓଡ଼ିଶା ବିଧାନସଭା ସମ୍ମୁଖରେ ବିଲ୍‌ର ଏକ ନକଲ ଜଳାଇ ପ୍ରତିବାଦ କରାଯାଇଛି। ଏହି ଆଇନ୍‌ରେ ବିଶ୍ୱବିଦ୍ୟାଳୟ ଆଇନ୍ ୧୯୮୯କୁ ପରିବର୍ତ୍ତନ କରି ବିଶ୍ୱବିଦ୍ୟାଳୟର କୁଳପତି ଚୟନ କମିଟିରେ ସିଣ୍ଡିକେଟ୍ ଦ୍ୱାରା ମନୋନୀତ ଜଣେ ପ୍ରତିନିଧି ରହିବାର ବ୍ୟବସ୍ଥା ହଟାଇ ରାଜ୍ୟ ସରକାରଙ୍କ ପ୍ରତିନିଧି ରହିବା, ଶିକ୍ଷକ ଚୟନ ପ୍ରକ୍ରିୟା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ହାତରେ ନ୍ୟସ୍ତ କରିବା, ସିନେଟ୍‌କୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଓ ବିଶ୍ୱବିଦ୍ୟାଳୟ ଅଡିଟ୍ ରିପୋର୍ଟ ବିଧାନସଭାରେ ଆଲୋଚନା ନ କରାଯାଇ ଇଣ୍ଟରନେଟ୍‌ରେ ଉପଲବ୍ଧ କରାଇବା ଆଦି ବ୍ୟବସ୍ଥା କରାଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଇନ୍ ୨୦୦୫କୁ ମଧ୍ୟ ସମ୍ପୂର୍ଣ୍ଣ ବାତିଲ୍ କରାଯାଇଛି। ଶିକ୍ଷକ ସମାଜ, ଛାତ୍ର ସଂଗଠନ, ଶିକ୍ଷାବିତ୍ ଓ ବୁଦ୍ଧିଜୀବୀଙ୍କ ବିରୋଧ ସତ୍ତ୍ୱେ ମହାମାରୀ ସମୟରେ ଏଭଳି ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱବିଦ୍ୟାଳୟ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଏଭଳି କଳା ଆଇନ୍ ପ୍ରଣୟନ କରାଯିବା ଅତ୍ୟନ୍ତ ନିନ୍ଦନୀୟ। ଏହି କଳ ଆଇନ୍ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ସହ ଶିକ୍ଷାର ବ୍ୟବସାୟୀକରଣ, ଘରୋଇକରଣ ଓ ସାମ୍ପ୍ରଦାୟିକକରଣ ଦ୍ୱାରକୁ ଉନ୍ମୁକ୍ତ କରିବା ଉଦ୍ଦିଷ୍ଟ। ଏହି କଳା ଆଇନ୍ ମହମାନ୍ୟ ରାଜ୍ୟପାଳ ଅନୁମୋଦନ ନ କରିବା ପାଇଁ ଆସନ୍ତା ଅକ୍ଟୋବର ୧୨ ତାରିଖରେ ରାଜଭବନ ସମ୍ମୁଖରେ ମିଳିତ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଏ-ଆଇ-ଏସ୍‌-ଏଫ୍‌ର ରାଜ୍ୟ ସଭାପତି ସଂଘମିତ୍ରା ଜେନା, ବିବେକ କ୍ରିଷ୍ଣା, ଆକାଂକ୍ଷା ପରିଡ଼ା, ଅମିତ ବରାଳ, ଅଙ୍କିତା ପରିଡ଼ା, ଅନୁପମା ସେଠୀ, ମିର୍ଜାତୋହିଦ୍ ବେଗ୍‌, ମସ୍ତକ ସୁନାନି, ସୁବାଷ ସ୍ୱାଇଁ, ନୀଳକଣ୍ଠ ନାୟକ, ଅଭିଷେକ ବାଗ, ଏ-ଆଇ-ଏସ୍‌-ଏ-ର କେନ୍ଦ୍ର କମିଟି ସଦସ୍ୟ ଶଶିକାନ୍ତ ରଣସିଂହ, ସୁକାନ୍ତ ବେହେରା ଓ ରାଜୁ ମେହେର ଏବଂଏସ୍‌-ଏଫ୍‌-ଆଇର ପୂର୍ବତନ ଛାତ୍ର ନେତା ଯତିନ୍ ମହାନ୍ତି, ସରୋଜ ନାୟକ ଓ ପ୍ରଭାତ ପାଣିଗ୍ରାହୀ ଏବଂ ଓଡ଼ିଶା ଯୁବ ଛାତ୍ର ସଂଯୋଜକ ମାନସ ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.