Home ଓଡ଼ିଶା ଓଭରହେଡ୍ ଜଳ ଯୋଗାଣ ୩ମାସ ହେଲା ବନ୍ଦ, ଉତ୍ୟକ୍ତ ହୋଇ ପମ୍ପ ହାଉସରେ ତାଲା ପକାଇଲେ...

ଓଭରହେଡ୍ ଜଳ ଯୋଗାଣ ୩ମାସ ହେଲା ବନ୍ଦ, ଉତ୍ୟକ୍ତ ହୋଇ ପମ୍ପ ହାଉସରେ ତାଲା ପକାଇଲେ ଗ୍ରାମବାସୀ

85

ହରିଚନ୍ଦନପୁର,ତା ୧୮ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବରେଇଗୋଡା ଗ୍ରାମରେ ସରକାରଙ୍କ ଅନୁଦାନରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଓଭରହେଡ୍ ପାଣି ଟାଙ୍କି ଓ ଯୋଗାଣ ହୋଇଥିଲା । ହେଲେ ସେହି ଯୋଗାଣ ଆଜକୁ ୩ମାସରୁ ଉର୍ଦ୍ଧ୍ବ ହେବ ଟ୍ରାନ୍ସଫର୍ମର ପୋଡିଯିବା କାରଣରୁ ଅଚଳ ହୋଇପଡିଛି, ଯାହାକୁ ନେଇ ପାଣି ଟୋପାଏ ପାଇଁ ଶହଶହ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣିର ସମସ୍ୟା ନେଇ ଗ୍ରାମର ଲୋକମାନେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖରେ ବାରମ୍ବାର ଲିଖିତ ସହ ମୌଖିକ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟଅନୁଷ୍ଠାନ ଶୂନ । ପାଣିର ଘୋର ଅସୁବିଧା ନେଇ ଗ୍ରାମର ଶତାଧିକ ଲୋକ ଉତ୍ୟକ୍ତ ହୋଇ ଗ୍ରାମର ପମ୍ପ ହାଉସରେ ତାଲା ପକାଇବା ସହ ପଞ୍ଚାୟତ କାର୍ଯ୍ୟାଳୟ ଘେରିଥିଲେ । ସରପଞ୍ଚ କହିବା ଅନୁସାରେ ସେ ଏହାର ସମାଧାନ ପାଇଁ ବାରମ୍ବାର ବିଡିଓଙ୍କ ଠାରୁ ଆରମ୍ଭ କରି ଦାୟିତ୍ଵରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇନଥିଲେ । ତେଣୁ ଲୋକମାନଙ୍କ ସମସ୍ୟାକୁ ନେଇ ଆଗାମୀ ଦିନରେ ଗ୍ରାମବାସୀଙ୍କ ସହ ବ୍ଲକ ସମ୍ମୁଖରେ ଧାରଣା ଦେବ ବୋଲି ସେ କହିଛନ୍ତି । ସରକାର ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ କୋଟି କୋଟି ଟଙ୍କାର ରାଜସ୍ବରେ ଗ୍ରାମରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଇ ଜଳ ଯୋଗାଣ କରାଇଛନ୍ତି । ହେଲେ କେତେକ ଖାମଖିଆଲି ମନୋଭାବ ରଖୁଥିବା ଅଧିକାରୀଙ୍କ ପାଇଁ ସେହି ଯୋଜନାରୁ ହଜାର ହଜାର ଲୋକ ମାସମାସ ଧରି ବଞ୍ଚିତ ହୋଇ ରହୁଛନ୍ତି । ଏହି କୋଟିକୋଟି ଟଙ୍କା ଖର୍ଚ୍ଚରେ ଓଭରହେଡ୍ ପାଣି ଟାଙ୍କି ଓ ଯୋଗାଣ ହୋଇଥିବା ଗ୍ରାମ ଗୁଡିକରେ ପୂର୍ବରୁ ଥିବା ନଳକୂପ ଗୁଡିକ ଉପରେ ପ୍ରଶାସନର ଦୃଷ୍ଟି ପଡୁନାହିଁ । ଯାହା ଫଳରେ ସେହି ଅଞ୍ଚଳ ଗୁଡିକରେ କେତେକ ନଳକୂପରେ ପାଣି ବାହାରୁନଥିବା ବେଳେ ଅନେକରେ କାଦୁଅ ବା ନାଲିପାଣି ବାହାରୁଛି । ତେଣୁ ଲୋକମାନେ ସ୍ବଚ୍ଛ ପାନୀୟ ଜଳ ବଦଳରେ ଚୂଆ ପାଣିକୁ ଭରସା କରି ନିଜର ଆବଶ୍ୟକକୁ ପୂରଣ କରୁଛନ୍ତି ‌। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଯୋଗାଣରେ ରହିଥିବା ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀଙ୍କ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ରାଜରାସ୍ତାକୁ ଉହ୍ଲାଇବା ସହ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.