Home ଓଡ଼ିଶା ଓଡ଼ିଶା ସରକାର ଲୁଟୁଛନ୍ତି ଚାଷୀମାନଙ୍କ ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

ଓଡ଼ିଶା ସରକାର ଲୁଟୁଛନ୍ତି ଚାଷୀମାନଙ୍କ ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା

153

ବରଗଡ଼, ୧୧/୬ (ଓଡ଼ିଆ ପୁଅ/ସଚ୍ଚିଦାନନ୍ଦ ପାତ୍ର) : ଆଜି ଭାରତୀୟ ଜନତା ପାର୍ଟିର କୃଷକ ସେଲ୍ ତରଫରୁ ବରଗଡ଼ ସାମ୍ବାଦିକ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସରକାର ଚାଷୀ ମାନଙ୍କ ଧାନର ପ୍ରାୟ ୩୦୦ କୋଟି ରୁ ଉର୍ଦ୍ଧ ଟଙ୍କା ପ୍ରତ୍ୟେକ ରବି ଓ ଖରିଫ ଋତୁରେ ମିଲ ମାଲିକ ମାନଙ୍କ ସହ ମିଶି ଲୁଟ୍ କରୁଥିବା ଭାରତୀୟ ଜନତା ପାର୍ଟିର ରାଜ୍ୟ କୃଷକ ସେଲ ଅଧ୍ୟକ୍ଷ ପ୍ରଦୀପ ପୁରୋହିତ ଅଭିଯୋଗ କରିଥିଲେ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ସମ୍ପର୍କରେ କୃଷି ମନ୍ତ୍ରୀ ଅରୁଣ ସାହୁ କରିଥିବା ସାମ୍ବାଦିକ ସମ୍ମିଳନୀ ଅତ୍ୟନ୍ତ ହାସ୍ୟାସ୍ପଦ ଓ ବାଚଳାମୀ ସଦୃଶ। କୁହାଳିଆଙ୍କ ବାରବାଟୀ ଚାଷ ଭଳି ଅରୁଣ ସାହୁଙ୍କ ବକ୍ତବ୍ୟ। କୃଷି ମନ୍ତ୍ରୀ ଓ କୃଷି ବିଭାଗର ଅପାରଗତା କାରଣରୁ ତଥା ତଥ୍ୟ ଠିକ୍ ନଦେଇପାରିବାରୁ ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଯାହା ଦୁଃଖର ବିଷୟ। ମୋଦିଙ୍କ ଉପରେ ଆପେକ୍ଷ କରିବା ପୂର୍ବରୁ ନିଜକୁ ସମୀକ୍ଷା କରନ୍ତୁ ଏବଂ ଚାଷୀଙ୍କୁ ହକ୍ ଦେବା ପାଇଁ ନିଜେ ଯୋଜନା ପ୍ରସ୍ତୁତ କରନ୍ତୁ। ୨୦୧୩ ଡିସେମ୍ବର ମାସରେ ବରଗଡ଼ରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କହିଥିଲେ କ୍ଵିଣ୍ଟାଲ ଧାନ ପିଛା ୧୦୦ ଟଙ୍କା ବୋନସ ପ୍ରଦାନ କରିବେ। ଅରୁଣ ସାହୁ ଉତ୍ତର ଦେବେ କି ଏ ବୋନସ କେବେ ଚାଷୀଙ୍କୁ ମିଳିବ। ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କରି ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶ ସମେତ ଆମ ରାଜ୍ୟର ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବଦ୍ଧପରିକର। ସ୍ୱାଧୀନତାର ୭ ଦଶନ୍ଧିରେ ଦେଶ ଓ ରାଜ୍ୟର ଚାଷୀ ଭାଇ ମାନଙ୍କର ବିକାଶ ପାଇଁ ଯାହା କରାଯାଇପାରିନଥିଲା, ମୋଦି ତାଙ୍କର ୬ ବର୍ଷର ଶାସନରେ ତା’ଠାରୁ ଅଧିକ ଯୋଗଦାନ ଦେଇଛନ୍ତି। ଚାଷୀ ମାନଙ୍କୁ ତାଙ୍କର ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ହେଉ ଅଥବା ଚାଷୀ ମାନଙ୍କୁ ଆର୍ଥିକ ସହାୟତା ; ମୋଦି କୃଷକ ସଶକ୍ତିକରଣର ନୂଆଯୁଗ ଆରମ୍ଭ କରିଛନ୍ତି। ପ୍ରତିବର୍ଷ ଖରିଫ ଓ ରବି ଋତୁ ପାଇଁ ହେଉଥିବା ଫସଲ ର ସର୍ବ ନିମ୍ନ ସହାୟକ ମୂଲ୍ୟ କେନ୍ଦ୍ର ସରକାର ଙ୍କ ତରଫରୁ ବୃଦ୍ଧି କରାଯାଇଛି। ଚାଷୀ ମାନଙ୍କ ଆୟକୁ ଦ୍ଵିଗୁଣିତ କରିବା ପାଇଁ ଓ ଚାଷୀ ମାନଙ୍କୁ ସବୁ ଦୃଷ୍ଟିରୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବର୍ଷ ୨୦୨୧-୨୨ ଖରିଫ ଫସଲ ପାଇଁ ନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ଚାଷ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଫସଲ ମଧ୍ୟରୁ ଅନ୍ୟତମ ଧାନର ନିମ୍ନ ସହାୟକ ମୂଲ୍ୟ ୨୦୨୧-୨୨ ବର୍ଷ ପାଇଁ କ୍ଵିଣ୍ଟାଲ ପିଛା ଅଧିକ ୭୨ ଟଙ୍କା ବୃଦ୍ଧି କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଧାନର କ୍ଵିଣ୍ଟାଲ ପିଛା ନିମ୍ନ ସହାୟକ ମୂଲ୍ୟ ୨୦୧୩-୧୪ ଆର୍ଥିକ ବର୍ଷରେ ୧୩୧୦ ଟଙ୍କା ଥିଲା। ମାତ୍ର କେନ୍ଦ୍ର ସରକାର ଏହାକୁ ବୃଦ୍ଧି କରି ଧାନ କ୍ଵିଣ୍ଟାଲ ପିଛା ୨୦୨୧-୨୨ ରେ ୧୯୪୦ ଟଙ୍କା କରିଛନ୍ତି। ଭାରତ ସରକାର ଚାଷୀ ମାନଙ୍କ ସ୍ବାର୍ଥ ଓ କଲ୍ୟାଣ କୁ ଦୃଷ୍ଟିରେ ରଖି ବର୍ଷ ୨୦୨୧-୨୨ ରେ ଓଡ଼ିଶା ରୁ ୧୩୯୪୮.୬ କୋଟି ଟଙ୍କା ମୂଲ୍ୟର ୭୧.୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବା ପାଇଁ ସରକାର ଲକ୍ଷ ରଖିଛନ୍ତି। ମାତ୍ର ରାଜ୍ୟ ସରକାର ମଣ୍ଡିରେ କଟନୀ ଛଟନୀ କରି ସିଧାସଳଖ ଭାବରେ ଚାଷୀ ମାନଙ୍କୁ ଲୁଟ୍ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ସୁରେଶ୍ବର ସତପଥୀ, ବରଗଡ଼ ଜିଲ୍ଲା ସଂପାଦକ ରଖି ନାରାୟଣ ଦାଶ, କୁଶ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.