Home Top News ଓଡ଼ିଆ ଜାତୀୟତାବାଦକୁ ରାଷ୍ଟ୍ରୀୟ ସ୍ରୋତରେ ଆଗକୁ ନେବାରେ ଡା. ମହତାବଙ୍କ ଭୂମିକା ଅତୁଳନୀୟ – ଧର୍ମେନ୍ଦ୍ର...

ଓଡ଼ିଆ ଜାତୀୟତାବାଦକୁ ରାଷ୍ଟ୍ରୀୟ ସ୍ରୋତରେ ଆଗକୁ ନେବାରେ ଡା. ମହତାବଙ୍କ ଭୂମିକା ଅତୁଳନୀୟ – ଧର୍ମେନ୍ଦ୍ର ପ୍ରଧାନ

72

ନୂଆଦିଲ୍ଲୀରେ ଡ଼ା. ହରେକୃଷ୍ଣ ମହତାବଙ୍କ ୧୨୩ତମ ଜୟନ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

– ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଗଡ଼ଜାତ ମିଶ୍ରଣରେ ନୀଳଗିରିର ମିଶ୍ରଣ ମହତାବଙ୍କ ଦକ୍ଷତାକୁ ପ୍ରତିପାଦିତ କରୁଛି
– ହୀରାକୁଦ, ରାଉରକେଲାରେ ଇସ୍ପାତ୍ କାରଖାନା, କୋରାପୁଟରେ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ କାରଖାନା ତାଙ୍କର ନେତୃତ୍ୱର ପରିଚୟ ଦିଏ
– ଓଡ଼ିଆ ଲୋକମାନେ ମହତାବଙ୍କ ଅନୁଯାୟୀ ଭାବେ ଗର୍ବ କରିବା ଦରକାର
– ଆମେ ସମସ୍ତେ ମହତାବଙ୍କ ବ୍ୟକ୍ତିତ୍ୱ ବୁଝିବା ଦରକାର
– ମହତାବଙ୍କ କେହି ବିରୋଧୀ ନଥିଲେ, ସମସ୍ତେ ତାଙ୍କ ପରାମର୍ଶ ନେଉଥିଲେ
– ସମସ୍ତେ ଜଣେ ଜଣେ ମହତାବ ହୁଅନ୍ତୁ, ଯୁଗପୁରୁଷ ହୁଅନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୧ (ଓଡ଼ିଆ ପୁଅ) – ଓଡ଼ିଆ ଜାତୀୟତାବାଦକୁ ରାଷ୍ଟ୍ରୀୟ ସ୍ରୋତରେ ଆଗକୁ ନେବାରେ ଉତ୍କଳ କେଶରୀ ଡ଼ା. ହରେକୃଷ୍ଣ ମହତାବଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନବ ଉତ୍କଳର ନିର୍ମାତା ପ୍ରଖର ରାଷ୍ଟ୍ରବାଦୀ ଡା. ମହତାବଙ୍କ ୧୨୩ତମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ଠାରେ ‘ଇଣ୍ଟେଲେକ୍ଟ ସଂଗଠନ’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାକୁ ଜାତୀୟ ସ୍ତରରେ ଅଧିକ ପରିଚିତ କରିଥିବା ଡା. ମହତାବଙ୍କ କାମ ପାଇଁ ଆମେ ଓଡ଼ିଆ ଲୋକମାନେ ତାଙ୍କର ଅନୁଯାୟୀ ଭାବରେ ଗର୍ବ କରିବା ଦରକାର। କୋଲକାତାର ନେତାଜୀ ସଂଗ୍ରହାଳୟରେ ଡା. ମହତାବଙ୍କ ଫଟୋଚିତ୍ର ସ୍ଥାନିତ ହେବା ଦେଖି ମୋର ଆତ୍ମବିଶ୍ୱାସ ଭରି ଉଠିଥିଲା। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଦେଶର ଗଡ଼ଜାତ ମିଶ୍ରଣରେ ବାଲେଶ୍ୱର ଜିଲ୍ଲା ନୀଳଗିରିର ମିଶ୍ରଣ ଡା. ମହତାବଙ୍କ ଦକ୍ଷତାକୁ ପ୍ରତିପାଦିତ କରୁଛି। ଏ ପରିଚୟ ତାଙ୍କର ଦୂରଦୃଷ୍ଟି ଓ ଦକ୍ଷତାର ପରିଚୟ ଦେଉଛି। କେବଳ ରାଜନେତା ନୁହେଁ ବରଂ ପ୍ରଜାତନ୍ତ୍ରର ଝଙ୍କାର ଓ ମୀନା ବଜାର ମାଧ୍ୟମରେ ଓଡିଆ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଥିଲେ। ଆମେ ସମସ୍ତେ ମହତାବଙ୍କ ବ୍ୟକ୍ତିତ୍ୱ ବୁଝିବା ଦରକାର। ମହତାବଙ୍କ କେହି ବିରୋଧୀ ନଥିଲେ। ସମସ୍ତେ ତାଙ୍କ ପରାମର୍ଶ ନେଉଥିଲେ।

ମହତାବ ଇତିହାସକାର ବି ଥିଲେ। ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ପରିଚିତ କରିବା ସହ ‘ଓଡ଼ିଶା ଇତିହାସ’ ଭଳି ପୁସ୍ତକ ଲେଖିଥିଲେ। ଗତ ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଏହି ପୁସ୍ତକ ହିନ୍ଦି ଭାଷାରେ ଉନ୍ମୋଚିତ ହୋଇଯାଇଛି। ସେ କେବଳ ଜଣେ ବ୍ୟକ୍ତି ନ ଥିଲେ ବରଂ ଜଣେ ଅନୁଷ୍ଠାନ ଥିଲେ। ହୀରାକୁଦ ବନ୍ଧ ପରି କଳ୍ପନା କରିଥିଲେ। ରାଉରକେଲାର ଇସ୍ପାତ୍ କାରଖାନା, କୋରାପୁଟ ଭଳି ଜିଲ୍ଲାରେ ହିନ୍ଦୁସ୍ତାନ ଅରୋନୋଟିକ୍ସ ଲିମିଟିଡର କାରଖାନା ତିଆରି କରିଥିଲେ। ଓଡ଼ିଶାର ବିକାଶରେ ମହତାବଙ୍କ ଭୂମିକା ଅବିସ୍ମରଣୀୟ। ତାଙ୍କ ପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବିତ। ସମସ୍ତେ ଜଣେ ଜଣେ ମହତାବ ହୁଅନ୍ତୁ। ଯୁଗପୁରୁଷ ହୁଅନ୍ତୁ। ତେବେ ଯାଇ ଭାରତ ଆଗକୁ ଯିବ।

ଦେଶ ସ୍ୱାଧୀନତାର ୭୫ ବର୍ଷର ଯାତ୍ରା ପୂରଣ କରିବା ବେଳେ ଆଜି ମହତାବଙ୍କ ଜନ୍ମଦିନ ଅଧିକ ପ୍ରାସଙ୍ଗିକତା ରଖୁଛି। ସ୍ୱାଧୀନତା ପୂର୍ବ ଏବଂ ପରେ ଓଡ଼ିଶାକୁ ଅଧିକ ପରିଚିତ କରିଥିବା ତଥା ଓଡ଼ିଆ ଜାତୀୟତାବାଦକୁ ରାଷ୍ଟ୍ରୀୟ ସ୍ରୋତରେ ଆଗକୁ ନେବାରେ ଡା. ମହତାବଙ୍କ ନେତୃତ୍ୱ ଓ ଭୂମିକା ଅତୁଳନୀୟ। ଓଡିଆ ସମାଜରେ ବୈଜ୍ଞାନିକ ତଥ୍ୟ ଭାବରେ ପ୍ରମାଣିତ ହୋଇଥିବା କଥା ଗୁଡ଼ିକୁ ସଠିକ୍ ଢଙ୍ଗରେ ପ୍ରମାଣିତ ହେଲେ ଓଡିଆ ଜାତିର ପରିଚୟ ମିଳନ୍ତା।

ଆଦିକବି ସାରଳା ଦାସ, ସନ୍ଥ କବି ଭୀମ ଭୋଇ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାରରୁ ଅତୀତରେ ଓଡ଼ିଆ ଜାତିର ଜ୍ଞାନର ଗଭୀରତା ଜଣାପଡେ। ଏହି ମହାପୁରୁଷମାନେ ଲମ୍ବା ସମୟ ଧରି ଆମକୁ ଓ ଯୁବସମାଜକୁ ପ୍ରେରିତ କରିବେ, ଏହା ନିଃସନ୍ଦେହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆମକୁ ଭାରତ ଏବଂ ଓଡ଼ିଶାକୁ ବିକଶିତ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ହେବ। ଏକବିଂଶ ଶତାବ୍ଦୀରେ ଓଡ଼ିଆ ଲୋକମାନେ ବୈଶ୍ୱିକ କଲ୍ୟାଣର ନେତୃତ୍ୱ ନିଅନ୍ତୁ, ଏଥିପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.