Home ଓଡ଼ିଶା ଏକାମ୍ର କାନନ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମି ବିକ୍ରି, ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ...

ଏକାମ୍ର କାନନ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମି ବିକ୍ରି, ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମର ଖେଳପଡ଼ିଆ, ମଶାଣି ଓ ମେଳଣ ପଡ଼ିଆକୁ ରାଜ୍ୟ ସରକାରଙ୍କ ଦ୍ୱାରା ବଳପୂର୍ବକ ଦଖଲ ପ୍ରତିବାଦରେ ବିକ୍ଷୋଭ

109

ଭୁବନେଶ୍ୱର ୧୬-୧୧ (ଓଡ଼ିଆ ପୁଅ) – ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାଶଙ୍କ ମିଳିତ ନେତୃତ୍ୱରେ ଆଜି ଏକାମ୍ର କାନନ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମି ବିକ୍ରି, ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଗ୍ରାମର ଖେଳପଡ଼ିଆ, ମଶାଣି ଓ ମେଳଣ ପଡ଼ିଆ, ସ୍କୁଲ ପଡିଆକୁ ରାଜ୍ୟ ସରକାରଙ୍କ ଦ୍ୱାରା ବଳପୂର୍ବକ ଦଖଲ ପ୍ରତିବାଦରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଏକାମ୍ରକାନନ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବଦାନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ୨୦ ବର୍ଷ ଧରି ଏହି ପାର୍କକୁ ଅବହେଳା କରିଆସିଛନ୍ତି ଏବଂ ଶେଷରେ ପୁଞ୍ଜିପତିଙ୍କ ହାତରେ ଏହି ପାର୍କ ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଜଙ୍ଗଲକୁ ଟେକି ଦେବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି। ନବୀନ ଶାସନରେ ଜମି ଦୁର୍ନୀତି ସୀମା ଟପିଛି। ଘଙ୍ଗାପାଟଣା ଜମି ଦୁର୍ନୀତି, ଜଗନ୍ନାଥଙ୍କ ଅମ୍ବୃତମଣୋହୀ ଜମି ଦୁର୍ନୀତି, ବଗଲା ଧର୍ମଶାଳା ଜମି ଦୁର୍ନୀତି ପ୍ରଭୃତି ରାଜ୍ୟରେ ହୋଇଥିବା ବହୁ ଜମି ଦୁର୍ନୀତିର କେତେକ ଉଦାହରଣ ମାତ୍ର। କଂଗ୍ରେସ ଦଳ ଏହାର ପ୍ରତିବାଦ କରିବା ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବ। ଶ୍ରୀ ସୁରେଶ କୁମାର ରାଉତରାୟ କହିଥିଲେ ଯେ ରାଜ୍ୟ ସରକାର ଯେତେ ଦୁର୍ନୀତି କରିଛନ୍ତି ସବୁଠାରୁ ବଡ ଜମି ଦୁର୍ନୀତି। ଏହା ୨ ଲକ୍ଷ କୋଟି ଟଙ୍କାରୁ ଉର୍ଦ୍ଧ୍ୱ। ସରକାରୀ ଦଳର କେତେକ ଦୁର୍ନୀତିଗ୍ରସ୍ତ ନେତା, ସରକାରରେ ଥିବା କେତେକ ଅସାଧୁ ଉଚ୍ଚପଦସ୍ଥ ଅଫିସର ସିଧାସଳଖ ଭାବରେ ଏହି ଦୁର୍ନୀତିରେ ସଂପୃକ୍ତ।

ଶ୍ରୀ ରାଉତରାୟ କହିଥିଲେ ପ୍ରସଙ୍ଗ ଏହିକି ଯେ ୧୯୮୦ ମସିହାରେ ସ୍ୱର୍ଗତଃ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏକାମ୍ର ପାର୍କ (ଫାର୍ମ) ପ୍ରତିଷ୍ଠା କରି ଏଥିରେ ୩୦ ହଜାରରୁ ଉର୍ଦ୍ଧ ପ୍ରକାରର ଉନ୍ନତ ମାନର ବିଭିନ୍ନ ଫୁଲ, ଫଳ ଯଥା ଆମ୍ବ, କାଜୁ, ପଣସ, ସପେଟା, ଡାଳିମ୍ବ ଓ ଗୋଲାପ ଆଦି ଗଛ ଲଗାଇଥିଲେ। ଚାଷୀଙ୍କୁ ସୁଲଭ ମୂଲ୍ୟରେ ଫୁଲ ଓ ଫଳର ଚାରା ଯୋଗାଇ ଦେବାପାଇଁ ବ୍ୟବସ୍ଥା ହୋଇଥିଲା। ଏହାର ଚାରିପଟକୁ ବନିକରଣ କରାଯାଇଥିଲା।

ନିକଟରେ ଏକାମ୍ର ପାର୍କ ଏବଂ ଏହାର ଚତୁଃପାଶ୍ୱର୍ରେ ଥିବା ଜଙ୍ଗଲକୁ ଧ୍ୱଂସ କରି ରାଜ୍ୟ ସରକାର ସେଠାରେ ବ୍ୟବସାୟିକ ପ୍ରତିଷ୍ଠାନ କରିବା ପାଇଁ ଚକ୍ରାନ୍ତ କରିଛନ୍ତି। ଏହି ଜମିକୁ ଜି-ଏ- ଡିପାର୍ଟମେଂଟକୁ ହସ୍ତାନ୍ତର କରାଯାଇଛି। ଏଥିପାଇଁ ଭୁବନେଶ୍ୱରବାସୀ ମର୍ମାହତ। ଏଥିରେ ବିଜେଡ଼ି ଦଳକୁ ସାହାଯ୍ୟ କରୁଥିବା କିଛି କର୍ପୋରେଟ ହାଉସ, ଅସାଧୁ ଅଫିସର ଏବଂ ରାଜନେତା ଉପକୃତ ହେବାର ଯୋଜନା ରହିଛି। ସମସ୍ତ ଆଇନକୁ ଉଲଙ୍ଘନ କରି ଏକ୍ରାମ ପାର୍କ ଏବଂ ଏହାର ଚତୁଃପାଶ୍ୱର୍ର ଜଙ୍ଗଲ ଜମିକୁ ବିକ୍ରି କରିବାପାଇଁ ଯେଉଁ ହୀନଉଦ୍ୟମ ହେଉଛି ତାହାକୁ କଂଗ୍ରେସ ଦଳ ବରଦାସ୍ତ କରିବ ନାହିଁ।

ଅନ୍ୟ ପକ୍ଷରେ ଖୋର୍ଦ୍ଧା ଓ ଭୁବନେଶ୍ୱର ସ୍ଥିତ ଗ୍ରାମ ଗୁଡ଼ିକର ଖେଳପଡ଼ିଆ, ମେଳଣ ପଡ଼ିଆ, ସ୍କୁଲ ପଡ଼ିଆ ଓ ମସାଣି ଜାଗାକୁ ମଧ୍ୟ ଦଖଲ କରିବାପାଇଁ ସରକାର ଗ୍ରାମବାସୀଙ୍କ ଉପରେ ପୋଲିସ୍ ବଳ ପ୍ରୟୋଗକରି ଦମନଲୀଳା ଆରମ୍ଭ କରିଦେଇଛନ୍ତି। ଇଡ୍‌କୋ ଏମଡି, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର, ଏସ୍‌ଡିଓ ଏବଂ ପୋଲିସ୍ ଗ୍ରାମବାସୀଙ୍କୁ ଧମକ ଚମକ ଦେଇ ବଳପୂର୍ବକ ଜମି ଦଖଲ କରୁଛନ୍ତି। ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାର ଥିବା ଅନ୍ଧାରୁଆ, ଦାରୁଠେଙ୍ଗ, ଚନ୍ଦକା, କୁଜିମଲ, ଦାସପୁର, କଂଟାବାଡ଼, ଗିରିଙ୍ଗାପୁର, ମେଣ୍ଢାଶାଳ, ପାଇକରାପୁର, ଛତାବର, ବେଲପଡ଼ା, ତରାବୋଇ, କୁମାରବସ୍ତ, ତମାଣ୍ଡୋ, ପାତ୍ରପଡ଼ା, ଯାଁଳା, ଅରୁଗୁଳ, ଉତରମୁଣ୍ଡ ମୁହାଣ, ଡମଣା, ପଟିଆ, ଗାଢ଼କଣ, କଳାରାହାଙ୍ଗ, ଚକେଇସିଆଣି, ରସୁଲଗଡ଼, ସୁନ୍ଦରପଦା, ପୋଖରୀପୁଟ, ଜାଗମରା ଓ ବରମୁଣ୍ଡା ପ୍ରଭୁତି ଗ୍ରାମର ବାସିନ୍ଦାଙ୍କ ମଧ୍ୟରେ ଏହି ହିଟଲରୀ ନିଷ୍ପତି ବିରୁଦ୍ଧରେ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି। ଏହି ଜମିଗୁଡ଼ିକ ଉପରେ ସେହି ଦୁର୍ନୀତିଗ୍ରସ୍ତ ନେତା ଓ ଅସାଧୁ ଉଚ୍ଚପଦସ୍ଥ ଅଫିସରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କର ସମର୍ଥନ ଓ ସହଯୋଗ ରହିଛି।

ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ର ଖୁଂଟିଆ, ଶିବାନନ୍ଦ ରାୟ, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ମନୋରଞ୍ଜନ ଦାଶ, ସଂଗ୍ରାମ କେଶରୀ ଜେନା, ମନ୍ମଥ ରାଉତରାୟ, ରଶ୍ମି ମହାପାତ୍ର, ପ୍ରକାଶ ଜେନା, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ରାଜୀବ ପଟ୍ଟନାୟକ, ରଂଜିତ ପାତ୍ର, ସ୍ୱାଗତ କର, ୟାସିର ନୱାଜ, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ପ୍ରଣତୀ ମିଶ୍ର, ଶ୍ରିୟା ମହାନ୍ତି, ଅମୀୟ ପାଣ୍ଡବ ପ୍ରମୁଖ ଅଭିଭାଷଣ ଦେଇଥିଲେ। ଶ୍ରୀ ସଂଗ୍ରାମ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରସିକ ପଟ୍ଟନାୟକ, ଜୟକୃଷ୍ଣ ମଲିଆ, ପ୍ରକାଶ ମହାନ୍ତି, କୈଳାସ ସାହୁ, ଦୀପକ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, କାଳୁ ବଡୁ, ନିଳମଣି ମିଶ୍ର, କୁନା ମୁଦୁଲି, କପିଳ ପଣ୍ଡା, ନୈଷଦୀ ଅଲ୍ଲୀ, ତପନ ଚକ୍ରବର୍ତ୍ତୀ, ଧନେଶ୍ୱର ରାଉତରାୟ, ପିଂଟୁ ରାଉତରାୟ, ଚାଲୁ ମଙ୍ଗରାଜ, ଦୀପକ ସାହୁ, ଜଟାଧାରୀ ପ୍ରଧାନ, କଳିଙ୍ଗ ସାହୁ, ଚାଇନା ପ୍ରଧାନ, ରମେଶ ସାହୁ, ଡଲୁ ପାତ୍ର, ସମ୍ବିତ ମଙ୍ଗରାଜ, ମନୋରଞ୍ଜନ ବଡଜେନା, ମନୋଜ କୁମାର ମହାନ୍ତି, ମିହିର ଆଚାର୍ଯ୍ୟ, ତାପସ ସେଠୀ, ସୁବାସ ପ୍ରଧାନ, ଶଶି ମହାପାତ୍ର, ମୋହନ ଜେନା, କ୍ଷୀରୋଦ ବେହେରା, ଅକ୍ଷୟ ଦାସ, ଶ୍ରିୟା ପଣ୍ଡା, କୁସୁମ ପ୍ରଧାନ, ଦେବରାଜ ମିଶ୍ର, ପ୍ରମେଶ ସାହୁ, ସୌମେନ୍ଦ୍ର ମହାନ୍ତ, ଶେଖ୍ ଅଫତାବ୍ ଅଲ୍ଲୀ, ଶେଖ୍ ତକ୍ୱିମ୍ ଅହମ୍ମଦ, କାର୍ତିକ କାଣ୍ଡି ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.