ad
ଜିଲ୍ଲା ପରିକ୍ରମା

ଋଣ ଆଦାୟ ପାଇଁ ବେସରକାରୀ ସଂସ୍ଥାର ଜୁଲୁମ : ଗାଁ ଗାଁରେ ତେଜୁଛି ଅସନ୍ତୋଷ; ଆଦାୟ ସମୟ ସୀମା ବଢାଇବାକୁ ଦାବି

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କରୋନା ଜନିତ ଲକଡାଉନ୍ କାରଣରୁ ଲୋକଙ୍କ ଆର୍ଥିକ ଦୂରାବସ୍ଥାକୁ ନଜରରେ ରଖି ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସହ ବିଭିନ୍ନ ସଂସ୍ଥାରୁ ଋଣ ନେଇଥିବା ଗ୍ରାହକମାନଙ୍କ ଇଏମ୍‌ଆଇ (କିସ୍ତି) କୋହଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ମେ ୩୧ ପର୍ଯ୍ୟନ୍ତ ଏହାକୁ କୋହଳ କରାଯାଇଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ କୋହଳ କରିଛନ୍ତି । ସମସ୍ତ ସରକାରୀ ବ୍ୟାଙ୍କ ଏବଂ ବେସରକାରୀ ସଂସ୍ଥାରୁ ଋଣ ନେଇଥିବା ଗ୍ରାହକମାନଙ୍କ ଠାରୁ ଏହି କରୋନା ବିପତ୍ତି ସମୟରେ ଇଏମ୍‌ଆଇ ଆଦାୟ ନକରିବାକୁ କଡା ନିର୍ଦ୍ଦେଶ ରହିଛି । ହେଲେ ଏହି ସରକାରୀ ନିର୍ଦ୍ଦେଶନାମାକୁ ଫୁ କରି ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାମାନେ ଏବେ ଗାଁ ଗଣ୍ଡାରେ ମାତିଲେଣି । ବିଶେଷକରି ମହିଳା ଏସ୍‌ଏଚ୍‌ଜି ମାଧ୍ୟମରେ ଦିଆଯାଇଥିବା ଏହି ବେସରକାରୀ ଋଣ ପରିଶୋଧ କରିବାକୁ ସଂସ୍ଥାର କର୍ମଚାରୀମାନେ ଘରକୁ ଘର ବୁଲି ଲୋକଙ୍କୁ ଧମକାଉଛନ୍ତି । ଯଦି ଠିକ୍ ସମୟରେ କିସ୍ତି ନଦିଅନ୍ତି, ଅଧିକ ଚକ୍ରବର୍ତ୍ତୀ ସୁଧ ସହ ଟଙ୍କା ଆଦାୟ କରାଯିବ ବୋଲି ଚେତାବନୀ ମଧ୍ୟ ଦେଉଛନ୍ତି । ସରକାର ଗାଇଡ୍ ଲାଇନ୍ କେବଳ ସରକାରୀ ବ୍ୟାଙ୍କ ହୋଇଛି ବୋଲି ଗାଁର ପାଠସାଠ ପଢିନଥିବା ମହିଳାମାନଙ୍କୁ ଭୁଆଁ ବୁଲାଉଛନ୍ତି । ଏପରିକି ନେଇଥିବା ଋଣ ଟଙ୍କାର ଇଏମ୍‌ଆଇ ପୈଠ କରିଦେଲେ ତୁରନ୍ତ ଜରୁରୀକାଳୀନ ସ୍ଥିତିରେ ଅଧିକ ଋଣ ଯୋଗାଇ ଦିଆଯିବ ବୋଲି ମଧ୍ୟ ଲୋଭ ଦେଖାଉଛନ୍ତି । ଏପରି ବିପତ୍ତି ବେଳେ ସରକାରୀ ସଂସ୍ଥା କିସ୍ତି ଆଦାୟକୁ କୋହଳ କରିଥିବାବେଳେ ୨୫ ରୁ ୩୦ ପ୍ରତିଶତ ସୁଧରେ ଋଣ ଦେଇଥିବା ଏହି ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥାମାନେ କେଉଁ ଆଧାରରେ ଲୋକଙ୍କୁ ଶୋଷିବାକୁ ବାହାରି ଆସିଛନ୍ତି ବୋଲି ପ୍ରଶ୍ନ ଉଠିଛି । ଏହି ଘଟଣାକୁ ନେଇ ଅନେକ ସ୍ଥାନରେ ମହିଳାମାନେ ଏକଜୁଟ ହୋଇ ସଂପୃକ୍ତ ସଂସ୍ଥା ବିରୋଧରେ ନାରାବାଜି କରିବା ସହ ଋଣ ଟଙ୍କା ଛାଡ ପାଇଁ ଦାବି କରିଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top