Home ଅନୁଗୁଳ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ନିଯୁକ୍ତି ସମେତ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ନିଯୁକ୍ତି ସମେତ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

36

ତାଳଚେର, ୫/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ଏକ ଦାବିପତ୍ର ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଭେଟି ପ୍ରଦାନ କରାଯାଇଛି। ତାଳଚେର ଉପଖଣ୍ଡର ଏହି ସରକାରୀ ଚିକିତ୍ସାଳୟ ଉପରେ ତାଳଚେର ତଥା ଆଖପାଖ ଜିଲ୍ଲାର ବହୁ ଜନସାଧାରଣ ଦୈନନ୍ଦିନ ନିର୍ଭର କରିଥାନ୍ତି। କିନ୍ତୁ ଏହି ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଏବେ କୌଣସି ସୁବ୍ୟବସ୍ଥା ନାହିଁ। ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀ ଏଠାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ବିଭିନ୍ନ ଘରୋଇ ନର୍ସିଂହୋମକୁ ଯାଇ ଅନେକ ଖର୍ଚ୍ଚାନ୍ତରେ ପଡ଼ୁଛନ୍ତି ବୋଲି ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏନେଇ ଗଣମାଧ୍ୟମ ପ୍ରତିନିଧି ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଜିଲ୍ଳାପାଳଙ୍କ ପ୍ରତ୍ୟେକ ମାସରେ ଗୋଟିଏ ଥର ଏହି ଚିକିତ୍ସାଳୟକୁ ପରିଦର୍ଶନ, ଏଠାରେ ଖାଲି ରହିଥିବା ସମସ୍ତ ଡ଼ାକ୍ତର ପଦବୀ ଏବଂ ସମସ୍ତ ନର୍ସ, ଡ୍ରେସର୍ ଓ ଟେକ୍ନିସିଆନ୍ ପଦବୀ ପୂରଣ, ଚିକିତ୍ସାଳୟରେ ଅଚଳ ହୋଇପଡ଼ି ରହିଥିବା ଅଲଟ୍ରାସାଉଣ୍ଡ ମେସିନ୍, ଇସିଜି ମେସିନ୍ ଏବଂ ଅନ୍ୟାନ୍ୟ ସମସ୍ତ ଯନ୍ତ୍ରାଂଶର ମରାମତି, ଉନ୍ନତମାନର ସିସିଟିଭି ଓ ଏଟିଏମ୍ ମେସିନ୍ ସ୍ଥାପନ ବ୍ୟବସ୍ଥା, ରକ୍ତ ଭଣ୍ଡାର ନୂତନ ଗୃହ ନିର୍ମାଣ, ରୋଗୀଙ୍କୁ ସଠିକ୍ ଭାବେ ରକ୍ତ ପ୍ରଦାନ ଏବଂ ଏହାର ସୁପରିଚାଳନା ବ୍ୟବସ୍ଥା, ଚିକିତ୍ସାଳୟରେ ପାନୀୟ ଜଳ ବ୍ୟବସ୍ଥା, ପରିଷ୍କାର ଓ ପରିଚ୍ଛନ୍ନତା, ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନଙ୍କ ପ୍ରତି ସୁବ୍ୟବହାର ଦେଖାଇବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା। ରୋଗୀଙ୍କ ନିମନ୍ତେ ଚିକିତ୍ସାଳୟର ଅତ୍ୟାଧୁନିକ ଯନ୍ତ୍ରାଂଶ ଥିବା ନିଜସ୍ୱ ଆମ୍ବୁଲାନ୍ସ ଯୋଗାଇବା ଏବଂ ରୋଗୀଙ୍କ ପାଇଁ ନିର୍ମାଣ ହୋଇ ଅଚଳ ଭାବେ ପଡ଼ି ରହିଥିବା ଅକ୍ସିଜେନ୍ ପ୍ଲାଣ୍ଟକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ଇତ୍ୟାଦି ଦାବି ଅନ୍ତର୍ଭୁକ୍ତ ରହିଛି। ଏହାର ସୁବିଚାର କରାଯାଇ ଚିକିତ୍ସାଳୟ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଗଲେ ତାଳଚେର ଓ ଏହାର ଆଖପାଖ ଅଂଚଳବାସୀ ଉପକୃତ ହୋଇପାରିବେ। ନଚେତ୍ ଆଗାମୀ ଦିନରେ ତାଳଚେର ଅଂଚଳର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଅନିର୍ଦ୍ଦିଷ୍ଟକାଳ ପାଇଁ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି କୁହାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଗଣମାଧ୍ୟମ ପ୍ରତିନିଧି ରବିନ୍ଦ୍ର ନାଥ ସେଠ୍, ମନୋଜ କୁମାର ମହାପାତ୍ର, ଚିତରଞ୍ଜନ ପାଣି, ଦେବେନ୍ଦ୍ର ସାହୁ, ଆନମ୍ ନାଜ୍ ଏବଂ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ଏହି ଦାବିପତ୍ରର ନକଲ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ସଚିବ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ୫-ଟି ସଚିବ ଓଡିଶା ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.