Home ଜିଲ୍ଲା ପରିକ୍ରମା ଉଚ୍ଛେଦ ଓଭର ବ୍ରିଜ୍‌ତଳ ଦୋକାନୀଙ୍କ ବିୟୋଗରେ ଶୋକ

ଉଚ୍ଛେଦ ଓଭର ବ୍ରିଜ୍‌ତଳ ଦୋକାନୀଙ୍କ ବିୟୋଗରେ ଶୋକ

38

ବାଲେଶ୍ୱର, ୩୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ଓଭର ବ୍ରିଜ୍ ତଳୁ ଉଚ୍ଛେଦ ହୋଇଥିବା ଜନୈକ ଦୋକାନୀଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଯାଇଛି। ମୃତ ଦୋକାନୀ ଜଣକ ହେଲେ ବ୍ରଜମୋହନ ସାସମଲ(୬୦)। ଗତ ୨୫ ତାରିଖରେ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ୨୦ରୁ ଊର୍ଦ୍ଧ୍ୱ ଦୋକାନୀ ଉଚ୍ଛେଦ ହୋଇଥିବା ବେଳେ ୧୦ ନଂ ଦୋକାନଟି ବ୍ରଜମୋହନଙ୍କର ଥିଲା। ଉଚ୍ଛେଦ ପରଠାରୁ ସେ ପ୍ରତିଦିନ ଦୋକାନ ନିକଟକୁ ଆସି ସେଠାରେ ବସି ରହିବା ସହ କାନ୍ଦୁଥିଲେ ବୋଲି ଅନ୍ୟ ଦୋକାନୀମାନେ କହିଛନ୍ତି। ତେବେ ଆଜି ଦେକାନ ନିକଟରେ ବସିଥିବା ବେଳେ ହଠାତ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ସେତେବେଳକୁ ବ୍ରଜମୋହନ ଇହଧାମ ପରିତ୍ୟାଗ କରିଥିଲେ। ତେବେ ତାଙ୍କର ମୃତ୍ୟୁରେ ଓଭରବ୍ରିଜ୍ ତଳ ଦୋକାନୀ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଏନେଇ ଆଜି ସଂଧ୍ୟାରେ ବ୍ରିଜତଳ ସମସ୍ତ ଦୋକାନ ବନ୍ଦ ରହିବା ସହ ସ୍ୱର୍ଗତ ସାସମଲଙ୍କ ବିୟୋଗରେ ଏକ ଶୋକସଭା ଫାଣ୍ଡିଛକଠାରେ ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ସାସମଲଙ୍କ ଦିବଂଗତ ଆତ୍ମାର ସଦଗତି ସହ କରି ସମସ୍ତେ ନିରବ ପ୍ରାର୍ଥନା କରିଥିଲେ। ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ରଂଜନ ବାଗ୍ ଏଥିରେ ଅଧ୍ୟକ୍ଷତା କରିଥିଲେ। ତେବେ ବ୍ରଜମୋହନଙ୍କ ମୃତ୍ୟୁ ପାଇଁ ପ୍ରଶାସନକୁ ଏହି ଶୋକସଭାରେ ଉପସ୍ଥିତ ବ୍ୟକ୍ତିମାନେ ଦାୟୀ କରିଥିଲେ। ପ୍ରଶାସନ ପକ୍ଷରୁ କୌଣସି ଥଇଥାନର ବ୍ୟବସ୍ଥା ନକରି ତରବରିଆ ଭାବେ ୩୫ ବର୍ଷଧରି ବ୍ୟବସାୟ କରିଥିବା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ। ପ୍ରଶାସନ ପକ୍ଷରୁ ଏଭଳି ବେଆଇନ୍ ଉଚ୍ଛେଦ ଜାରି ରହିଲେ ଆଗାମୀ ଦିନରେ ଆହୁରି ବହୁ ଅଘଟଣ ଘଟିବ ବୋଲି ସମ୍ଭାବନା ରହିଛି। ଓଭର ବ୍ରିଜ ମରାମତିକୁ ଦୋକାନୀମାନେ ସମର୍ଥନ କରୁଥିଲେ ବି ମରାମତି ପରେ ପୁଣି ସେମାନଙ୍କୁ ସେଠାରେ ଥଇଥାନ କରିବା ପାଇଁ ବ୍ୟବସାୟୀମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା। ମାତ୍ର ଜିଲ୍ଲା ପ୍ରଶାସନ ସେମାନଙ୍କ ଦାବିକୁ ଅଣଦେଖା କରି ୨ଶହ ଦୋକାନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୦ରୁ ଊର୍ଦ୍ଧ୍ୱ ଦୋକାନ ଭାଙ୍ଗିବା ଘଟଣା ବ୍ୟବସାୟୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ବ୍ରିଟ୍ ପକ୍ଷରୁ ଏହି ସବୁ ଦୋକାନଘର ନିର୍ମାଣ ସହ ଦୋକାନୀଙ୍କୁ ଭଡ଼ାସୂତ୍ରରେ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.