ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିଠାରେ ଭଦ୍ରକ ଓ ଧାମନଗର ଅଞ୍ଚଳ ସାମ୍ବାଦିକ ଏବଂ ବୁଦ୍ଧିଜୀବୀଙ୍କୁ ନେଇ ଫଗୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ ତଥା ଧାମନଗର ପ୍ରେସ କ୍ଲବର ସଭାପତି ବୈକୁଣ୍ଠନାଥ ସାହୁ ଓ ସାଧାରଣ ସଂପାଦକ ରଜତ କୁମାର ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ଯକ୍ରମରେ ୧୦୦ରୁ ଅଧିକ ସାମ୍ବାଦିକ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ରାଜ୍ଯ ସରକାରଙ୍କ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ଯୋଗଦେଇ ଉପସ୍ଥିତ ବ୍ଯକ୍ତି ବିଶେଷଙ୍କୁ ଅବିର ବୋଳି ଶୁଭେଚ୍ଛା ଜଣାଇଥିଲେ। ସାମ୍ବାଦିକ ଓ ବୁଦ୍ଧିଜୀବୀମାନେ ମଧ୍ଯ ମନ୍ତ୍ରୀଙ୍କୁ ରଂଗ ଅବିର ବୋଳି ଶ୍ରଦ୍ଧା ଅର୍ପଣ କରିଥିଲେ। ସାମ୍ବାଦିକମାନେ ସମାଜର ଆଇନା। ସେମାନେ ହିଁ ତ୍ରୁଣମୂଳସ୍ତରରେ ପହଞ୍ଚି ଲୋକଙ୍କ ସମସ୍ଯା ବୁଝିଥାନ୍ତି। ସମାଧାନ ପାଇଁ ପ୍ରଶାସନ ଓ ସରକାର ଉପରେ ଚାପ ପ୍ରୟୋଗ କରିଥାନ୍ତି। ଏହି ଅଞ୍ଚଳରୁ ବିଜୟୀ ହୋଇଥିଲେ ବି ଦୀର୍ଘ ୯ ମାସ ଧରି ସାମ୍ବାଦିକ ବନ୍ଧୁଙ୍କ ସହ ମିଳନ ହୋଇ ପାରିନଥିଲା। ଆଜି ସମସ୍ତେ ଏକାଠି ହୋଇଥିବାରୁ ଧାମନଗରର ସମସ୍ଯା ଜଣାଇବାକୁ ମନ୍ତ୍ରୀ ଉପସ୍ଥିତ ସାମ୍ବାଦିକଙ୍କୁ ଅନୁରୋଧ କରିଥିଲେ। ସାମ୍ବାଦିକମାନେ ମଧ୍ଯ ଲୋକଙ୍କର ଓ ସମାଜର ସମସ୍ଯା ମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଥିଲେ। ଯେତେଶୀଘ୍ର ହୋଇପାରିବ ଏସବୁର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ ମଧ୍ଯ ନିୟମିତ ବ୍ଯବଧାନରେ ସାମ୍ବାଦିକଙ୍କ ସହ ବସି ଆଲୋଚନା କରିବେ ବୋଲି ମନ୍ତ୍ରୀ କଥା ଦେଇଛନ୍ତି। ଏହି ଅବସରରେ ଧାମନଗରର ବନ୍ଯା ସମସ୍ଯାର ନିରାକରଣ, ବିଭିନ୍ନ ଅଞ୍ଚଳରେ ରାସ୍ତା ସମସ୍ଯାର ସମାଧାନ ପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି। କାର୍ଯ୍ଯକ୍ରମ ଶେଷରେ ସାମ୍ବାଦିକଙ୍କ ସହ ମଧ୍ଯାହ୍ନ ଭୋଜନ କରିଥିଲେ ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ।