Home Top News ଇଲିସି କୁଆଡ଼େ ଗଲେ ?

ଇଲିସି କୁଆଡ଼େ ଗଲେ ?

165

ଇଲିସି ଏକ ସ୍ୱାଦିଷ୍ଟ ଓ ସାମୁଦ୍ରିକ ମାଛ, ଏହା ଅଳ୍ପ ବହୁତେ ସମସ୍ତଙ୍କୁ ଜଣା। ଇଲିସି ମାଛ ର ସ୍ୱାଦ ଅନ୍ୟ ମାଛ ଠାରୁ ଭିନ୍ନ, ଅଧିକ ବଜାର ଦର ଓ ଚାହିଦା ଯୁକ୍ତ। ଏହି ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ଅଧିକ ମାତ୍ରାରେ ଥାଏ, ଯାହାକି ସ୍ୱାସ୍ଥ୍ୟ ପକ୍ଷରେ ହିତକର। ଓଡିଶା ର କେତେକ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ପ୍ରଚୁର ଇଲିସି ମାଛ ଧରାଯାଏ ଏବଂ ବିକ୍ରୟ ନିମିତ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବା ସହିତ ଦେଶର ବଡ ବଡ଼ ସହରକୁ ପ୍ରେରିତ କରାଯାଇଥାଏ। ବର୍ଷା ଋତୁରେ ଏହି ମାଛ ମାନଙ୍କର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ ଅର୍ଥାତ ଇଲିସି ମାଛ ସମୁଦ୍ର ମଧ୍ୟରୁ ନଦୀ ମୁହାଣ ଦେଇ ନଦୀର ମଧୁର ଜଳକୁ ପ୍ରବେଶ କରିଥାଏ। ନଦୀରେ ପ୍ରବାହିତ ମଧୁର ଜଳରେ ଅଣ୍ଡା ଦେବାକୁ ଏମାନେ ସକ୍ଷମ ଅଟନ୍ତି। ଏହି ପ୍ରକାର ସ୍ଥାନାନ୍ତରଣକୁ ଇଲିସି ମାଛର ପ୍ରଜନନ ନିମିତ୍ତ ସ୍ଥାନାନ୍ତରଣ କୁହାଯାଏ। ଇଲିସି ମାଛ ମାନଙ୍କର ନଦୀ ମଧ୍ୟରେ ପ୍ରଦତ୍ତ ଅଣ୍ଡା ମଧ୍ୟରୁ ଛୁଆ ଫୁଟିଲା ପରେ, ଛୁଆ ଗୁଡିକ ନଦୀର ମଧୁର ଜଳ ମଧ୍ୟରୁ ନଦୀର ମୁହାଣ ଆଡକୁ ଅଗ୍ରସର ହୋଇଥାନ୍ତି। ନଦୀର ମୁହାଣ ବା ନଦୀ-ସମୁଦ୍ର ର ସଙ୍ଗମ ସ୍ଥଳରେ ଇଲିସି ମାଛର ଛୁଆ ମାନେ ଦୁଇ ରୁ ତିନି ମାସ ଅବସ୍ଥାନ କଲା ପରେ ପୁନର୍ବାର ସେମାନେ ନିଜସ୍ୱ ବାସସ୍ଥାନ ସମୁଦ୍ର ମଧ୍ୟକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି, ଯାହାକି ଇଲିସି ମାଛର ଜୀବନଚକ୍ର।

ସାମ୍ପ୍ରତିକ ପରିସ୍ଥିତିରେ ବିଗତ ୩ ବର୍ଷ ହେଲା ଇଲିସି ମାଛର ଉତ୍ପାଦନ ହାର ଦ୍ରୁତ ଗତିରେ ହ୍ରାସ ପାଇଛି। ଏଥି ନିମନ୍ତେ ବିଭିନ୍ନ କାରଣମାନ ଥାଇପାରେ ଯଥା ସମୁଦ୍ର ମୁହାଣ କ୍ରମଶଃ ପୋତି ହୋଇଯିବା, ସମୁଦ୍ର ଜଳରାଶିର ପ୍ରଦୂଷଣ, ନଦୀବନ୍ଧ ଯୋଜନା, ଅନୈତିକ ମାଛଧରା କୌଶଳର ଅବଲମ୍ବନ ଓ ସର୍ବୋପରି ଜଳବାୟୁ ପରିବର୍ତ୍ତନ ର ମୁଖ୍ୟ ଭୂମିକା। ଇଲିସି ମାଛର ପ୍ରମୁଖ କେନ୍ଦ୍ର ପାଲଟିଥିବା ପାରାଦୀପରେ ଏବେ ଇଲିସି ମରିଚିକା ପ୍ରାୟ, ଅର୍ଥାତ୍ ପୂର୍ବଭଳି ଆଉ ଇଲିସି ମାଛ ମିଳୁ ନାହିଁ। ପାରାଦୀପର ଜଣେ ଶିକ୍ଷିତ ମତ୍ସ୍ୟଜୀବୀ ଙ୍କ କହିବା ଅନୁଯାଇ, ଜଳବାୟୁରେ ପରିବର୍ତ୍ତନ ହେଇଛି। ଅନେକ ଶିଳ୍ପ ଗଢ଼ି ଉଠିଛି ଓ ସମୂଦ୍ର ମୁହାଣ ପୋତି ହୋଇଗଲାଣି। ଶିଳ୍ପ ଗୁଡିକର ବର୍ଜ୍ୟବସ୍ତୁ ଓ ରାସାୟନିକ ପାଣି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସମୂଦ୍ର ଜଳରେ ମିଶୁଛି। ଅଗଷ୍ଟ ମାସ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଇଲିସି ମିଳିଥାନ୍ତି। ଠିକ୍ ସମୟରେ ବର୍ଷା ହେଉନାହିଁ କି ଉତରା ପବନ ବହୁନାହିଁ। ଯାହା ଦ୍ୱାରା କୂଳକୁ ଇଲିସି ଆସୁ ନାହାନ୍ତି। ଲଗାତର ଗତ ୩ ବର୍ଷ ହେଲା ଇଲିସି ମାଛ ପାରାଦୀପ ବାଟ ଭୁଲି ଯାଇଛନ୍ତି ଯଦି ଏଭଳି ସ୍ତିତି ଲାଗି ରୁହେ ତେବେ ଆଉ ପାରାଦୀପର ଇଲିସି ମାଛ ପାଟିରେ ବାଜିବା ସ୍ୱପ୍ନ ପାଲଟିଯିବ। ତେବେ ଦେଖିବାକୁ ବାକି ରହିଲା କେବେ ଇଲିସି ମାଛ ପୂର୍ବ ଭଳି ଅମଳ ହେଵ।

ଜଳବାୟୁ ପରିବର୍ତ୍ତନ ଏକ ବିଶାଳ ସମସ୍ୟା। ସମୁଦ୍ରରେ ଜଳ ପତ୍ତନ ବଢ଼ିବାରୁ ଉପକୁଳ ଅଞ୍ଚଳ ପ୍ରଭାବିତ, ଏହା ଦ୍ୱାରା ଜୀବନ ଏବଂ ଜୀବିକା ଉଭୟ ବିପନ୍ନ ହୋଇପଡିଛି। ସମୁଦ୍ର ଭିତରର ତାପମାତ୍ରା ବୃଦ୍ଧି ହେବା ଫଳରେ ଅମ୍ଳଜାନ ପରିମାଣ ହ୍ରାସ ପାଉଛି, ଅଧିକ ଅଙ୍ଗାରକାମ୍ଳ ନିର୍ଗମନ ହେବା କାରଣରୁ ମହାସାଗରର ପାଣି ଅଧିକ ଅମ୍ଳୀୟ ହେବାରେ ଲାଗିଛି। ତେଣୁ ସାମୁଦ୍ରିକ ଜୀବ ମାନଙ୍କ ପାଇଁ ସଙ୍କଟ ଘନେଇବାରେ ଲାଗିଛି। ମତ୍ସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଉଛି ଏବଂ ମାଛମାନଙ୍କ ଆକାର ମଧ୍ୟ ଛୋଟ ହେବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ବିଭିନ୍ନ ପ୍ରଜାତିର ମାଛ ମାନଙ୍କ ପାଇଁ ବାସସ୍ଥାନ ପରିବର୍ତ୍ତନ କରିବା ର ସୁଯୋଗ ସୃଷ୍ଟି କରିଛି। ସମୁଦ୍ର ଉପରି ଭାଗର ଉତ୍ତାପ କ୍ରମେ ବୃଦ୍ଧି ହେବାରେ ଲାଗିଛି ଯାହାକି ମାଛ ମାନଙ୍କର ପସନ୍ଦଯୋଗ୍ୟ ଖାଦ୍ୟ ସୃଷ୍ଟି ହୋଇପାରୁନି। ସମୁଦ୍ର ଜଳର ବିଭିନ୍ନ ସ୍ତରରେ ତାପମାତ୍ରା ରେ ତାରତମ୍ୟତା ମାଛ ମାନଙ୍କର ବଂଶ ବୃଦ୍ଧିରେ ମଧ୍ୟ ବାଧକ ହୋଇଛି। ଇଲିସି ମାଛ ନିଜର ଖାଦ୍ୟ ପାଇଁ ହେଉ କିମ୍ବା ପ୍ରଜନନ ପାଇଁ ସ୍ଥାନାନ୍ତରିତ ହୋଇଥାଏ। ସମୁଦ୍ର ଉପରି ଭାଗରେ ଜଳସ୍ତର ର ତାପମାତ୍ରାରେ ତାରତମ୍ୟତା, ପସନ୍ଦଯୋଗ୍ୟ ଖାଦ୍ୟର ଅଭାବ ଏବଂ ସମୁଦ୍ର ମୁହାଣ କ୍ରମଶଃ ପୋତି ହୋଇପଡିବା ଇତ୍ୟାଦି କାରଣ ଯୋଗୁ ଇଲିସି ମାଛର ନଦୀ ଗର୍ଭକୁ ପ୍ରବେଶ ବାଧାପ୍ରାପ୍ତ ହେଉଥିବା ମନେକରାଯାଏ।

ତେଣୁ ସମ୍ୟକରେ ଧାରଣା ଦେବାକୁ ହେଲେ ଦ୍ରୁତ ଶିଳ୍ପାୟନ, ପ୍ରାକୃତିକ ଜଙ୍ଗଲ ସମ୍ପଦର ଅବକ୍ଷୟ, ବାୟୁମଣ୍ଡଳରେ ପ୍ରଦୂଷଣ ଏବଂ ଜନସମାଜ ମଧ୍ୟରେ ସଚେତନତାର ଅଭାବ ଇତ୍ୟାଦି ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମର ପ୍ରାକୃତିକ ସମ୍ପଦ ପ୍ରତି ସମ୍ବେଦନଶୀଳତା ରହିବା ଦରକାର। ସେଥିପାଇଁ ସାମୁହିକ ଉଦ୍ୟମର ଆବଶ୍ୟକତା ଅଛି ଯାହାକି ବିଜ୍ଞାନ ଆଧାରିତ ହେବା ଦରକାର। ଶିଳ୍ପ ଓ ଖଣି ସମୂହ ଅଧିକରୁ ଅଧିକ ସଚେତନ ହେବା ଆବଶ୍ୟକ। ପରିବେଶ ଆଇନ କାନୁନର ଠିକ୍ ପରିଚାଳନା ଓ ତଦାରଖ କରିବା ଜରୁରୀ ହୋଇପଡିଛି। ଏଥିପାଇଁ ସରକାରୀ ଏବଂ ବେସରକାରୀ ସଂସ୍ଥା ସବୁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.